ନୂଆଦିଲ୍ଲୀ,୨୨।୮: ଫୁଡ୍ ଡେଲିଭରି ଆପ୍ ଜୋମାଟୋ ବିଜ୍ଞାପନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ ଦ୍ୱାରା କରାଯାଇଥିବା ଜୋମାଟୋ ଆଡ୍କୁ ମଧ୍ୟପ୍ରଦେଶ ଉଜୈନ ମହାକାଳେଶ୍ୱର ମନ୍ଦିର ପୂଜକ ବିରୋଧ କରିଛନ୍ତି। ମହାକାଳରୁ ଖାଇବା ଅର୍ଡର କରୁଥିବାର ହ୍ରିତିକ୍ ଏହି ଆଡ୍ରେ କହୁଛନ୍ତି। ତେବେ ଏଥିରେ ବ୍ୟବହୃତ ମହାକାଳ ଶବ୍ଦ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଉଥିବା ମହାକାଳେଶ୍ୱର ମନ୍ଦିର ପୂଜକ ଦାବି କରିଛନ୍ତି। କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୂଜକମାନେ ଉଜୈନ ଜିଲାପାଳ ଆଶିଷ ସିଂଙ୍କୁ ଅନୁରୋଧ କରିଛନ୍ତି। ଆଶିଷ ସିଂ ମହାକାଳ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି। ଆଡ୍କୁ ବିରୋଧ କରାଯିବା ପରେ ଜମାଟୋ କମ୍ପାନୀ କ୍ଷମା ମାଗିବା ସହ ଏହାକୁ ତୁରନ୍ତ ହଟାଇ ଦିଆଯିବ ବୋଲି କହିଛନ୍ତି। କମ୍ପାନୀ ମତରେ ବିଜ୍ଞାପନରେ ଯେଉଁ ମହାକାଳ ଶବ୍ଦ ବ୍ୟବହାର କରାଯାଇଛି ତାହା ସ୍ଥାନୀୟ ଅଞ୍ଚଳରେ ଥିବା ମହାକାଳ ରେଷ୍ଟୁରାଣ୍ଟ ଉଦ୍ଦେଶ୍ୟରେ କୁହାଯାଇଛି। କୌଣସି ଧର୍ମୀୟ ବିଶ୍ୱାସକୁ ଆଘାତ ଦେବା ଆମ ଉଦ୍ଦେଶ୍ୟ ନୁହେଁ ବୋଲି ଜୋମାଟୋ କହିଛି। ତେବେ ଏ ମାମଲାର ତଦନ୍ତ କରିବା ପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି।