କଟକ ଅଫିସ,୧।୬: ଯୁକ୍ତଦୁଇ ପରୀକ୍ଷାର ଉତ୍ତର ଖାତାଦେଖା ସୋମବାରଠାରୁ ଆରମ୍ଭ ହୋଇଛି। କେବଳ ଅନ୍ଲାଇନରେ ଭୁବନେଶ୍ୱର ଏବଂ କଟକରେ ଖାତା ଦେଖାଯାଉଛି। କଟକ ଲିଙ୍କ୍ରୋଡ଼ସ୍ଥିତ ଏକ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଖାତାଦେଖା ପାଇଁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରରେ ୬୪ଟି କମ୍ପ୍ୟୁଟର ଥିବାବେଳେ ୬୫ଜଣ ଅଧ୍ୟାପିକା, ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ଦିନକୁ ଦୁଇଟି ସିଫ୍ଟରେ ସେମାନେ ଖାତା ଦେଖିବେ। ସକାଳେ ସାଢ଼େ ୭ରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ସାଢ଼େ ୧ରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଖାତା ଦେଖା ହେବ। ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଇଂରାଜୀ ବିଷୟର ଖାତା ଦେଖାଯାଉଥିବା ବେଳେ ମାତ୍ର ୧୦ଜଣ ମୂଲ୍ୟାୟନକାରୀ ଆସିଛନ୍ତି। ଅପରପକ୍ଷରେ କୋଭିଡ୍ ଗାଇଡ଼ଲାଇନ ପାଳନ ସହ ସାମାଜିକ ଦୂରତା ଏବଂ ବିଶୋଧନ କରାଯାଇଛି।