ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ବ୍ରିଟେନ୍‌କୁ ଜେଲେନସ୍କିଙ୍କ ଅପିଲ୍‌..

କ୍ୱିଭ୍‌,୧୦।୩ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବ୍ରିଟେନର ସାଂସଦଙ୍କୁ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ଏବଂ ମସ୍କୋ ଉପରେ କଠୋର କଟକଣା ଜାରି କରିବା ଲାଗି ଅପିଲ୍‌ କରିଛନ୍ତି। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ତାଙ୍କ ଦେଶ ବିରୋଧରେ ଏକ ସ୍ବତନ୍ତ୍ର ସାମରିକ ଅପରେଶନ ଆରମ୍ଭ କରି ଆତଙ୍କବାଦୀ ରାଷ୍ଟ୍ରର ପରିଚୟ ଦେଇଛନ୍ତି ବୋଲି ଜେଲେନସ୍କି କହିଛନ୍ତି।

ଭିଡିଓ ଲିଙ୍କ ମାଧ୍ୟମରେ ’ହାଉସ ଅଫ କମନ୍ସ’ରେ ଏକ ଐତିହାସିକ ଭାଷଣ ଦେଇଥିବା ଜେଲେନସ୍କିଙ୍କୁ ସଂସଦର ସଦସ୍ୟମାନେ ଛିଡ଼ା ହୋଇ ସମ୍ମାନ ଜଣାଇଥିଲେ। ପ୍ରଥମ ଥର ପାଇଁ ଜଣେ ବିଦେଶୀ ନେତା ଭାବେ ଜେଲେନସ୍କି ସିଧାସଳଖ ବ୍ରିଟେନ୍‌ ସାଂସଦମାନଙ୍କୁ ସମ୍ବୋଧିତ କରିଛନ୍ତି।

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ସମ୍ବୋଧିତ କରି ଜେଲେନସ୍କି କହିଛନ୍ତି, ପାଶ୍ଚାତ୍ୟ ଦେଶଗୁଡ଼ିକଠାରୁ ସାହାଯ୍ୟ ପାଇବାକୁ ୟୁକ୍ରେନ୍‌ ଅପେକ୍ଷା କରିଛି। ଏହା ସହିତ ସେ କହିଛନ୍ତି ଯେ ଦୟାକରି ରୁଷିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବୃଦ୍ଧି କରନ୍ତୁ ଏବଂ ଏହାକୁ ଆତଙ୍କବାଦୀ ରାଷ୍ଟ୍ର ଭାବରେ ଘୋଷଣା କରନ୍ତୁ।

ଏକ ଭାବପ୍ରବଣ ଭାଷଣରେ ଜେଲେନସ୍କି ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ରୁଷିଆ ସୈନ୍ୟଙ୍କ ସହିତ ଲଢ଼ିବାକୁ ଦେଇଥିବା ପ୍ରତିଶୃତିକୁ ଦୋହରାଇଛନ୍ତି।

Share