ମସ୍କୋ/କିଭ,୧୭।୯ : ରୁଷିଆ ଏହାର ଅଧିକୃତ କ୍ରିମିୟା ଦ୍ୱୀପପୁଞ୍ଜରେ ୟୁକ୍ରେନ ନାଗରିକଙ୍କ ସମ୍ପତ୍ତି ବିକ୍ରୟ କରିବ। ଏଗୁଡ଼ିକ ହେଉଛି ଅସ୍ଥାବର ସମ୍ପତ୍ତି, ଯାହାର ମାଲିକମାନେ ୟୁକ୍ରେନରେ ବାସ କରନ୍ତି ଏବଂ ନିବେଶ ଉଦ୍ଦେଶ୍ୟରେ ୨୦୧୪ପୂର୍ବରୁ ଏହି ସମ୍ପତ୍ତି କ୍ରୟ କରିଥିଲେ। ଏଥିସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଏକ ଆପାର୍ଟମେଣ୍ଟ ମଧ୍ୟ ଏଥିରେ ରହିଛି।
ଏହି ସମ୍ପତ୍ତି ବିକ୍ରୟ କ୍ରିମିୟାରେ ରୁଷିଆ ଦ୍ୱାରା ନିଯୁକ୍ତ ପ୍ରଶାସନିକ ମୁଖ୍ୟ ଭ୍ଲାଦିମିର କନଷ୍ଟାଣ୍ଟିନୋଭ ଘୋଷଣା କରିଛନ୍ତି। ୨୦୧୪ରେ କ୍ରିମିୟା ଆନ୍ଦୋଳନ ପରେ ରୁଷିଆ ଏହି ସମ୍ପତ୍ତିଗୁଡ଼ିକୁ ଜାତୀୟ ସମ୍ପତ୍ତି ଭାବରେ ଘୋଷଣା କରିଥିଲା। ବର୍ତ୍ତମାନ ଏହି ୧୦୦ଟି ସମ୍ପତ୍ତି ବିକ୍ରୟ କରି ରାଜସ୍ବ ସଂଗ୍ରହ କରାଯିବ। ବିକ୍ରୟ ହେବାକୁ ଥିବା ସମ୍ପତ୍ତିରେ ଆବାସିକ ଅଟ୍ଟାଳିକା ସହିତ ବାଣିଜ୍ୟିକ ସମ୍ପତ୍ତି ଏବଂ ରିସୋର୍ଟ ଅନ୍ତର୍ଭୁକ୍ତ ।