Categories: ଜାତୀୟ

କରୋନା ମଧ୍ୟରେ ଜିକା ସଂକ୍ରମଣ ବଢ଼ାଇଲା ବିପଦ

ମୁମ୍ବାଇ,୧୦।୮: କରୋନା ଭାଇରସ୍‌ ସଂକ୍ରମଣ ନସରୁଣୁ ଏବେ ଜିକା ଭାଇରସ୍‌ ସଂକ୍ରମଣ ବିପଦ ଦେଖାଦେଲାଣି। ବର୍ତ୍ତମାନ ମହାରାଷ୍ଟ୍ରରେ ଡେଙ୍ଗୁ ଚିନ୍ତାର କାରଣ ପାଲଟିଛି। ତେବେ ଜିକା ଭାଇରସ୍‌ର ପ୍ରଥମ ମାମଲା ପୁନେରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୭୯ଗାଁରେ ଏହି ଭାଇରସ୍‌ ବ୍ୟାପିବା ନେଇ ଆଶଙ୍କା ପ୍ରକଟ କରିଛି ଜିଲାପ୍ରଶାସନ। ଏହି ସମସ୍ତ ଗ୍ରାମକୁ ଜରୁରୀକାଳୀନ ସେବା ପାଇଁ ପ୍ରସ୍ତୁତ କରୁଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅଗଷ୍ଟ ୫ରେ ଅବଗତ କରାଯିବା ସହ ଉକ୍ତ ଗ୍ରାମ ଉପରେ ନଜର ରଖାଯାଇଛି ବୋଲି ଜିଲାପାଳ ଡ. ରାଜେଶ ଦେଶମୁଖ ଜାରି କରିଥିବା ଏକ ନିର୍ଦ୍ଦେଶରେ କହିଛନ୍ତି। ବର୍ତ୍ତମାନ ଏହି ଗ୍ରାମଗୁଡିକରେ ଜରୁରୀକାଳୀନ ପଦକ୍ଷେପ ଆରମ୍ଭ ହୋଇଛି। ଅନ୍ୟପଟେ ଜିଲାପାଳ ୭୯ଗାଁର ଏକ ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ଜିକା, ଡେଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗ ରହିଛି। ତେବେ ଗତ ୩ ବର୍ଷରୁ ଯେଉଁ ଗାଁଗୁଡ଼ିକରେ ଲଗାତର ଡେଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗ ଲାଗିରହିଛି ସେଗୁଡ଼ିକୁ ଜିକା ଭାଇରସ୍‌ ସଂକ୍ରମିତ ବୋଲି ବିବେଚନା କରାଯିବ। ଆଉ ଏଥିପାଇଁ ଗାଁଲୋକଙ୍କ ରକ୍ତ ନମୁନା ମଧ୍ୟ ପରୀକ୍ଷା କରାଯିବ ବୋଲି ଜିଲାପାଳ ରାଜେଶ ଦେଶମୁଖ କହିଛନ୍ତି।

Share