(ଦିନେଶ ଦେହୁରୀ) ବନ୍ତଳା,୨୭ା୫: ପିଲାବେଳେ ମା’ଙ୍କୁ ହରାଇଥିଲେ। ବାପା ଥିଲେ ବି ଆବଶ୍ୟକ ଯତ୍ନ ନେଇ ନ ଥିଲେ। ଖାଦ୍ୟପେୟରେ ଅସୁବିଧା ଖବରପାଇ ସେତେବେଳେ ପ୍ରଶାସନ ଦେଇଥିଲା ସହଯୋଗ। ଭିଆଇଆରଡି ନାମକ ଏକ ଏନ୍ଜିଓରେ ଥଇଥାନ କରିଥିଲା ତାଙ୍କୁ। ସେବେଠାରୁ ସେଠାରେ ରହି କାମ ଶିଖୁଥିବା ସଞ୍ଜୁ ବେହେରା ୬ ବର୍ଷ ହେଲା ଟେଲରିଂ କରି ନିଜ ଖର୍ଚ୍ଚ ନିଜେ ଉଠାଉଥିଲେ। ହେଲେ ଏବେ ପେଟରେ ଟ୍ୟୁମର ପୁଣି ତାଙ୍କୁ ଠେଲିଦେଇଛି ଦୁର୍ଭାଗ୍ୟ ମୁହଁକୁ। ଡାକ୍ତର କଟକରେ ଅପରେଶନ ପାଇଁ ପରାମର୍ଶ ଦେଇଥିଲେ ବି ଅର୍ଥ ନ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସଞ୍ଜୁ।
ସଞ୍ଜୁଙ୍କ ଘର ଅନୁଗୋଳ ଜିଲା ବନ୍ତଳା ଥାନା ତଲଗଡ଼ ଗ୍ରାମରେ। ମା’ଙ୍କ ମୃତ୍ୟୁ ପରେ ବାପା ଲୋକନାଥ ବେହେରା ଦ୍ୱିତୀୟ ବିବାହ କରିଥିଲେ। ହେଲେ କେହି ତାଙ୍କ ଦେଖାଶୁଣା ନ କରିବାରୁ ଖବରପାଇ ପ୍ରଶାସନ ଉପରୋକ୍ତ ଏନଜିଓରେ ତାଙ୍କ ରହିବା ବ୍ୟବସ୍ଥା କରିଥିଲା। ସେଠାରେ ଥିବା ଟେଲରିଂ ମାଷ୍ଟର ନୂଆଖେତାର ସୁଜାତା ପ୍ରଧାନ ସଞ୍ଜୁଙ୍କୁ ଟେଲରିଂ ଶିଖାଇଥିଲେ। ସେଠାରେ କାମ ଶିଖିବା ପରେ ସ୍ବାବଲମ୍ବୀ ହୋଇଥିଲେ ସଞ୍ଜୁ। ୨୦୧୩ରୁ ଉକ୍ତ ଏନ୍ଜିଓ ଛାଡି ସୁଜାତାଙ୍କ ଟେଲରିଂ ଦୋକାନରେ କାମ କରୁଥିଲେ। ଦୈନିକ ଶହେ ଟଙ୍କା ରୋଜଗାର କରୁଥିବାରୁ ପେଟ ପାଇଁ ଦାନା ଯୋଗାଡ଼ କରିବାରେ ଆଉ ଅସୁବିଧା ନ ଥିଲା। ହେଲେ ମାସେ ତଳେ ହଠାତ୍ ପେଟରେ ଯନ୍ତ୍ରଣା ତାଙ୍କୁ ଚିନ୍ତିତ କରିଦେଇଥିଲା। ଗ୍ୟାସଷ୍ଟ୍ରିକ ହୋଇଥିବ ଭାବି ନାନା ପ୍ରକାର ଔଷଧ ଖାଇଥିଲେ। କିନ୍ତୁ ଯନ୍ତ୍ରଣା ବଢ଼ିବାରୁ ବାଧ୍ୟ ହୋଇ ସେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଅଲଟ୍ରାସାଉଣ୍ଡରୁ ତାଙ୍କ ପେଟରେ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ତୁରନ୍ତ କଟକରେ ଅପରେଶନ କରାଇବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେବାପରେ ଭାଙ୍ଗି ପଡ଼ିଛନ୍ତି ସଞ୍ଜୁ। ୨୦ ବର୍ଷ ତଳୁ ବାପା ଆଖିବୁଜି ସାରିଥିବା ବେଳେ ଘର ସହିତ ମଧ୍ୟ ତାଙ୍କର ସମ୍ପର୍କ ନାହିଁ। ତେଣୁ ଅପରେଶନ ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ ତାଙ୍କ ପକ୍ଷେ ଅସମ୍ଭବ। ଏଣେ ଯନ୍ତ୍ରଣା ବଢ଼ୁଥିବାରୁ ଅଥୟ ହୋଇପଡ଼ୁଛନ୍ତି ସେ। ତାଙ୍କର ଏପରି ଦୁର୍ଭାଗ୍ୟ ସମୟରେ କେହି ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ଅନାଥ ସଞ୍ଜୁ।