ନୂଆଦିଲ୍ଲୀ, ୭।୫(ପି.ଟି.): ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ଏହା ଅନ୍ଲାଇନ୍ରେ ଜରିଆରେ ହେବ। ଏଥିରେ ଉଭୟ ପୁରୁଷ ଓ ମହିଳା ଦଳର ଅଲିମ୍ପିକ ପ୍ରସ୍ତୁତି ଓ ହକିର ପୁନରାରମ୍ଭ ନେଇ ଆଲୋଚନା ହେବ। କୋଭିଡ୍-୧୯ ମହାମାରୀ କାରଣରୁ ଏହି କାର୍ଯ୍ୟକ୍ରମ ଅନ୍ଲାଇନ୍ ଦ୍ୱାରା ଆୟୋଜନ ହେବ। ଏହି କଂଗ୍ରେସ୍ରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ମୁଖ୍ୟ ତଥା ଭାରତୀୟ ଅଲିମ୍ପିକ୍ ଆସୋସିଏଶନ (ଆଇଓଏ) ଅଧ୍ୟକ୍ଷ ନରିନ୍ଦର ବାତ୍ରା ଯୋଗ ଦେବେ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି।
ହକି ଇଣ୍ଡିଆ ଜାତୀୟ ଚାମ୍ପିୟନଶିପ୍ ନେଇ ମଧ୍ୟ ଏହି କଂଗ୍ରେସରେ ଆଲୋଚନା କରାଯିବ। ପୁଣି ଆସନ୍ତାବର୍ଷରୁ ଆରମ୍ଭ ହେବାକୁ ଥିବା ରାଜ୍ୟ ଚାମ୍ପିୟନଶିପ୍ ଓ ନୂଆ ଘରୋଇ ସଂରଚନା ନେଇ ମଧ୍ୟ ଯୋଜନା ପ୍ରସ୍ତୁତ ହେବ। ଏହି ମହମାରୀର ଆତଙ୍କ ଚାଲୁ ରହିଥିବା ବେଳେ ଆଇଓଏ ସର୍ଭେ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ମଧ୍ୟ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯିବ। ପୁଣି ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ବାର୍ଷିକ ବିବରଣୀକୁ ଗ୍ରହଣ କରିବା ନେଇ ଓ ହକି ଇଣ୍ଡିଆ ସମ୍ବିଧାନର ସଂଶୋଧନ ନେଇ ମଧ୍ୟ କଂଗ୍ରେସ୍ରେ ସବିଶେଷ ଆଲୋଚନା କରାଯିବ। ତେବେ ଏଥିରେ ସମ୍ବିଧାନର କେଉଁ ବିଷୟରେ ସଂଶୋଧନ ନେଇ ଆଲୋଚନା ହେବ ଅଧିକାରୀମାନେ କିଛି କହିନାହାନ୍ତି।