Categories: ଖେଳ

ଜିମ୍ବାଓ୍ବେ କ୍ରିକେଟ ପ୍ରଶଂସକଙ୍କୁ ୫ବର୍ଷ ବାସନ୍ଦ

ହରାରେ, ୧୯ା୨: ଜିମ୍ବାଓ୍ବେ କ୍ରିକେଟ ଦଳର ଜଣେ ପ୍ରଶଂସକକୁ ଦେଶର ସମସ୍ତ କ୍ରିକେଟ ଭେନ୍ୟୁ ଓ ଇଭେଣ୍ଟରୁ ବାସନ୍ଦ କରାଯାଇଥିବା ଜିମ୍ବାଓ୍ବେ କ୍ରିକେଟ (ଜେଡ୍‌ସି) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଜଣେ ଭାରତୀୟ ବୁକ୍‌ମେକରଙ୍କ ସହ ଜଣେ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସେ ସ୍ପଟ୍‌ଫିକ୍ସିଂ କାରବାରରେ ସମ୍ପୃକ୍ତ କରାଇବା ଲାଗି ହରାରେର ୨୭ବର୍ଷୀୟ ଏଡଓ୍ବାର୍ଡ ଓ୍ବାଲ୍ଟର ମୁପାନଗାନୋ ନାମକ ପ୍ରଶଂସକ ଜଣକ ଉଦ୍ୟମ ଚଳାଇଥିଲେ। ସେ ଗତ ଅଗଷ୍ଟରେ ଳଫାଷ୍ଟ ବୋଲର ଲ୍ୟୁକ୍‌ ଜଙ୍ଗଓ୍ବିଙ୍କୁ ଆପ୍ରୋଚ୍‌ କରିଥିଲେ। ଭାରତୀୟ ବୁକ୍‌ମେକରଙ୍କ ସହ ପରିଚୟ କରାଇ ଦେବେ ବୋଲି କହିଥିଲେ। ଜିମ୍ବାଓ୍ବେ କ୍ରିକେଟ ଅନୁସାରେ ଖେଳାଳି ଜଣଙ୍କୁ ୭୦୦୦ ଆମେରିକୀୟ ଡଲାର ପ୍ରତିବଦଳରେ ଏକ ଅନ୍ତର୍ଜାତୀୟ ମ୍ୟାଚରେ ପୂର୍ବ ଯୋଜନା ମୁତାବକ ବୋଲିଂ କରାଇବାକୁ ବୁକ୍‌ମେକର ଜଣକ ଚାହୁଁଥିଲେ। ମୁପାନଗାନୋ ଅତୀତରେ ସ୍ଥାନୀୟ ଏକ କ୍ଲବରେ ଖେଳିବା ଲାଗି ଚେଷ୍ଟା କରିଥିଲେ। ସେ ଯଦି ଖେଳାଳି ଜଣକୁ ସମ୍ପୃକ୍ତ କରାଇବାରେ ସଫଳ ହୋଇପାରିଥାନ୍ତେ ତାଙ୍କୁ ୩୦୦୦ ଡଲାର ମିଳିଥାନ୍ତା। କିନ୍ତୁ ଜଙ୍ଗଓ୍ବି ତୁରନ୍ତ ଏ ବିଷୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଥିଲେ। ତଦନ୍ତ ପରେ ଜିମ୍ବାଓ୍ବେ କ୍ରିକେଟର ଦୁର୍ନୀତି ମୁପାନଗାନୋ ଦୁର୍ନୀତି ନିବାରଣ ଆଚରଣ ସଂହିତା ନିୟମ ଉଲ୍ଲଂଘନ କରିଥିବା ସ୍ବୀକାର କରିଥିଲେ। ତାଙ୍କୁ ଜିମ୍ବାଓ୍ବେ କ୍ରିକେଟ ଦ୍ୱାରା ସ୍ବୀକୃତିପ୍ରାପ୍ତ ସମସ୍ତ ଭେନ୍ୟୁ ଓ ଇଭେଣ୍ଟରୁ ବାସନ୍ଦ କରାଯାଇଛି। ୨୮ ବର୍ଷୀୟ ଜଙ୍ଗଓ୍ବି ୨୦୧୪ରେ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ ପରେ ଗୋଟିଏ ଟେଷ୍ଟ, ୩୭ ଅନ୍ତର୍ଜାତୀୟ ଦିନିକିଆ ଓ ୪୫ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି।

Share