Categories: ଜାତୀୟ

ଖୁବ୍‌ଶୀଘ୍ର ପିଲାଙ୍କୁ ଦିଆଯିବ ଟିକା: ୧ କୋଟି ଡୋଜ୍‌ କିଣିବେ ସରକାର

ନୂଆଦିଲ୍ଲୀ,୭।୧୧: ଭାରତରେ ପିଲାମାନଙ୍କୁ ଖୁବ୍‌ଶୀଘ୍ର କରୋନା ଟିକା ଦିଆଯିବ। ୧୨ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଅହମ୍ମଦାବାଦ ସ୍ଥିତ କମ୍ପାନୀ ଜାୟଡସ କାଡିଲା ଠାରୁ ତିନି ଡୋଜ ଟିକା ‘ଜାଇକୋଭ-ଡି’ର ୧ କୋଟି ଡୋଜ କ୍ରୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହି ଟିକା ଚଳିତ ମାସରେ ଜାତୀୟ ଆଣ୍ଟି-କରୋନାଭାଇରସ ଟିକାକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହେବ।
କମ୍ପାନୀ ଅଧିକାରୀମାନେ ମନ୍ତ୍ରଣାଳୟକୁ କହିଛନ୍ତି ଯେ, ଜାୟଡସ କାଡିଲା ମାସକୁ ୧ କୋଟି ଡୋଜ ଜାଇକୋଭ-ଡି ଯୋଗାଇବା ସ୍ଥିତିରେ ଅଛନ୍ତି। ୨୮ ଦିନର ବ୍ୟବଧାନରେ ତିନୋଟି ଡୋଜ ଦିଆଯିବ । ଦ୍ୱିତୀୟ ଡୋଜ ପ୍ରଥମ ଡୋଜର ୨୮ ଦିନ ପରେ ଏବଂ ତୃତୀୟଟି ୫୬ ଦିନ ପରେ ଦିଆଯିବ। ଦେଶରେ ବିକଶିତ ହୋଇଥିବା ଏହା ହେଉଛି ବିଶ୍ୱର ପ୍ରଥମ ଟିକା, ଯାହା ଡିଏନଏ ଆଧାରିତ ଏବଂ ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ। ଅଗଷ୍ଟ ୨୦ରେ ଡ୍ରଗ ରେଗୁଲେଟର (ଡିସିଜିଆଇ) ଦ୍ୱାରା ଜରୁରୀକାଳୀନ ବ୍ୟବହାର ପାଇଁ ଜାଇକୋଭ-ଡି ଅନୁମୋଦନ କରାଯାଇଥିଲା।

Share