Categories: ଖେଳ

ପ୍ରଥମ ଥର ସୁପର-୧୨ରେ ଜିମ୍ବାଓ୍ବେ

ହୋବାର୍ଟ, ୨୨ା୧୦(ପି.ଟି.): ଜିମ୍ବାଓ୍ବେ ଏହାର କ୍ରିକେଟ ଇତିହାସରେ ପ୍ରଥମଥର ଟି୨୦ କ୍ରିକେଟ ବିଶ୍ୱକପ ସୁପର-୧୨ରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌ ‘ବି’ର ଅନ୍ତିମ ମ୍ୟାଚରେ ଏହି ଦଳ ୫ ଉଇକେଟରେ ସ୍କଟଲାଣ୍ଡକୁ ହରାଇ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି। କେବଳ ସେତିକି ନୁହେଁ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜକୁ ପଛରେ ପକାଇ ଜିମ୍ବାଓ୍ବେ ଗ୍ରୁପ୍‌ ‘ବି’ର ନମ୍ବର ଓ୍ବାନ ଦଳ ହେବାର ସୌଭାଗ୍ୟ ପାଇଛି। ଦ୍ରୁତ ବୋଲର ଟେଣ୍ଡାଇ ଚତରାଙ୍କ ଚମତ୍କାର ବୋଲିଂ (୪-୧-୧୪-୨) ବଳରେ ଜିମ୍ବାଓ୍ବେ ପ୍ରତିପକ୍ଷ ସ୍କଟଲାଣ୍ଡକୁ ୨୦ ଓଭରରେ ୧୩୨/୬ ମଧ୍ୟରେ ସୀମିତ ରଖିଥିଲା। ଜିମ୍ବାଓ୍ବେର ପ୍ରଥମ ବୋଲରଭାବେ ଚତରା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ୫୦ ଉଇକେଟ ମଧ୍ୟ ପୂରଣ କରିଥିଲେ। ବାମହାତୀ ପେସର ରିଚାର୍ଡ ଏନ୍‌ଗର୍ଭା ମଧ୍ୟ ୨୮ ରନରେ ୨ଟି ଉଇକେଟ ନେଇ ସ୍କଟଲାଣ୍ଡର ବିପର୍ଯ୍ୟୟ ଘଟାଇଥିଲେ। ସ୍କଟଲାଣ୍ଡ ପକ୍ଷରୁ ଜର୍ଜ ମୁନ୍‌ସେ ସର୍ବାଧିକ ୫୪ ରନ କରିଥିଲେ। ପରେ ଅଧିନାୟକ କ୍ରେଗ୍‌ ଇର୍ଭିନଙ୍କ ଅର୍ଦ୍ଧଶତକ ବଳରେ ଜିମ୍ବାଓ୍ବେ ୧୩୩ ରନର ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ଇର୍ଭିନ ୫୮ ଓ ସିକନ୍ଦର ରାଜା ୪୦ ରନକରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଗୋଟିଏ ଉଇକେଟ ନେବାସହ ମାତ୍ର ୨୩ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୪୦ ରନକରି ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଇଥିବାରୁ ସିକନ୍ଦର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ୧୯ତମ ଓଭରରେ ର଼୍ୟାନ ବୁର୍ଲ ବିଜୟ ସୂଚକ ଶଟ୍‌ ମାରିବା ସହ ଜିମ୍ବାଓ୍ବେ ଶିବିର ଏବଂ ପ୍ରଶଂସକଙ୍କ ମହଲରେ ଉତ୍ସବ ପରିବେଶ ସୃଷ୍ଟି ହୋଇଥିଲା।
ସଂକ୍ଷିପ୍ତ ସ୍କୋର
ସ୍କଟଲାଣ୍ଡ ୨୦ ଓଭରରେ ୧୩୨/୬ (ଜର୍ଜ ମୁନ୍‌ସେ-୫୪, କାଲୁମ ମ୍ୟାକଲଡ-୨୫, ଟେଣ୍ଡାଇ ଚତରା-୨/୧୪, ରିଚାର୍ଡ ଏନ୍‌ଗର୍ଭା-୨/୨୮, ବ୍ଲେସିଂ ମୁଜାରାବାନି-୧/୩୪, ସିକନ୍ଦର ରାଜା-୧/୨୦)। ଜିମ୍ବାଓ୍ବେ ୧୮.୩ ଓଭରରେ ୧୩୩/୫ (କ୍ରେଗ୍‌ ଇର୍ଭିନ-୫୮, ସିକନ୍ଦର ରାଜା-୪୦, ଜୋଶ୍‌ ଡାଭେ-୨/୧୬, ବ୍ରାଡ୍‌ ହ୍ବିଲ-୧/୨୬, ମାର୍କ ଓ୍ବାଟ-୧/୧୯, ମାଇକେଲ ଲିଆସକ-୧/୩୬)।

Share