ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି। ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା। ପରେ ୨୧ ଫେବୃୟାରୀ,୨୦୦୦ରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା। ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ମାତୃଭାଷାର ସୁରକ୍ଷା ପଅତି ଏହି ଦିବସରେ ସଚେତନତା ସୃଷ୍ଟି କରାଯାଏ। ଏହି ଦିବସ ଘୋଷଣା କରାଯିବା ଦ୍ୱାରା ୧୯୫୨ର ବାଂଲାଦେଶ ଭାଷା ଆନ୍ଦୋଳନ ଦିବସକୁ ସ୍ମରଣ କରାଯାଇଥାଏ। ଆନ୍ଦୋଳନକାରୀମାନେ ବେଙ୍ଗଲୀ ଭାଷାକୁ ସ୍ବୀକୃତି ଦେବା ଲାଗି ଲଢେଇ କରୁଥିଲେ। ୨୧ ଫେବୃୟାରୀରେ ବାଂଲାଦେଶୀ ଭାଷା ଆନ୍ଦେଳନରେ ରାଜଧାନୀ ଢାକାରେ ୪ ଜଣ ବେଙ୍ଗଲୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇ ଏହି ଦିନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବା ପାଇଁ ଜାତିସଂଘ ନିଷ୍ପତ୍ତି ନେଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ୨୦୦୮କୁ ଅନ୍ତର୍ଜାତୀୟ ଭାଷା ବର୍ଷ ଭାବେ ଘୋଷଣା କରି ପୁଣି ଏହାର ମହତ୍ତ୍ୱକୁ ପ୍ରତିପାଦନ କରିଛି। ୨୦୦୨ରୁ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଇଆସୁଅଛି। ଉକ୍ତ ଦିବସର ପ୍ରଥମ ସ୍ଲୋଗନ ଥିଲା-‘ଭାଷା ବିବିଧତା : ବିପଦରେ ୩ ହଜାର ଭାଷା’।
ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ,ବିଶ୍ୱରେ ଏବେ ୬୦୦୦ରୁ ଊର୍ଦ୍ଧ୍ୱ କଥିତ ଭାଷା ମଧ୍ୟରୁ ୪୫ ପ୍ରତିଶତ ବିପଦରେ। ଏହି ଭାଷାଗୁଡିକ ମଧ୍ୟରୁ ମାତ୍ର କେତେ ଶହ ଭାଷାକୁ ଏବେ ଶିକ୍ଷା କ୍ଷେତ୍ରରେ ସ୍ଥାନ ଦିଆଯାଇଛି ଓ ଶହେରୁ କମ୍ ଭାଷା ଡିଜିଟାଲ ଓ୍ବାଲର୍ଡରେ ବ୍ୟବହାର କରାଯାଉଛି। ଭାଷା ଆମ ସଂସ୍କୃତିର ରକ୍ଷକ। ଭାଷା ଦିବସ ପାଳନ କରାଯିବା ଦ୍ୱାରା ଭାଷାଗତ ବିବିଧତା ଓ ବହୁ ଭାଷୀ ଶିକ୍ଷାକୁ ସଶକ୍ତ କରିବା ସହ ଭାଷାଗତ ତଥା ସାଂସ୍କୃତିକ ପରମ୍ପରା ପ୍ରତି ସଚେତନତା ସୃଷ୍ଟି କରାଯାଇପାରୁଛି। ବିଶ୍ୱରେ ଏହି ଦିବସ ବାଂଲାଦେଶରେ ନିଆରା ଢଙ୍ଗରେ ପାଳନ କରାଯାଏ। ଏହି ଦିବସରେ ଭାଷା ଆନ୍ଦୋଳନରେ ଶହୀଦ ହୋଇଥିବା ଶହୀଦ ସ୍ମାରକୀରେ ଫୁଲ ଅର୍ପଣ କରାଯିବା ସହ ଏହିଦିନିକୁ ଛୁଟି ଘୋଷଣା କରାଯାଇଥାଏ। ପ୍ୟାରିସ ୟୁନେସ୍କୋ ମୁଖ୍ୟାଳୟରେ ମଧ୍ୟ ପାଳନ କରାଯାଏ। ସ୍କୁଲ୍ ଗୁଡିକରେ ପିଲାମାନଙ୍କୁ ମାତୃଭାଷାରେ କହିବା ଓ ଲେଖିବାକୁ କୁହାଯାଏ। ‘ବିବିଧତା ମଧ୍ୟରେ ଏକତା’ ସିଦ୍ଧାନ୍ତକୁ ନେଇ ଭାରତ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହାର ସମୃଦ୍ଧ ସାଂସ୍କୃତିକ ପରିବେଶ କ୍ଷେତ୍ରରେ ଭାଷାର ଭୂମିକା ରହିଛି। ଏଣୁ ଭାରତରେ ଏହି ଦିବସ ପାଳନ କରାଯିବାର ଢେର ଗୁରୁତ୍ୱ ଅଛି। ଭାଷାର କୌଣସି ସୀମା ନାହିଁ। ମାତୃଭାଷାର ସୁରକ୍ଷା କରି ଏହାକୁ ସମୃଦ୍ଧ କରାଯାଇପାରିଲେ ବିଶ୍ୱରେ ଶାନ୍ତି, ବିକାଶ ଓ ଏକତା ସହଜରେ ପ୍ରତିଷ୍ଠା ହୋଇପାରିବ।