ତିହିଡ଼ି, ୧୬।୭ (ଡି.ଏନ.ଏ.)- ଅଳ୍ପ ପୁଞ୍ଜି ଓ ସୀମିତ ଭିତ୍ତିଭୂମିରେ ଛତୁଚାଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସ୍ବାବଲମ୍ବୀ କରିପାରିବ। ଏଭଳି ବିଶ୍ୱାସ ନେଇ ୬ବର୍ଷ ତଳେ ସେ ଆରମ୍ଭ କରିଥିଲେ ଛତୁ ଚାଷ। ବର୍ଷକୁ ବର୍ଷ ଏହାର ଚାଷ ଓ ବେପାର ବଢ଼ିବାରୁ
ସେ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ସମର୍ଥ ହୋଇପାରିଛନ୍ତି। ଛତୁଚାଷ ତାଙ୍କ ଜୀବନର ଗତି ପରିସ୍ଥିତି ବଦଳାଇବାରେ ସହାୟତା କରିଛି ବୋଲି ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କମାରିଆ ଗ୍ରାମର ଯୁବ ଚାଷୀ ଉପେନ୍ଦ୍ର କୁମାର ବାରିକ(୨୮) କହିଛନ୍ତି।
୮ ଜଣ କୁଟୁମ୍ବଙ୍କୁ ନେଇ ତାଙ୍କ ପରିବାର। ୬ ବର୍ଷ ତଳେ ସେ ବେକାରୀ ଜୀବନ ବିତାଉଥିଲେ। ନା ମିଳୁଥିଲା କାମଧନ୍ଦା ନା ରୋଜଗାର କରିବାର କିଛି ଭିନ୍ନ ପନ୍ଥା। ବଞ୍ଚିବା ପାଇଁ ସେ ରାହା ଖୋଜୁଥିବା ବେଳେ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ପାର୍ଥସାରଥୀ ବେହୁରାଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ତାଙ୍କୁ ଛତୁଚାଷ କରିବା ଲାଗି ପ୍ରେରଣା ଦେଇଥିଲେ। ଏପରିକି ଚାଷର ପ୍ରଣାଳୀ ଓ କୌଶଳ ସମ୍ପର୍କରେ ଶିକ୍ଷା ଦେଇଥିଲେ। ସ୍ବଳ୍ପ ପୁଞ୍ଜିରେ ଛତୁଚାଷ କରିବା ସମ୍ଭବ ହେଉଥିବା ଜାଣି ଉପେନ୍ଦ୍ର ପ୍ରଥମେ ଅଳ୍ପ କିଛି ଜମିରେ ଚାଷ ଆରମ୍ଭ କରିଥିଲେ। ଚାଷରେ ନିପୁଣ ହେବା ପରେ ଅଧିକ ଜମିରେ ଚାଷ କରିଥିଲେ। ଏବେ ପ୍ରତିଦିନ ସେ ୫୦ରୁ ୭୦ କିଗ୍ରା ଛତୁ ଉତ୍ପାଦନ କରୁଛନ୍ତି। ପ୍ରଥମେ ଛତୁର ମାର୍କେଟିଂ କରିବା ପାଇଁ ସମସ୍ୟା ହୋଇଥିଲା। ପରେ ଏହାର ସମାଧାନ ହୋଇଯାଇଥିଲା। ନିଜକୁ ଛତୁଚାଷରେ ଅଧିକ କୁଶଳୀ କରିବାକୁ ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରୁ ତାଲିମ ନେଇଛନ୍ତି।
ଉପେନ୍ଦ୍ର କହନ୍ତି, ଅଧ୍ୟବସାୟ ଓ ଉଦ୍ୟମ ରହିଲେ ସବୁ କାର୍ଯ୍ୟ ସମ୍ଭବ। ସରକାରୀ ଭାବେ ଛତୁ ଚାଷୀଙ୍କୁ ସେଭଳି କିଛି ପ୍ରୋତ୍ସାହନ ମିଳୁ ନ ଥିବାରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଛତୁଚାଷ ପାଇଁ ପାଣିର ଆବଶ୍ୟକତା ଅଧିକ। ଏଥିଲାଗି ଗଭୀର ନଳକୂପ ବସାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ ସେ ଏଥିଲାଗି ସମର୍ଥ ହୋଇପାରିନାହାନ୍ତି। ସରକାରୀ ନଳକୂପରୁ ପାଣି ଆଣି ତେବେ ଚାଷରେ ବିନିଯୋଗ କରୁଛନ୍ତି। ଏଣୁ ଅଧିକ ଶ୍ରମ ସ୍ବୀକାର କରିବାକୁ ପଡୁଛି। ଜଳସେଚନ ସୁବିଧା ହେଲେ ସେ ଚାଷକୁ ଅଧିକ ବଢ଼ାଇପାରନ୍ତେ। କମାରିଆ ଓ ଆଖପାଖ ଅଞ୍ଚଳରେ ଜଣେ ଅଗ୍ରଣୀ ଛତୁଚାଷୀ ଭାବେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପାଠ ପଢ଼ିବା ପରେ ଚାକିରି ପଛରେ ନ ଗୋଡ଼ାଇ ବେକାର ଯୁବକମାନେ ଛତୁଚାଷ ଭଳି ସହାୟକ କୃଷି ପନ୍ଥାର ଆଶ୍ରୟ ନେଇ ଆଧୁନିକ ପ୍ରଣାଳୀରେ ଚାଷ କଲେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଉପେନ୍ଦ୍ର କହିଛନ୍ତି।