ଅଗ୍ନିକାଣ୍ଡ ନିବାରଣରେ ଛେଳି-ସେନା

ଡ. ନିଖିଳାନନ୍ଦ ପାଣିଗ୍ରାହୀ
ପର୍ତ୍ତୁଗାଲ ସରକାର ଜାତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପାଇନ ଓ ୟୁକାଲିପଟାସ ଜଙ୍ଗଲ ଦେଶର କେନ୍ଦ୍ର ଓ ଉତ୍ତରାଞ୍ଚଳ ଏବଂ ପାର୍ବତ୍ୟ ଇଲାକାରେ ସୃଷ୍ଟି କରୁଛନ୍ତି। ଏହି ଗଛଗୁଡ଼ିକରୁ ଲାଭଜନକ କାଗଜମଣ୍ଡ ପ୍ରସ୍ତୁତ କରାଯାଇପାରୁଥିଲେ ସୁଦ୍ଧା ଏଗୁଡ଼ିକ ଦହନଶୀଳ। ଫଳରେ ଅଗ୍ନିକାଣ୍ଡଜନିତ କ୍ଷୟକ୍ଷତିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ମଧ୍ୟରେ ରହିଛି ଛେଳି-ସେନା। ତେବେ ଏହି କାର୍ଯ୍ୟ ସକାଶେ ଛେଳିକୁ ନିର୍ବାଚନ କରିବାର କାରଣ କ’ଣ? ଛେଳିର ଗୁଣାବଳୀ ବିଚାର୍ଯ୍ୟ। ଏହି ବୁଦ୍ଧିମାନ ଜୀବଟି ତା’ର ସାଙ୍ଗସାଥିଙ୍କୁ ସେମାନଙ୍କ ସ୍ବରରୁ ଚିହ୍ନିପାରେ। ସେ ସତତ ଚଳଚଞ୍ଚଳ। ତାକୁ ଅଟକାଇ ରଖିବା ସହଜ ନୁହେଁ। ଯଦି ବାଡ଼ରେ ସାମାନ୍ୟ ଗଳାବାଟ ଦେଖେ କିମ୍ବା ଦୁର୍ବଳ ଭାଗ ତା’ ନଜରରେ ପଡ଼େ, ସେ ତତ୍‌କ୍ଷଣାତ୍‌ ବାହାରକୁ ଗଳି ବା ଡେଇଁ ଚାଲିଯାଏ। ବିଭିନ୍ନ ବିଷୟରେ ସେ ଅନୁସନ୍ଧିତ୍ସୁ। ତେଣୁ ଚାରିଆଡ଼େ ବୁଲାବୁଲି କରେ। ଏପରିକି ବିଭିନ୍ନ ଦ୍ରବ୍ୟ, ଖାଦ୍ୟ ହେଉ ବା ଅଖାଦ୍ୟ, ସେ ପାଟିରେ ପୂରାଇ ପରୀକ୍ଷା କରେ। ଖାଦ୍ୟତକ ଗ୍ରହଣ କରେ ଏବଂ ଅଖାଦ୍ୟକୁ ଅକ୍ଷତ ଭାବେ ପାଟିରୁ ଫୋପାଡି ଦିଏ, ଅଇଁଠା କରି। ଜନ୍ମରୁ ତା’ର ଦାନ୍ତ ଉଠିଥାଏ। ତା’ର ଉପର ପାଟିରେ ଦାନ୍ତ ନ ଥାଏ। ଉପର ପାଟିର ଟାଣ ମାଢ଼ି ସହାୟତାରେ ଘଣ୍ଟା ଘଣ୍ଟା ଧରି ଖାଦ୍ୟଦ୍ରବ୍ୟ ପାକୁଳିଥାଏ। ତା’ର ହଜମ ପ୍ରଣାଳୀ ଜଟିଳ।
ବିପଦସଙ୍କୁଳ ହୋଇଥିଲେ ମଧ୍ୟ ଛେଳି ଗଛର ଦୁର୍ବଳ ଡାଳର ଶିଖର ଯାଏ ନିର୍ବିଘ୍ନରେ ଚଢ଼ିଯାଏ। ଏହା ସାହସିକତାର ଏକ ଲକ୍ଷଣ ବୋଲି କୁହାଯାଇପାରେ, ଯଦିଚ ତାହାର ଅନ୍ୟ କେତେକ ଗୁଣ ଭୀରୁତାର ଚରମ ନିଦର୍ଶନ। ଯଥା ବର୍ଷା ଆସିବା ସୂଚନା ପାଇବା ମାତ୍ରେ ସେ ନିକଟସ୍ଥ କୌଣସି ସ୍ଥାନକୁ ଦୌଡ଼ିଯାଇ ଆଶ୍ରୟ ନିଏ। ପାଣି ଓ କାଦୁଅକୁ ସେ ଅତ୍ୟନ୍ତ ଭୟ କରେ।
ବଡ଼ମ୍ବନା ହେଉଛି ଯେ, ଫାୟାର ଷ୍ଟେଶନ କର୍ତ୍ତୃପକ୍ଷ ପାଇଁ ପାଣି ଅପରିହାର୍ଯ୍ୟ ହୋଇଥିବା ବେଳେ ସେମାନେ ଛେଳିକୁ ସହାୟକ ଭାବେ ଗ୍ରହଣ କରିଛନ୍ତି, ଯିଏକି ପାଣିକୁ ଡରେ। ତେବେ ଛେଳି ବଦଳରେ ମେଣ୍ଢାକୁ କାହିଁକି ବଛା ଗଲାନି? ମେଣ୍ଢା ପର୍ତ୍ତୁଗାଲର କର୍ତ୍ତୃପକ୍ଷଙ୍କ ପାଇଁ ଅନୁପଯୋଗୀ, କାରଣ ମେଣ୍ଢାମାନେ ଦଳ ବାନ୍ଧି ଗୋଟିଏ ଜାଗାରେ ଖୁନ୍ଦି ହୋଇ ରୁହନ୍ତି। ସେମାନେ ସ୍ବାଧୀନଚେତା ନୁହନ୍ତି। ପରସ୍ପରଠାରୁ ଛଡ଼ାଛଡ଼ି ହୋଇ ଦୂରଦୂରାନ୍ତକୁ ଯାଇପାରନ୍ତି ନାହିଁ। ସେମାନେ ଭୀରୁ। କିନ୍ତୁ ଛେଳି (ଏପରିକି ମାଈ ଛେଳି)ଗୁଡ଼ିକର ଶିଙ୍ଗ ଥାଏ। ତା’ ଛଡା କେବଳ ଅଣ୍ଡିରା ନୁହେଁ, ମାଈ ଛେଳିର ମଧ୍ୟ ଦାଢ଼ି ଅଛି, ଯଦିଚ ଏହା କାର୍ଯ୍ୟତଃ କୌଣସି କାମରେ ଆସି ନ ଥାଏ। କେବଳ ସୌନ୍ଦର୍ଯ୍ୟ ଓ ବଳଶାଳୀ ହୋଇଥିବାର ପ୍ରତୀକ ବ୍ୟତୀତ।
ପ୍ରଶ୍ନ ଉଠୁଛି: ଅଗ୍ନିକାଣ୍ଡ ପ୍ରତିହତ କରିବାକୁ ଛେଳିର ବାସ୍ତବ କ୍ଷେତ୍ରରେ ଭୂମିକା କ’ଣ? ପର୍ତ୍ତୁଗାଲରେ ପାଇନ ଓ ୟୁକାଲିପଟାସ ଗଛର କୃତ୍ରିମ ବନ ମୁନାଫା ପାଇଁ ସୃଷ୍ଟି କରାଯାଉଛି। ଏଗୁଡ଼ିକ ଦହନଶୀଳ ଓ ଖୁବ୍‌ ଲମ୍ବା। ଯେତେବେଳେ ବର୍ଷା ଆସେ, ସେଠାକାର ଜଳବାୟୁର ଉଚ୍ଚ ତାପ ଯୋଗୁ ବର୍ଷାଟୋପା ଭୂଇଁ ଛୁଇଁବା ଆଗରୁ ବାଷ୍ପ ହୋଇ ପୁଣି ବାୟୁମଣ୍ଡଳକୁ ଊର୍ଦ୍ଧ୍ୱ ଗତିକରେ। କିନ୍ତୁ ସେଥି ସହ ସଂଲଗ୍ନ ବଜ୍ର ବା ବିଜୁଳି ଉଚ୍ଚା ପାଇନ ଗଛକୁ ସ୍ପର୍ଶ କରି ଭୂମିରେ ପହଞ୍ଚିଥାଏ। ତେବେ ବର୍ଷାପାଣି ଭୂମିରେ ପଡୁ ନ ଥିବାରୁ ଭୂମି ଶୁଷ୍କ ଥାଏ। ବଣର ଚତୁର୍ଦ୍ଦିଗରେ ଏହାର ଦହନ ଉପଯୋଗୀ ଶୁଖିଲା ପତ୍ର ବିଛାଡି ହୋଇ ପଡ଼ିଥାଏ। ତେଣୁ ଉକ୍ତ ଶୁଖିଲା ବଜ୍ରପାତ (ଡ୍ରାଏ ଥଣ୍ଡରଷ୍ଟର୍ମ) ଦ୍ୱାରା ବଣରେ ସହଜରେ ନିଆଁ ଧରିଥାଏ। ସାଧାରଣତଃ ସେଠାରେ ବାୟୁର ବେଗ ତୀବ୍ର ଥିବାରୁ ଅଗ୍ନି ଚତୁର୍ଦ୍ଦିଗକୁ ବ୍ୟାପିଯାଏ।
ଏହି ଅଗ୍ନ୍ୟୁତ୍ପାତକୁ ପ୍ରତିହତ କରିବା ପାଇଁ ଜଙ୍ଗଲକୁ ସଫା ରଖିବା ନିହାତି ଆବଶ୍ୟକ। ଛେଳିର ସ୍ବଭାବକୁ ଏହା ଖୁବ୍‌ ସୁହାଇବ। ସେ ବୁଲି ବୁଲି ବହୁ ଜାଗାକୁ ମାଡ଼ି ଚାଲେ। ଗଛ ଶିଖର ଯାଏ ଚଢ଼ିଯାଏ। ମୁହଁରେ ଯାହା ପଡେ ଖାଏ। ଘାସ ହେଉ ବୁଦା ବା ଗଛ- ସବୁ ତା’ ପାଇଁ ଲୋଡ଼ା। ତା’ର ହଜମ ଶକ୍ତି ମଧ୍ୟ ପ୍ରବଳ। ତା’ର ଏହି ଗୁଣ ପାଇଁ ଅନେକ ବ୍ୟକ୍ତି ଯନ୍ତ୍ର ବଦଳରେ ତାକୁ ଲନ୍‌-ମୋଏର୍‌ ଭାବେ ଉପଯୋଗ କରନ୍ତି ଘର ପାଖରେ ଥିବା ବଗିଚାର ଘାସକୁ ଛୋଟ ଛୋଟ କରି ଆଚ୍ଛାଦିତ କରିବା ସକାଶେ।
ନେଦରଲାଣ୍ଡସ୍ଥିତ ଓ୍ବାଗେନିଜେନ ବିଶ୍ୱବିଦ୍ୟାଳୟର ପରିବେଶବିଜ୍ଞାନୀ ପ୍ରଫେସର କାଥେଲିନେ ଷ୍ଟୁଫ ପର୍ତ୍ତୁଗାଲର କ୍ରମବର୍ଦ୍ଧିଷ୍ଣୁ ଅଗ୍ନିକାଣ୍ଡ ସମ୍ପର୍କରେ ଅନୁଧ୍ୟାନ କରି ପ୍ରକାଶ କରିଛନ୍ତି ଯେ, ପୂର୍ବେ ସେଠାକାର ଗାଁଗୁଡ଼ିକର ଜନସଂଖ୍ୟା ସ୍ବାଭାବିକ ଥିଲା। ସେମାନଙ୍କ ଗୃହପାଳିତ ପଶୁ ବଣ-ଜଙ୍ଗଲରେ ଚରି ଗଛ, ପତ୍ର, ଘାସ ଇତ୍ୟାଦି ଖାଇ ସଫା କରୁଥିଲେ। ତେଣୁ ବଣରେ ନିଆଁ ଲାଗିଲେ ତାହା ଗାଁ ଆଡକୁ ବ୍ୟାପି ନ ଯାଇ ଜଙ୍ଗଲ ଭିତରେ ହିଁ ସୀମିତ ରହୁଥିଲା। କିନ୍ତୁ ବର୍ତ୍ତମାନ ଗ୍ରାମୀଣ ଅଞ୍ଚଳ ଜନଶୂନ୍ୟ ହେଲାଣି। ଲୋକମାନେ ଚାକିରି, ଉଚ୍ଚଶିକ୍ଷା ଓ ଉନ୍ନତ ଜୀବନଯାପନ ପାଇଁ ସହରମୁହାଁ। ତେଣୁ ଶୁଷ୍କ ପତ୍ର ଓ ଅନାବନା ଘାସ, ଗଛ ଇତ୍ୟାଦି ପରିପାର୍ଶ୍ୱରେ ଏତେ ବଢ଼ିଗଲାଣି ଯେ ଗାଁ ଓ ଜଙ୍ଗଲ ମଧ୍ୟରେ ଖାଲି ବା ସଫା ଅନ୍ତବର୍ତ୍ତୀ ସ୍ଥାନ ରହୁନାହିଁ, ଯାହାକି ଫାୟାରବ୍ରେକ ଭାବେ କାର୍ଯ୍ୟ କରିଥାନ୍ତା। ଫଳରେ ବଣ-ନିଆଁ ଗାଁରେ ପଶି ପ୍ରଭୂତ କ୍ଷତି ଘଟାଉଛି। ଗ୍ରାମଗୁଡ଼ିକୁ ଅଧିକ ଶ୍ରୀହୀନ କରିଦେଉଛି। ଏହି ଅଭାବନୀୟ ସ୍ଥିତିର ସମାଧାନ ପାଇଁ ସେଠାକାର ଅଗ୍ନିଶମ ବିଭାଗ ଛେଳିପଲ ନିଜ ତରଫରୁ ସଂଗଠିତ କରିଛି। ମେଷପାଳକମାନଙ୍କୁ ନିଜ ବିଭାଗରେ ନିଯୁକ୍ତ କରିଛି।
ଅଗ୍ନିଯୁଦ୍ଧରେ ବିଜୟ ପାଇଁ ଛେଳିଗୁଡ଼ିକ ନିରଳସ ପଦାତିକ ସୈନିକ ପରି କାର୍ଯ୍ୟ କରୁଛନ୍ତି। ତେଣୁ ପଡ଼ୋଶୀ ସ୍ପେନର ଗିରୋନା ଅଞ୍ଚଳରେ ଏଇ ଛେଳିଗୁଡ଼ିକୁ ‘ଗୋଟ୍‌-ଫାୟାର ବ୍ରିଗେଡ’ର ଆଖ୍ୟା ଦିଆଯାଇଛି।
ବାସ୍ତବିକ ଏହି ଛେଳିଗୁଡ଼ିକ ଡଗ୍‌ ସ୍କ୍ବାଡ୍‌ ପରି ଗୋଟ୍‌-ସ୍କ୍ବାଡ୍‌ର ସଦସ୍ୟ। ସେମାନେ ଯୋଦ୍ଧା। ଯୁଦ୍ଧରେ ପ୍ରାଣ ହରାଇଲେ ସେମାନେ ଶହୀଦ ହେବା ପାଇଁ ଯୋଗ୍ୟ। ଆମେ ସାଧାରଣତଃ ଛେଳିମାଂସରେ ବ୍ୟଞ୍ଜନ କରି ଜିହ୍ବାଲାଳସା ମେଣ୍ଟାଉଛୁ। କିନ୍ତୁ ଏବେ ତ ସେ ହେବ ଶହୀଦ। ସେ ବଣନିଆଁରେ ପୋଡ଼ି ମଲେ, ତାକୁ ମର୍ଯ୍ୟାଦାର ସହ କବର ଦେଇ, ତା’ର ପ୍ରତିମୂର୍ତ୍ତି ସ୍ଥାପନ କରିବା ଦରକାର। ଏହା ସ୍ମାରକୀ ହୋଇ ରହୁ। ଆମେ ତାକୁ ବିଭିନ୍ନ ଅବସରରେ ସଲାମ ଦେବା ଠିକ୍‌ ହେବ, ଯେମିତି ଯୁଦ୍ଧରେ ପ୍ରାଣବଳି ଦେଇ ମୃତ୍ୟୁବରଣ କରୁଥିବା ମାନବ-ସୈନ୍ୟଙ୍କୁ ସମ୍ମାନ ଦିଆଯାଉଛି।
ଆମେ ଛେଳିର ଗୁଣାବଳୀ ବିଷୟରେ ଊଣାଅଧିକେ ବେଶ୍‌ ଅବଗତ। କିନ୍ତୁ ଛେଳି ଯେ ବିନା ଜଳରେ ଅଗ୍ନିକାଣ୍ଡକୁ (ପରୋକ୍ଷ ଭାବେ) ପ୍ରତିହତ କରିପାରେ, ଏହା ବିଚିତ୍ର ମନେ ହେଲେ ମଧ୍ୟ ସତ କଥା।
ମୋ-୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri