Categories: ଜାତୀୟ

ନିର୍ବାଚନରେ ପରାଜୟ: ୩୩ ବର୍ଷ ପରେ ଏମ୍‌ଏନ୍‌ଏଫ୍‌ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଜୋରାମଥାଙ୍ଗା

ଆଇଜଲ,୬।୧୨: ମିଜୋରାମ ବିଧାନସଭା ନିର୍ବାଚନରେ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌)ର ପରାଜୟ ପରେ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା। ୩୩ ବର୍ଷ ଧରି ଦଳ ସହ କାର୍ଯ୍ୟ କରିବା ପରେ ସେ ମଙ୍ଗଳବାର ଏମ୍‌ଏନ୍‌ଏଫ୍‌ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

୭୯ ବର୍ଷୀୟ ଜୋରାମଥାଙ୍ଗା ଏନେଇ ଦଳର ବରିଷ୍ଠ ଉପାଧ୍ୟକ୍ଷ ତାଉନଲୁଇଆଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି, ଏମ୍‌ଏନ୍‌ଏଫ୍‌ ବିଧାନସଭା ନିର୍ବାଚନ ଜିତି ପାରିଲା ନାହିଁ। ଏଥିଲାଗି ଦଳର ଅଧ୍ୟକ୍ଷ ଭାବେ ମୁଁ ନୈତିକ ଦାୟିତ୍ୱ ନେଉଛି ଏବଂ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି। ତେବେ ସେ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେବାକୁ ଅନୁରୋଧ କରିଛନ୍ତି।

ଜୋରାମଥାଙ୍ଗା ୧୯୯୦ରେ ଏମଏନ୍‌ଏଫ୍‌ ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ସେ ଲାଲଡେଙ୍ଗାଙ୍କଠାରୁ ଏହି ଦାୟିତ୍ୱ ନେଇଥିଲେ। ଏହାପରେ ସେ ୩ ଥର ମିଜୋରାମର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ବୁଧବାର ଏମ୍‌ଏନ୍‌ଏଫ୍‌ର ଏକ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଜୋରାମଥାଙ୍ଗାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯିବ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Share