Categories: ଖେଳ

ନେଦରଲାଣ୍ଡ୍ସକୁ ୧ ରନରେ ହରାଇଲା ଜିମ୍ବାଓ୍ବେ

ହରାରେ, ୨୫ା୩ (ଏପି): ନେଦରଲାଣ୍ଡ୍ସ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ଜିମ୍ବାଓ୍ବେ ଅନ୍ତିମ ବଲ୍‌ରେ ୧ରନରେ ଜିତିନେଇଛି। ଏଥିସହିତ ଦଳର ସିରିଜ ୧-୧ରେ ବରାବର ସ୍ଥିତିକୁ ନେଇ ଆସିଛି। ହରାରେ ସ୍ପୋଟର୍‌ସ କ୍ଲବଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ୪୯.୨ ଓଭରରେ ସମସ୍ତ ଉଇକେଟ ହରାଇ ୨୭୧ ରନ କରିଥିଲା। ଦଳ ପକ୍ଷରୁ ସିନ୍‌ ଓ୍ବିଲିୟମ୍ସ ୭୭, କ୍ଲାଇଭ୍‌ ମଣ୍ଡାଡେ ୫୨, ଓ୍ବେସ୍‌ଲି ମାଧେଭିରେ ୪୩ ରନ କରିଥିଲେ। ନେଦରଲାଣ୍ଡ୍ସ ତରଫରୁ ସବୁଠାରୁ ସଫଳ ବୋଲର ସାରିଜ ଅହମଦ ୪୩ରନ ବିନିମୟରେ ୫ଉଇକେଟ ଅକ୍ତିଆର କରିଥିଲେ। ୨୭୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନେଦରଲାଣ୍ଡ୍ସ ନିର୍ଦ୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୨୭୦ ରନ କରିପାରିଥିଲା। ଦଳ ପକ୍ଷରୁ ମାକ୍ସ ଓଡୋଡ୍‌ ୮୧ ଓ ଟମ୍‌ କୁପର ୭୪ରନ କରିଥିଲେ। ଜିମ୍ବାଓ୍ବେ ପକ୍ଷରୁ ସିକନ୍ଦର ରାଜା ୩ ଏବଂ ଓ୍ବେସ୍‌ଲି ମାଧଭେରେ ହ୍ୟାଟ୍ରିକ ସହ ୩ ଉଇକେଟ ଅକ୍ତିଆର କରିଥିଲେ ା ଦଳର ୩ଜଣ ବ୍ୟାଟର ରନଆଉଟ ହୋଇଥିଲେ। ହରାରେ ସ୍ପୋଟର୍‌ସ କ୍ଲବଠାରେ ଦୁଇ ଦଳ ମଧ୍ୟରେ ରୋମାଞ୍ଚକ ଭାବେ ଶେଷ ହୋଇଥିବା ଏହା ହେଉଛି ଆଉ ଏକ ମ୍ୟାଚ। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ ନେଦରଲାଣ୍ଡ୍ସ ଗୋଟିଏ ବଲ୍‌ ବାକିଥାଇ ମ୍ୟାଚ ଜିତିଥିଲା।

Share