ଦୁର୍ନୀତି ରୋକିବାରେ ଜିରୋ ଟଲରେନ୍ସକୁ ଗୁରୁତ୍ୱ

କଟକ ଅଫିସ, ୬।୮: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ୨୦୧୮ ବ୍ୟାଚ୍‌ର ଗ୍ରେଡ୍‌-ଏ ଅଫିସରଙ୍କ ନିମନ୍ତେ ୨ଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଶୁକ୍ରବାର ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ପି. କେ. ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ତାଲିମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ, ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ସ୍ବଚ୍ଛତା ଓ ଦୁର୍ନୀତି ନିବାରଣ ପଦକ୍ଷେପ ଉପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ତାଲିମ ମଡ୍ୟୁଲ୍‌କୁ ପ୍ରଶଂସା କରିଥିଲେ। ଏହି ମଡ୍ୟୁଲ୍‌ ଅଂଶଗ୍ରହଣକାରୀମାନଙ୍କୁ ଉତ୍ତମ ଶାସନର ଗୁରୁତ୍ୱପୂର୍ଣ୍ଣ ଦିଗରେ ସାହାଯ୍ୟ କରିବ। ଏଥିସହ ସ୍ବଚ୍ଛ ଶାସନ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ୫-ଟି ନୀତି ଟିମ୍‌ ୱାର୍କ, ଟାଇମ, ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି ଏବଂ ଟ୍ରାନ୍ସଫର୍ମେଶନ ବିଷୟରେ କହିଥିଲେ। ଏହାଦ୍ୱାରା ତୁରନ୍ତ ଜନସେବା ପ୍ରଦାନକୁ ନିଶ୍ଚିତ କରିବା ପାଇଁ ଜଣେ ସରକାରୀ କର୍ମଚାରୀଙ୍କ ଉତ୍ତରଦାୟିତ୍ୱକୁ ବୃଦ୍ଧି କରାଯାଇଛି। ଅଖଣ୍ଡତା ଏବଂ ସଚ୍ଚୋଟତା ବଜାୟ ରଖିବା ପାଇଁ ଓଏଏସ୍‌ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଦୁର୍ନୀତି ରୋକିବାରେ ଜିରୋ ଟଲରେନ୍ସ ନୀତି ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ବିକାଶମୂଳକ କାର୍ଯ୍ୟରେ ସରକାରୀ ଅର୍ଥ ବିନିଯୋଗ ସମୟରେ ଅଧିକାରୀମାନେ ନିଜକୁ ଟ୍ରଷ୍ଟି ଭାବେ ବିବେଚନା କରି ସମସ୍ତ ନୀତିନିୟମ ପାଳନ କରିବାକୁ କହିଥିଲେ। ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ. କେ. ଜେଠୱା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ସୁଶାସନ ଉପରେ ଗୁରୁତ୍ୱ ଦେଇଥିଲେ।