Categories: ଖେଳ

ଜିମ୍ବାଓ୍ବେର ରୋମାଞ୍ଚକ ବିଜୟ: ପାକିସ୍ତାନର ଆଗାମୀ ଯାତ୍ରା କଷ୍ଟକର

ପର୍ଥ,୨୭।୧୦: ପର୍ଥଠାରେ ଗୁରୁବାର ଖେଳାଯାଇଥିବା ସୁପର-୧୨ର ୨୪ତମ ମ୍ୟାଚରେ ପାକିସ୍ତାନକୁ ୧ ରନ୍‌ରେ ପରାସ୍ତ କରି ଜିମ୍ବାଓ୍ବେ ରୋମାଞ୍ଚକ ବିଜୟ ହାସଲ କରିଛି। ଚଳିତ ବିଶ୍ବକପରେ କ୍ରମାଗତ ଭାବେ ପାକିସ୍ତାନର ଏହା ଦ୍ୱିତୀୟ ପରାଜୟ। ପ୍ରଥମ ମ୍ୟାଚରେ ପାକିସ୍ତାନ ଭାରତଠାରୁ ପରାସ୍ତ ହୋଇଥିଲା। ଲଗାତାର ୨ଟି ପରାଜୟ ପରେ ଏବେ ପାକିସ୍ତାନ ପାଇଁ ଆଗକୁ ବଢିବା କଷ୍ଟକର ହୋଇପଡ଼ିଛି।

ଜିମ୍ବାଓ୍ବେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୩୦ ରନ୍‌ କରିଥିଲା । ଦଳ ପକ୍ଷରୁ ସିନ ଓ୍ବିଲିୟମ୍‌ସନ ସର୍ବାଧିକ ୩୧ ରନ୍‌ କରିଥିଲେ।

୧୩୧ ରନ୍‌ର ସହଜ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଓପନର ମହମ୍ମଦ ରିଜଓ୍ବାନ ଏବଂ ଅଧିନାୟକ ବାବର ଆଜମ୍‌ ଫେଲ୍‌ ମାରିଥିଲେ। ବାବର ଆଜମ୍‌ ୪ ରନ୍‌ କରିଥିବା ବେଳେ ମହମ୍ମଦ ରିଜଓ୍ବାନ ୧୪ ରନ୍‌ କରିଥିଲେ। ସାନ ମାସୁଦ ଧର୍ଯ୍ୟର ସହ ବ୍ୟାଟିଂ କରି ୪୪ ରନ୍‌ କରିଥିଲେ। ହେଲ ଫେଲ ମାରିଥିଲେ ମିଡିଲଅଡ୍‌ର। ପାକିସ୍ତାନକୁ ଶେଷ ଓଭରରେ ଜିତିବା ପାଇଁ ୧୧ ରନ୍‌ ଦରକାର ରହିଥିଲା। କ୍ରିଜ୍‌ରେ ଥିଲେ ମହମ୍ମଦ ନୱାଜ ଏବଂ ମହମ୍ମଦ ୱାସିମ। ବ୍ରାଡ ଇଭାନ୍ସଙ୍କ ହାତରେ ରହିଥିଲା ବଲ। ପ୍ରଥମ ବଲରେ ନୱାଜ ୩ ରନ୍‌ ହାସଲ କରିଥିବା ବେଳେ ଦ୍ୱିତୀୟ ବଲରେ ୱାସିମ ଚୌକା ମାରିଥିଲେ। ତୃତୀୟ ବଲରେ ୧ ରନ୍‌ ନେବା ପରେ ନୱାଜ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ୪ର୍ଥ ବଲରେ ସେ କୌଣସି ରନ୍‌ କରିପାରି ନ ଥିଲେ। ୨ ବଲରେ ୩ ରନ୍‌ ଆବଶ୍ୟକ ଥିବା ପଞ୍ଚମ ବଲ୍‌ରେ ନୱାଜ ଆଉଟ୍‌ ହୋଇଯାଇଥିଲେ। ଶେଷ ବଲ ସାମ୍ନା କରିବାକୁ ଆସିଥିଲେ ଶାହୀନ ଆଫ୍ରିଦି। ଜିତିବାକୁ ୩ ରନ୍‌ ଦରକାର ଥିବା ବେଳେ ଆଫ୍ରିଦି ସିଧା ଏକ ସଟ୍‌ ମାରିଥିଲେ। ସେ ଦୁଇ ରନ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ରନ୍‌ ଆଉଟ ହୋଇଯାଇଥିଲେ। ଫଳରେ ଜିମ୍ବାୱେ ୧ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି।

Share