Categories: ଖେଳ

ଭେଟେରାନ କ୍ରିକେଟର ହିଥ୍‌ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ

ହରାରେ,୨୩।୮: ଜିମ୍ବାଓ୍ବେ ଦଳର ଭେଟେରାନ ଅଲରାଉଣ୍ଡର ହିଥ୍‌ ଷ୍ଟ୍ରିକ୍‌ ଜୀବିତ ଅଛନ୍ତି। ତାଙ୍କର ପରଲୋକକୁ ନେଇ ବୁଧବାର ସୋସିଆଲ ମିଡିଆରେ ମିଥ୍ୟା ଖବର ଭାଇରାଲ ହୋଇଥିଲା। ଏହି ୪୯ ବର୍ଷୀୟ କ୍ରିକେଟରଙ୍କ କ୍ୟାନ୍‌ସରରେ ପୀଡ଼ିତ ହେବା ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଇଥିଲା।

ତେବେ ଷ୍ଟ୍ରିକଙ୍କ ନିଧନକୁ ନେଇ ଖବର ଭାଇରାଲ ହେବା ପରେ ଜିମ୍ବାଓ୍ବେ ଟିମ୍‌ର ହେନେରୀ ଓଲୋଙ୍ଗା ହିଥ୍‌ ଷ୍ଟ୍ରିକଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ। ଏହି ଟୁଇଟ୍‌ ପରେ ଅନେକ କ୍ରିକେଟର ଷ୍ଟ୍ରିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ। ମାତ୍ର ସତ୍ୟାସତ୍ୟ ଜାଣିବା ପରେ ସେ ଉକ୍ତ ଟୁଇଟ୍‌କୁ ଡିଲିଟ୍‌ କରିଦେଇଛନ୍ତି।

ଓଲୋଙ୍ଗା ନିଜେ ଷ୍ଟ୍ରିକଙ୍କ ସହ କଥା ହେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଉଭୟଙ୍କ କଥୋପକଥନର ଏକ ସ୍କ୍ରିନ୍‌ଶଟ୍‌ ଟୁଇଟରରେ ଶେୟାର କରି ଲେଖିଛନ୍ତି, ଷ୍ଟ୍ରିକଙ୍କ ପରଲୋକ ଖବର ଗୁଜବ। ମୁଁ ଏବେ ତାଙ୍କ ସହ କଥା ହୋଇଛି। ଥର୍ଡ ଅମ୍ପାୟାର ତାଙ୍କୁ ପୁନର୍ବାର ପାଖକୁ ଡାକିଛନ୍ତି। ସେ ବହୁତ ହୃଦୟବାନ ମଣିଷ ବନ୍ଧୁ।

Share