ବେଗୁନିଆପଡ଼ା,୧୭।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକସ୍ଥିତ ବାପୁଜୀ ଷ୍ଟାଡିୟମଠାରେ ୩ଟି ବ୍ଲକର ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶନିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।
ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗୀରଥି ସ୍ବାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ବ୍ଲକ ବିଡିଓ, ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ବହୁ କ୍ରୀଡ଼ାବିତ୍ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ପୁରୁଷୋତ୍ତମପୁର, ଖଲ୍ଲିକୋଟ ଓ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ହାଇସ୍କୁଲର ୩୦୦ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିବା ଜଣାପଡିଛି।
୨ ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ୨ଟି ପର୍ଯ୍ୟାୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ୫୫ ଜଣ ଖେଳ ନିରୀକ୍ଷକ ଏହି ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି। ପ୍ରତିଯୋଗିତାରୁ ଉନ୍ନୀତ ହେବା ପରେ ୧୭ ବର୍ଷରୁ ଊଦ୍ଧର୍ବ ଖେଳାଳି ଜିଲାସ୍ତରୀୟ ସୁପର୍ ସିନିୟର କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ମିଳିଛି। ଅନ୍ୟପଟେ ୧୩ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍। ଭୁବନେଶ୍ବର ଓ ରାଉରକେଲାରେ ହେବାକୁ ଥିବାରୁ ହକିକୁ ପଞ୍ଚାୟତ ଏବଂ ବ୍ଲକସ୍ତରରେ ପ୍ରୋତ୍ସାହିତ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଅଂଶ ବିଶେଷ ବୋଲି କହିଛନ୍ତି ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ।