ହାଡ଼ିବନ୍ଧୁ ଖଣ୍ଡୁଆଳ
ଚାଷ ଓ ଚାଷୀଙ୍କ ବହୁବିଧ ଉନ୍ନତି ପାଇଁ ୨୦୨୦-୨୧ ବଜେଟରେ ଅନେକ ସାମ୍ମୁଖ୍ୟରେ ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି। ସେଥିରୁ ଗୋଟିଏ ସାମ୍ମୁଖ୍ୟ ହେଲା, ‘ଜିରୋ ବଜେଟ ଫାର୍ମିଂ’। ଫୋକସ୍ କରାଯାଇଥିବା ଜିରୋ ବଜେଟ ଫାର୍ମିଂ ହେଲା- ସ୍ବଳ୍ପ ଖତସାର, ସ୍ବଳ୍ପ ଜଳ ଓ ସ୍ବଳ୍ପ ବ୍ୟୟରେ ଗୁଣାତ୍ମକ ମାନର ଫସଲ ଉତ୍ପାଦନ କରିବା। ସରକାର ଉପଲବ୍ଧି କଲେଣି ଏବେ ଶସ୍ୟକ୍ଷେତ୍ରରେ ବ୍ୟବହୃତ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବିଷାକ୍ତ ପଦାର୍ଥର କିଛି ଅଂଶ ଉତ୍ପାଦିତ ଶସ୍ୟରେ ବାହାରିଲାଣି। ଏପରି କି ଏ ଉତ୍ପାଦିତ ଶସ୍ୟ, ଫଳମୂଳ ଖାଇଥିବା ମା’ର କ୍ଷୀରରେ ବିଷାକ୍ତ ପଦାର୍ଥର ସନ୍ଧାନ ମିଳିଲାଣି, ଯାହା ମା’ଠାରୁ ଛୁଆର ଶରୀରରେ ପ୍ରବେଶ କଲାଣି। ଏବେ ଚାଷରେ ବ୍ୟୟବହୁଳ ରାସାୟନିକ ସାର, ବିଷାକ୍ତ କୀଟନାଶକ, କୃଷି ଯନ୍ତ୍ରପାତି ବ୍ୟବହାର କରି ଓ ଜଳସେଚନର ସୁବିଧା କରି ଏକର ପ୍ରତି ଉତ୍ପାଦନହାର (ପୂର୍ବର ଅଢ଼େଇ ଗୁଣ) ବଢ଼ାଯାଇଥିଲେ ମଧ୍ୟ ଚାଷଧନ୍ଦା କ୍ଷତିରେ ଚାଲୁଥିବାରୁ ଯୁବପିଢ଼ି ଚାଷ ପ୍ରତି ବିମୁଖ ହେଉଛନ୍ତି। ଅତୀତରେ ଚାଷୀଟିଏ ଫସଲରେ ଗୋବରଖତ ଦେଇ, ବର୍ଷାଜଳ ଉପରେ ନିର୍ଭର କରି, ସ୍ବଳ୍ପ ବ୍ୟୟରେ, ସ୍ବଳ୍ପ ହାରରେ ଫସଲ ଉତ୍ପାଦନ କରି, ଉତ୍ପାଦର ଗୁଣାତ୍ମକ ମାନ ରକ୍ଷା କରୁଥିଲା ଓ ଚାଷ ବେଶ୍ ଲାଭଜନକ ଧନ୍ଦା ଥିଲା। ସମାଜରେ ଚାଷୀଟିଏ ସମ୍ମାନର ସହ ବଞ୍ଚିପାରୁଥିଲା। ସେଥିପାଇଁ ପୂର୍ବେ ଚାଟଶାଳିରେ ପଢ଼ା ଯାଉଥିଲା- ”ଚାଷ ଅଛି ଯାହାର, କେତେ ସୁଖ ତାହାର, ଚାଷୀ ସିନା ଯୋଗାଉଛି ଦୁନିଆକୁ ଆହାର।“ ପୂର୍ବର ଚାଷ ଓ ଚାଷୀର ପ୍ରତିଷ୍ଠା ବିଷୟରେ ସଂକ୍ଷିପ୍ତ ଆଲୋଚନା କରିବା।
୧୯୫୫-୬୦ ମସିହା ବେଳର ଚାଷ ଓ ଚାଷୀ ବିଷୟରେ ଆଲୋକପାତ କରୁଛି। ସେତେବେଳେ ଜଣେ ଚାଷୀ କିମ୍ବା ଜଣେ ଚାଷ ଚାକର ଏକ ହଳ ବଳଦ ଓ ଲଙ୍ଗଳରେ ଚାଷ କରିପାରୁଥିଲା ୩ ହେକ୍ଟର (୭.୫ ଏକର) ଜମି। ଅଣଜଳସେଚିତ ୩ ହେକ୍ଟର ଜମିରୁ ଚାଷୀଟିଏ କେବଳ ଶାରଦ ଧାନଚାଷରୁ ଖର୍ଚ୍ଚ ବାଦ୍ କେତେ ଲାଭ ପାଉଥିଲା, ତା’ର ଏକ ସଂକ୍ଷିପ୍ତ ହିସାବ ଦେବା। ଧାନ ଅମଳ ପାଇଁ ଚାକରଟିଏକୁ ଲାଗେ ୧୨୦ ଶ୍ରମଦିବସ। ଧାନକଟା ଓ କିଆରିରେ ବାଳୁଙ୍ଗା ବଛା ସମୟରେ ବାହାର ମଜୁରିଆ ଆବଶ୍ୟକ ହୁଏ ଯଥାକ୍ରମେ ୨୩ ଓ ୧୫ଟା, ଯାହାର ଦୈନିକ ମଜୁରି ୧ ଟଙ୍କା ହିସାବରେ ଖର୍ଚ୍ଚ ହେଉଥିଲା ୩୮ ଟଙ୍କା। ଜଣେ ଚାଷ ଚାକର ବର୍ଷକୁ ଦରମା ନେଉଥିଲା ୧୨୦ ଟଙ୍କା ଓ ମୁନିବ ଘରେ ଭାତ, ଜଳଖିଆ, ପାନ ଖାଉଥିଲା ଓ ହଳେ ଧୋତି, ଗାମୁଛା ନେଉଥିଲା। ଏଥିପାଇଁ ମୁନିବକୁ ଖର୍ଚ୍ଚ କରିବାକୁ ପଡୁଥିଲା ୨୦୦ ଟଙ୍କା ଭିତରେ। ସୁତରାଂ ୧୨୦ ଦିନ ବା ୪ ମାସ ପାଇଁ ଚାକର ଖର୍ଚ୍ଚ ପଡୁଥିଲା ୧୦୭ ଟଙ୍କା। ୨୦୦ ଟଙ୍କାରେ ମିଳୁଥିବା ହଳେ ଦାମୁଡ଼ି, ନିର୍ବିଘ୍ନରେ ୭/୮ ବର୍ଷ ଚଷୁଥିଲା। ବଳଦ ଓ ତା’ର ଖାଦ୍ୟ କୁଣ୍ଡା ବାବଦକୁ ବର୍ଷକୁ ଖର୍ଚ୍ଚ ହେଉଥିଲା ୪୦ ଟଙ୍କା। ଚାଷ ଉପକରଣ ତିଆରି ଓ ମରାମତି କରୁଥିଲେ ଗ୍ରାମ୍ୟ ବଢ଼େଇ ଓ କମାର। ସେମାନେ ବାର୍ଷିକ ବର୍ତ୍ତନ ହଳ ପିଛା ନେଉଥିଲେ ଗୌଣିଏ ହିସାବରେ ଦୁଇ ଗୌଣି ଧାନ, ଯାହାର ଦାମ୍ ଥିଲା ୨ ଟଙ୍କା। ଏହିପରି ଚାଷରେ ସର୍ବମୋଟ ଖର୍ଚ୍ଚ ହେଉଥିଲା (୧୦୭+୩୮+୪୦+୨) ୧୮୭ ଟଙ୍କା। ସେତେବେଳେ ଏକରକୁ ଧାନ ଉତ୍ପନ୍ନ ହେଉଥିଲା ୬ କୁଇଣ୍ଟାଲ (ଏବେ ଏକରକୁ ୧୫ କୁଇଣ୍ଟାଲ) ଏବଂ ସେହି ହିସାବରେ ୭.୫ ଏକରରୁ ମିଳୁଥିଲା ୪୫ କୁଇଣ୍ଟାଲ। ଧାନ କୁଇଣ୍ଟାଲ ୩୫ ଟଙ୍କା ହିସାବରେ ଉତ୍ପନ୍ନ ଧାନର ମୂଲ୍ୟ ଥିଲା ୧,୫୭୫ ଟଙ୍କା। ସୁତରାଂ ଜମିରୁ ନିଟ୍ ଲାଭ ମିଳୁଥିଲା (୧୫୭୫-୧୮୭) ୧,୩୮୮ ଟଙ୍କା। ସେତେବେଳେ ସୁନା ଭରି (୧୦ ଗ୍ରାମ୍) ଦାମ୍ ଥିଲା ୧୦୦ ଟଙ୍କା। ସୁତରାଂ ୩ ହେକ୍ଟର ଚାଷ କରିଥିବା ଚାଷୀଟିଏ କେବଳ ଏକ ଫସଲ ଧାନ ଚାଷରୁ ଲାଭ ପାଉଥିଲା ୧୪ ଭରି ସୁନା (ବର୍ତ୍ତମାନ ଦାମ୍ ୫,୮୮,୦୦୦ ଟଙ୍କା)। ଧାନରୁ ଆୟ ସାଙ୍ଗକୁ ଚାଷୀଟି ମୁଗ, ବିରି, କୋଳଥ, ମାଣ୍ଡିଆ, ଫେଶୀ, ସୋରିଷ, ବାଦାମ, ଟମାଟୋ, ଗୋଲାଆଳୁ, ଦେଶୀଆଳୁ, ସାରୁ, ପିଆଜ, ନଳିତା, କୋବି ଇତ୍ୟାଦି ଅର୍ଥକରୀ ଫସଲ ଉତ୍ପନ୍ନ କରୁଥିଲା ହଳଲଙ୍ଗଳରେ। ମାଟିରେ ଗୋବରଖତ ଦେଇ ଫଳାଇ ପାରୁଥିଲା କଖାରୁ, କଲରା, ଲଙ୍କା, ଛଚିନ୍ଦ୍ରା, ଶାଗ, ବାଇଗଣ, କଦଳୀ, ଭେଣ୍ଡି, ଜହ୍ନି ଇତ୍ୟାଦି। ନଈ, ନାଳ, ପୋଖରୀ, ପାଟରୁ ମିଳୁଥିଲା ଆବଶ୍ୟକ ମାଛ। ଗୋରୁଗାଈଙ୍କ ଗୋବର ଘଷି, ଲୁଣ୍ଡା ଓ ଛଣକୁଟାରୁ ଚାଷୀ ପରିବାର ପାଉଥିଲା ବର୍ଷକର ଜାଳେଣି। ଖରିଫ୍ ଧାନ ବାହାରେ ଏସବୁରୁ ଚାଷୀ ପାଉଥିଲା ପ୍ରାୟ ଏକ ହଜାର ଟଙ୍କାର ଆୟ ଯାହା ୧୦ ଭରି ସୁନା ସହ ସମାନ। ଚାଷରୁ ସେତେବେଳେ ଏତେ ଲାଭ ମିଳୁଥିଲା ବେଳେ, ଏବେ କେନ୍ଦ୍ର ସରକାର ଫୋକସ୍ କରୁଛନ୍ତି ପୂର୍ବପରି ଗୋବର ଖତ ଓ କମ୍ ପାଣିରେ ଜିରୋ ବଜେଟ ଫାର୍ମିଂ ପାଇଁ, ଯେଉଁଥିରୁ ବିନା ଲାଭକ୍ଷତିରେ ଗୁଣାତ୍ମକ ମାନର ଫସଲ ଉତ୍ପାଦନ ହେବ।
ସେତେବେଳେ ଚାଷୀର ସାମାଜିକ ସ୍ଥିତି ବିଷୟରେ ଆଲୋକପାତ କରିବା। କୁହାଯାଉଥିଲା ଚାଷୀର ହାତଟେକା ଚାଉଳ ଓ ଉତ୍ପାଦରେ ୩୬ ପାଟକ ପ୍ରତିପାଳିତ ହେଉଥିଲେ। ଚାଷୀର ଦାଣ୍ଡକୁ ବେପାରୀମାନେ ଆସନ୍ତିି ଲୁଣ, ମାଛ, ଶୁଖୁଆ, ଆମ୍ବ, ପଣସ, କୋଳି, ଆଚାର ନେଇ ଓ ଚାଷୀଘରୁ ଚାଉଳ ନିଅନ୍ତି। କୁମ୍ଭାର ମାଟିର ହାଣ୍ଡି ମାଠିଆ ଆଣି ଚାଉଳ ଅଥବା ହାଣ୍ଡି ପୋଡ଼ିବାକୁ ଚାଷୀର ଛଣ ନିଏ। ଚାହାଳିର ଅବଧାନ ଚାଷୀ କ୍ଷେତକୁ ଆସି ହଳା ମାଗି ନିଅନ୍ତି। ଗାଁ ଦାଣ୍ଡରେ ବୁଲି ବୁଲି ଚାଉଳ ସଂଗ୍ରହ କରୁଥିଲେ ଚକୁଳିଆ ପଣ୍ଡା, ଭାଟ, ଘଣ୍ଟୁଆ, ପାଟୁଆ ଓ ସବାଖିଆ କେଳା। ଚକୁଳିଆ ପଣ୍ଡା ନୀତିବାଣୀ ଶୁଣାନ୍ତି ସରଳ ଓଡ଼ିଆ ଭାଷାରେ ଓ ଭାଟ ଶୁଣାନ୍ତି ସଂସ୍କୃତ ଭାଷାରେ। ପାଟ ପିନ୍ଧି ପାଟୁଆ ଦାଣ୍ଡରେ ନୃତ୍ୟ କରେ। ଠାକୁରାଣୀଙ୍କ ଚଳନ୍ତି ପ୍ରତିମା ଓ ପାଦୁକ ଧରି ଗ୍ରାମ ଦାଣ୍ଡରେ ଘଣ୍ଟ ବଜାଇ ରଣପା ନୃତ୍ୟ କରନ୍ତି ଘଣ୍ଟୁଆ। ପ୍ରତି ଘରର ପିଲାମାନେ ଗିନାରେ ଚାଉଳ ଆଣି ଠାକୁରାଣୀଙ୍କ ପାଦୁକ ନେଉଥିଲେ। ପାଟୁଆ ପାଟ ପିନ୍ଧି ଦାଣ୍ଡରେ ବିଭିନ୍ନ ଭଙ୍ଗିରେ ନାଚ କରି ଚାଉଳ ନିଏ। ଚାଷୀର ଦାଣ୍ଡ ଦୁଆରକୁ ଆସି, ଚାଷୀ ପରିବାର ପାଇଁ ଶୁଭ ମନାସି ଗୀତ ଗାଇ ଚାଉଳ ଭିକ୍ଷା କରନ୍ତି ଯୋଗୀ ଭିକାରୀ। ଚାଷୀର ଅଗଣା ବା ଦୁଆରକୁ ପଶି ଦୁଆର ପଡ଼ି ଚାଉଳ ନିଅନ୍ତି ମଠର ଯୋଗୀ ବା ବାବାଜି। ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଦୈନିକ ଭୋଜନ ପାଇଁ ଗ୍ରାମବାସୀ ପାଳି କରି ପଠାନ୍ତି ଚାଉଳ, ଡାଲି, ପନିପରିବା ଓ ଜଳଖିଆ। ପିଲାମାନେ ପ୍ରତିଦିନ ବିଦ୍ୟାଳୟକୁ ନିଅନ୍ତି ମୁଠି ଚାଉଳ। ବିଭା, ବ୍ରତ, ଶ୍ରାଦ୍ଧ ଓ ପୂଜା କର୍ମରେ ଚାଷୀର ଘରକୁ ଆମନ୍ତ୍ରିତ ହୋଇ ଆସନ୍ତି ପୁରୋହିତ। ସେ ଯଜମାନଙ୍କୁ (ପରିବାରକୁ) ଆଶୀର୍ବାଦ କରି, ନୀତିବାଣୀ ଶୁଣାନ୍ତି ଓ ହୋମ ଯଜ୍ଞାଦି କରନ୍ତି। ଚାଷୀ ପରିବାର ତାଙ୍କୁ ଜଳଖିଆରେ ଆପ୍ୟାୟିତ କରନ୍ତି ଓ ଚାଷର ଉତ୍ପାଦ ଚାଉଳ, ଡାଲି, ପନିପରିବା ସାଙ୍ଗକୁ ଦାନ ଦକ୍ଷିଣା ଦିଅନ୍ତି।
ଚାଷୀ ଘରେ ପାଳିତ ହୁଏ କୃଷିଭିତ୍ତିକ ପର୍ବପର୍ବାଣି। ସେଗୁଡ଼ିକ ହେଲା- ଅକ୍ଷୟ ତୃତୀୟା, ସାବିତ୍ରୀ ବ୍ରତ, ରଜ, ଗହ୍ମାପୂନେଇ, ଚିତଉ ଅମାବାସ୍ୟା, ମାଣବସା, ଶାମ୍ବ ଦଶମୀ, ବଉଳ ଅମାବାସ୍ୟା, ପୁଷ୍ ପୂନେଇ, ମକର ସଂକ୍ରାନ୍ତି, ଧନୁ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଇତ୍ୟାଦି। ସେ ସମୟରେ ବନ୍ଧୁବାନ୍ଧବଙ୍କ ଭାର ବେଭାର ସାଙ୍ଗକୁ ଚାଷୀ ପରିବାରରେ ପିଠାପଣା, ଉଖୁଡ଼ା, ମୁଆଁ, ଖଇ ମୁଢ଼ି, ନଡ଼ିଆ, ଆମ୍ବ, ପଣସ, କଦଳୀର ଆସର ଜମୁଥିଲା। ପ୍ରତି ପର୍ବରେ ଗୃହ ମାଲିକାଣୀ ଘରର ଚାକର ଓ ମୂଲିଆ ପରିବାର ପାଇଁ ପାଚିଆ, ଡାଲାଭରା ପିଠା, ଉଖୁଡ଼ା, ମୁଆଁ, ଖଇ, ମୁଢ଼ି ଟେକି ଦେଉଥିଲା। ଚାଷୀ ଘରେ ବିବାହବ୍ରତ, ଜନମ ମରଣ, ଘରକୁ ବୋହୂ ଅଣା ଓ ଅଷ୍ଟମ ପ୍ରହରୀ ଧାର୍ମିକ କାର୍ଯ୍ୟରେ ଏ ସମସ୍ତଙ୍କୁ ମାଲିକାଣୀ କଂସା କଂସା ଭୋଜି ଭାତ, ଡାଲି, ତରକାରି ଓ ଖିରି ଅଜାଡ଼ି ଦେଉଥିଲା। ପିଠାପଣାରେ ନିଜ ଉତ୍ପାଦ ମୁଗ, ଫେଶୀ, ମାଣ୍ଡିଆ, ନଡ଼ିଆପୁରର ମଣ୍ଡା ସାଙ୍ଗକୁ ପୋଡ଼ପିଠା ଓ ତାଳପିଠା ମହକରେ ଗ୍ରାମ ମହକୁଥିଲା।
ଚାଷୀର ଅତୀତ ଗୌରବକୁ ସ୍ମରଣ କରି ଏବେ ଚାଷୀ ସଙ୍ଗଠନଗୁଡ଼ିକ ଆନ୍ଦୋଳନ କରୁଛି ଚାଷୀ ପାଇଁ ପ୍ରାଇସ୍ (ଉତ୍ପାଦର ଉପଯୁକ୍ତ ମୂଲ୍ୟ), ପ୍ରେଷ୍ଟିଜ୍ (ସମାଜରେ ସମ୍ମାନ) ଓ ପେନ୍ସନ୍ (ପରିଣତ ବୟସରେ ଚାଷୀ ଭତ୍ତା)ର ବ୍ୟବସ୍ଥା କରାଯିବାକୁ।
୨୨୪୮, କୋଟିତୀର୍ଥ, ଭୁବନେଶ୍ୱର,
ମୋ: ୭୦୦୮୮୪୬୨୭୨