ଅକ୍ଟୋବର ୨୧ରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ରେ ପ୍ରକାଶ ପାଇଥିଲା। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ୧୦୫ ଆସନ ପାଇଥିବା ବେଳେ ନିର୍ବାଚନ ପୂର୍ବର ସହଯୋଗୀ ଏବଂ ହିନ୍ଦୁତ୍ୱ ଚିନ୍ତାଧାରାର ପ୍ରମୁଖ ଅଂଶୀଦାର ଶିବସେନା ପାଇଥିଲା ୫୬ ଆସନ। ଅପରପଟେ ବିରୋଧୀ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍୍ସିପି) ୫୪ ଆସନ ପାଇଥିବା ବେଳେ ୪୪ ଆସନ ଅକ୍ତିଆର କରିଥିଲା କଂଗ୍ରେସ। ଫଳାଫଳରୁ ସ୍ପଷ୍ଟ ବୁଝାପଡିଲା ଯେ, ସର୍ବାଧିକ ସଂଖ୍ୟା ପାଇଥିବା ସତ୍ତ୍ୱେ ମହାରାଷ୍ଟ୍ରର ଜନସାଧାରଣ ଭାଜପାକୁ ସଂଖ୍ୟାଗରିଷ୍ଠତା ଦେଇ ନ ଥିଲେ। କୁହୁକ ନମ୍ବର ୧୪୫ ଥିବା ବେଳେ ଭାଜପାର ଲୋକପ୍ରିୟତା ପ୍ରବଳ ମାତ୍ରାରେ ହ୍ରାସ ପାଇଥିଲା ବୋଲି ଫଳାଫଳରୁ ଜଣାପଡିଲା। ତା’ପରେ ରାଜନୈତିକ ଖେଳ ଆରମ୍ଭ ହେଲା। ଗଣତନ୍ତ୍ରର ସର୍ବନିମ୍ନ ମର୍ଯ୍ୟାଦା ରକ୍ଷା କରିବା ପାଇଁ କୌଣସି ପକ୍ଷରୁ ତିଳେମାତ୍ର ଉଦ୍ୟମ ହୋଇଥିବା ଭଳି ମନେହେଲା ନାହିଁ। ଗତ ୫ ବର୍ଷ ଶାସନ କରିଥିବା ଭାଜପା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ ଡହଳବିକଳ ହୋଇ କ୍ଷମତାରେ ରହିବାକୁ ଚେଷ୍ଟା କରୁଥିବା ବେଳେ ଯେତେ ପରିମାଣର ଅସାମ୍ବିଧାନିକ ସହଯୋଗ ହୋଇପାରେ, ତାହାସବୁ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାର ଦେବା ପାଇଁ ଆଗେଇ ଆସିଥିଲେ। ଯଦି ଭାଜପା ସରକାର କରିବ ନାହିଁ, ତେବେ ଅନ୍ୟକେହି ଗାଦିରେ ବସିବାର ପ୍ରୟୋଜନ ନାହିଁ। ଏହିଭଳି ବିଶ୍ୱାସ ରଖି ଭାଜପାର କେନ୍ଦ୍ର ନେତୃତ୍ୱ କାର୍ଯ୍ୟ ଆରମ୍ଭ କଲେ। ଉଚ୍ଚସ୍ବରରେ ‘ଜନାଦେଶ’ର ଦ୍ୱାହି ଦେଉଥିବା ଭାଜପା ଜନକୁ ଆଦେଶ ଦେବାରେ ଆଗେଇ ଆସିଲା। ଭାଜପାର ନିର୍ବାଚନ ପୂର୍ବର ସଙ୍ଗାତ ଶିବସେନା ପ୍ରଥମ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରିବସିଲା। ସେହି ଦାବିକୁ ଭାଜପାର ନେତୃବୃନ୍ଦ ସ୍ବୀକାର ନ କରିବାରୁ ସମସ୍ୟା ବୃଦ୍ଧି ପାଇଲା। ହଠାତ୍ ରାଷ୍ଟ୍ରପତି ଶାସନ ଜାରି କରିଦିଆଗଲା। ତା’ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଆଲୋଚନା କରିବସିଲେ। କଂଗ୍ରେସ ମଧ୍ୟ ସେମାନଙ୍କ ସହ ସାମିଲ ହେଲା। ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ନିଜର ଦାବି ଉତ୍ଥାପନ କରିବେ ବୋଲି ୩ ଦଳ ନିଷ୍ପତ୍ତି ନେଲେ। ଏହା ଥିଲା ୨୨ ନଭେମ୍ବର ବିଳମ୍ବିତ ରାତି କଥା। ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଘୋଷଣା କରିଦିଆଗଲା। ସବୁ ଛାପା ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଗଲା। କିନ୍ତୁ ୨୩ ନଭେମ୍ବର ସକାଳୁ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ମୋଡ଼ ନେଲା। ଏନ୍ସିପି ବିଧାୟକ ଦଳ ନେତା ଅଜିତ୍ ପାଓ୍ବାର ନିଜ ଦଳର ଏକ ଅଂଶ ଭାଙ୍ଗି ନେଇ ଭାଜପା ସହ ମେଣ୍ଟ ଗଢ଼ି ନିଜେ ଉପମୁଖ୍ୟମନ୍ତ୍ରୀ ପଦବୀ ନେଇଗଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୁର୍ନୀତି ବିରୋଧରେ ଚିତ୍କାର କରିଆସୁଥିବା ଭାଜପା ଆଜି ମହାରାଷ୍ଟ୍ରରେ ଫଡ୍ନବିସଙ୍କ ନେତୃତ୍ୱାଧୀନ ସରକାର ଗଠନ କରିବାକୁ ବ୍ୟାକୁଳ ହୋଇପଡ଼ିିଥିବା ହେତୁ ପ୍ରବଳ ମାତ୍ରାରେ ଦୁର୍ନୀତିଗ୍ରସ୍ତ ଅଜିତ୍ ପାଓ୍ବାରଙ୍କ ସହିତ ଉତ୍ଫୁଲିତ ହୋଇ ହାତ ମିଳାଇଥିଲା। ଏଠାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, ଅନେକ ଆପରାଧିକ ମାମଲା ସହିତ ରାଜ୍ୟର ଜଳସେଚନ ମନ୍ତ୍ରୀ ରୂପେ ୧୯୯୯ରୁ ୨୦୦୯ ପର୍ଯ୍ୟନ୍ତ ଦାୟିତ୍ୱରେ ଥିବା ଅଜିତ୍ ପାଓ୍ବାର ୭୦ ହଜାର କୋଟି ଟଙ୍କାର ଦୁର୍ନୀତିରେ ମୁଖ୍ୟ ନାୟକ ବୋଲି ଏହି ଭାଜପା ଦେଶବାସୀଙ୍କୁ ବିଶ୍ୱାସ ଦିଆଇଥିଲା। ୨୩ ନଭେମ୍ବର ସକାଳ ୮ଟାରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନବିସ ଏବଂ ସେହି ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ରୂପେ ଅଜିତ୍ ପାଓ୍ବାର ଶପଥ ଗ୍ରହଣ କରିବା ପରେ କ୍ଷୁଦ୍ର ବୁଦ୍ଧି ଥିବା ଭାରତୀୟ ବୁଝିପାରିବ ଯେ, ଦୁର୍ନୀତି ବିରୋଧରେ କହିବାର ନୈତିକତା ଭାଜପା ସମ୍ପୂର୍ଣ୍ଣ ଭାବେ ହରାଇଛି। ଏହିଭଳି କ୍ଷମତାଲୋଭ ଯୋଗୁ ଉତ୍ତରପ୍ରଦେଶରେ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ବିମୁଦ୍ରୀକରଣ ଲାଗୁ କରି ବିରୋଧୀଙ୍କୁ ଅସ୍ତ୍ରହୀନ କରାଇଦେଲେ ମୋଦି। ସେହି କ୍ଷଣକ ଜିତାପଟ ପାଇଁ ଭାରତର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗି ଚୂର୍ମାର୍ କରିଦେବାରେ ଭାଜପାର କୌଣସି ଦ୍ୱିଧା ରହିଲା ନାହିଁ।
ମହରାଷ୍ଟ୍ର ରାଜନୀତିକୁ ଫେରିବା । କୌତୂହଳର ବିଷୟ ହେଲା ଯେ କେବଳ ଉଦ୍ଧବ, ଶରଦ କିମ୍ବା କଂଗ୍ରେସ ନୁହେଁ, ତାଙ୍କଠାରୁ ବଡ଼ ଶିକାର ହୋଇଗଲା ଗଣମାଧ୍ୟମ। ଦେଶବ୍ୟାପୀ ସବୁ ଖବରକାଗଜର ପ୍ରଥମ ପୃଷ୍ଠାର ଶିରୋନାମାରେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ଛାପା ହେବା ସହିତ ଅଧିକାଂଶ ନିରପେକ୍ଷ ଟେଲିଭିଜନ ଚ୍ୟାନେଲ ବ୍ରେକିଂ ନ୍ୟୁଜ୍ରେ ମଧ୍ୟ ତାହା ହିଁ ପ୍ରକାଶ କଲେ। ୨୩ ନଭେମ୍ବର ସକାଳେ ଚା’ ସହ ଖବରକାଗଜ ପଢୁଥିବା ପାଠିକାପାଠକ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ ସମ୍ପର୍କିତ ଖବର ପଢୁଥିବା ବେଳେ ଟେଲିଭିଜନରେ ଦେବେନ୍ଦ୍ର ଫଡନବିସ ଏବଂ ଅଜିତ୍ ପାଓ୍ବାରଙ୍କ ଶପଥ ଗ୍ରହଣ ଉତ୍ସବର ସିଧା ପ୍ରସାରଣ ଦେଖିପାରୁଥିଲେ। ଭୋର ୫ଟା ୪୭ରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହୋଇ ୮ଟା ବେଳେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନିଜର ବୋକାମିକୁ ସ୍ବୀକାର କରି ପ୍ରାୟ ଅଧିକାଂଶ ଜାତୀୟ ଛାପା ଗଣମାଧ୍ୟମ ମାନିନେଲେ ଯେ, ରାଜନୈତିକ ଲୋକଙ୍କ ବିଚିତ୍ର ଚରିତ୍ରକୁ ଅନୁମାନ କରିବାରେ ସେମାନେ ବିଫଳ ହୋଇଛନ୍ତି। ଅବଶ୍ୟ ଓଡ଼ିଶାର କୌଣସି ଖବରକାଗଜରେ ଏଭଳି ସ୍ବୀକାରୋକ୍ତି ଦେଖିବାକୁ ମିଳିନାହିଁ। ଅର୍ଥାତ୍ ଓଡ଼ିଆ ଭାଷାରେ ପ୍ରକାଶିତ ସବୁ ଖବରକାଗଜକୁ ଉଚ୍ଚକୋଟୀର ସାମ୍ବାଦିକତା ହାସଲ କରିବା ପାଇଁ ଅନେକ ବାଟ ବାକି ଅଛି।