ଗତ ଜାନୁୟାରୀରୁ ପ୍ରାୟ ୫୩ କୋଟି ଫେସ୍ବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବ୍ସାଇଟରେ ମାଗଣା ଉପଲବ୍ଧ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ବ୍ୟକ୍ତିଗତ ଫୋନ୍ ନମ୍ବର ସହ ଅନ୍ୟାନ୍ୟ ଡାଟା ମଧ୍ୟ ପ୍ରଘଟ ହୋଇଥିବା ସାଇବର ସିକ୍ୟୁରିଟି ରିସର୍ଚ୍ଚର ଡେଭ୍ ଓ୍ବାକର କହିଛନ୍ତି। ଆମେରିକାର ପ୍ରାୟ ୩.୨ କୋଟି ୟୁଜର୍ସଙ୍କ ଡାଟା ଲିକ୍ ହୋଇଥିବାବେଳେ ସେଥିରେ ଜୁକରବର୍ଗଙ୍କ ବ୍ୟକ୍ତିଗତ ତଥ୍ୟ ରହିଛି। ନିକଟରେ ‘ବିଜ୍ନେସ୍ ଇନ୍ସାଇଡର’ ଓ୍ବେବସାଇଟ୍ରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୦୬ଟି ଦେଶର ପ୍ରାୟ ୫୩ କୋଟି ଫେସ୍ବୁକ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଥିବାବେଳେ ଫେସ୍ବୁକ୍ ଏହାକୁ ‘ପୁରୁଣା ଘଟଣା’ ବୋଲି କହିଛି।