ଫଲ୍‌ସ ଫ୍ଲାଗ୍‌ ଆଟାକ୍‌ ଯୋଜନା କରୁଛି ରୁଷିଆ: ଜେଲେନ୍‌ସ୍କି

ମସ୍କୋ/କିଭ୍‌, ୨୬ା୧୦: ୟୁକ୍ରେନ୍‌ ଉପରେ ରୁଷିଆ ୮ମାସ ଧରି ଆକ୍ରମଣ ଜାରି ରଖିଥିବା ବେଳେ କିଭ୍‌ ରେଡିଓଆକ୍ଟିଭ୍‌ ବିକିରଣ ପାଇଁ ‘ଡାର୍ଟି ବମ୍ବ’ ବ୍ୟବହାର କରିପାରେ ବୋଲି ମସ୍କୋ ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗକୁ ରୁଷିଆ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଉଠାଇବ ବୋଲି କହିଛି। ୟୁକ୍ରେନ୍‌ ସୈନ୍ୟ ରୁଷିଆ ଦଖଲରୁ ଖେରସୋନ୍‌କୁ ମୁକ୍ତ କରିବା ପାଇଁ ଲଢ଼େଇ ଜାରି ରଖିଛି। ସେଠାରେ ଥିବା କେତେକ ଅଞ୍ଚଳକୁ ମସ୍କୋ କବଳରୁ ଛଡ଼ାଇନେଇଥିବା ଦାବି ମଧ୍ୟ କରିଛି। ଖେରସୋନ୍‌ ସହରକୁ ରୁଷିଆର ଅଂଶ ବୋଲି କହି ୟୁକ୍ରେନ୍‌ ସେଠାରେ କ୍ଷତିକାରକ ଗ୍ୟାସ୍‌ ପ୍ରୟୋଗ କରିବା ପାଇଁ ଯୋଜନା କରୁଥିବା କ୍ରେମ୍‌ଲିନ ଅଭିଯୋଗ କରିଛି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ଲେଖିଥିବା ଚିଠିରେ ଜାତିସଂଘରେ ଥିବା ରୁଷିଆ ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିଆ କହିଛନ୍ତି, କିଭ୍‌ ‘ଡାର୍ଟି ବମ୍ବ’ ବ୍ୟବହାର କଲେ ତାହାକୁ ମସ୍କୋ ନ୍ୟୁକ୍ଲିୟର ଆତଙ୍କବାଦ ବୋଲି ବିଚାର କରିବ। ଅପରପକ୍ଷେ ଖେରସୋନ୍‌ରେ ଥିବା ଜନସାଧାରଣ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ ରୁଷିଆ କହିଛି। ରୁଷିଆର ଏହି ଅଭିଯୋଗକୁ ୟୁକ୍ରେନ୍‌ ଖଣ୍ଡନ କରିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ଯଦି ରୁଷିଆ କହୁଛି ଆମେ ଏପରି କରିବାକୁ ଯୋଜନା କରିଛୁ, ତେବେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାର ନକ୍ସା ପ୍ରସ୍ତୁତ କରିସାରିଛନ୍ତି। ୟୁକ୍ରେନ୍‌ରେ ଏପରି ବିସ୍ଫୋରଣ କରି ନୀରିହ ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ରୁଷିଆ ପ୍ଲାନ୍‌ କରିଛି। ନିଜେ ‘ଡାର୍ଟି ବମ୍ବ’ କିମ୍ବା ଅନ୍ୟ କୌଣସି ବିପଜ୍ଜନକ ଆକ୍ରମଣ କରି ମସ୍କୋ କିଭ୍‌ ଉପରେ ଦୋଷ ଲଦିଦେବାକୁ ଚାହୁଁଛି। ଏହାର ମସ୍କୋର ଫଲ୍‌ସ ଫ୍ଲାଗ୍‌ ଆଟାକ୍‌ ଯୋଜନା। ବିଶ୍ୱ ତୁରନ୍ତ ରୁଷିଆକୁ ଏପରି କରିବାକୁ ରୋକିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଜେଲେନ୍‌ସ୍କି ନିବେଦନ କରିଛନ୍ତି। ୟୁକ୍ରେନ୍‌ ପୂର୍ବରୁ ଆଣବିକ ଅସ୍ତ୍ର ବିସ୍ତାର ନ କରିବା ପାଇଁ ଚୁକ୍ତିବଦ୍ଧ। ଏଥିସହ କିଭ୍‌ ପାଖରେ କୌଣସି ‘ଡାର୍ଟି ବମ୍ବ’ ନାହିଁ କିମ୍ବା କାହାଠାରୁ ଆଣିବା ଯୋଜନା ମଧ୍ୟ ହୋଇନି। ତେଣୁ ରୁଷିଆ ନିଜେ ଏପରି କରି ୟୁକେନ୍‌ରେ ରେଡିଓଆକ୍ଟିଭ୍‌ ବିକିରଣ କରିବାକୁ ଯାଉଛି ବୋଲି ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି।

Share