ନୟାଗଡ ଅଫିସ,୭ା୨: ଅପହରଣ କରି ନାବାଳିକାଙ୍କୁ ବିବାହ କରିଥିବା ସନ୍ଦେହରେ ଜଣଙ୍କ ଘର ଆଗରେ ନାଁ ଦେଖି ପୋଲିସ ଜଣେ ଯୁବକଙ୍କୁ ଉଠାଇ ନେବା ପରେ ନୟାଗଡ ଜିଲା ଇଟାମାଟି ଥାନା ଗମ୍ଭାଡିରେ ଗୁରୁବାର ରାତିରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ତ୍ରୁଟି ସ୍ବୀକାର କରି ଅଟକ ଯୁବକଙ୍କୁ ଛାଡି ଦେଇଥିଲେ ମଧ୍ୟ ଉତ୍ତେଜନା ଥମି ନ ଥିଲା। ଉତ୍ତ୍ୟକ୍ତ ଲୋକେ ଖୋର୍ଦ୍ଧା ଜିଲାର ଜଟଣୀ ଓ ଇଟାମାଟି ଥାନା ପୋଲିସକୁ ୧ ଘଣ୍ଟା ଧରି ଅଟକ ରଖିଥିଲେ। ଏପରି କି ଭ୍ୟାନ ଚକାରୁ ପମ୍ପ ଖୋଲି ଦେଇଥିଲେ। ଘଟଣାସ୍ଥଳରେ ନୟାଗଡ଼ ଏସ୍ଡିପିଓ, ନୟାଗଡ ସଦର ଥାନା ଆଇଆଇସିଙ୍କ ସମେତ ଇଟାମାଟି ଆଇଆଇସି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ହେଲେ ସୁଫଳ ମିଳି ନ ଥିଲା। ତେବେ ସ୍ବିକାରୋକ୍ତି ପରେ ଉତ୍ତ୍ୟକ୍ତ ଲୋକେ ଅଟକ ପୋଲିସକୁ ଛାଡି ଦେଇଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଞ୍ଚଳର ଜଣେ ନାବାଳିକା ଗତ କିଛିଦିନ ହେଲା ନିଖୋଜ ଅଛନ୍ତି । ନିଖୋଜ ନାବାଳିକାଙ୍କ ସମ୍ପର୍କୀୟ ଘର ଗମ୍ଭାଡିରେ। ନାବାଳିକା ଗମ୍ଭାଡିରେ ବିବାହ କରିଥିବା ଜଣାପଡିଥିଲା। ନାବାଳିକାଙ୍କ ମା’ବାପା ଜଟଣୀ ଓ ଇଟାମାଟି ପୋଲିସ ସହାୟତାରେ ଗୁରୁବାର ସନ୍ଧ୍ୟାରେ ଗମ୍ଭାଡିରେ ପହଞ୍ଚିଥିଲେ। ସେମାନେ ଗମ୍ଭାଡିରେ ଜଣେ ଲୋକଙ୍କ ଘର ଆଗରେ ବିବାହ ପାଇଁ ଲେଖାଯାଇଥିବା କାନ୍ଥରେ ଝିଅର ନାଁ ଦେଖିଥିଲେ। ପରେ ପୋଲିସ ଦ୍ୱାରା ଝିଅକୁ ଆଣିବାକୁ ଉଦ୍ୟମ କରିଥିଲେ। ପ୍ରଥମେ ପୋଲିସ ଜଳଖିଆ ଖାଉଥିବା ଜଣେ ଯୁବକଙ୍କୁ ଉଠାଇ ନେଇଥିଲା। ପରେ ପୁଅ ଘରେ ପଶି ଝିଅର ମତାମତ ନେଇଥିଲେ। ହେଲେ ଝିଅ ଜଟଣୀ ଅଞ୍ଚଳର ନୁହଁ କହିବା ପରେ ଇଟାମାଟିକୁ ନେଇଯାଇଥିବା ଯୁବକଙ୍କୁ ପୋଲିସ ଫେରାଇ ଆଣିଥିଲା। ଏହା ପରେ ଗାଁରେ ଉତ୍ତେଜନା ଲାଗି ରହିଥିଲା। ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ପୋଲିସ ଲୋକଙ୍କ ଘେରାଉ ଭିତରେ ରହିଥିଲେ। ଏ ସମ୍ପର୍କରେ ନୟାଗଡ଼ ଏସ୍ଡିପିଓ ନିରଞ୍ଜନ ପାଢୀ କୁହନ୍ତି, ନାବାଳିକାଙ୍କ ମା’ବାପା ଘର ଚିହ୍ନଟ କରି ନ ପାରିବାରୁ ପୋଲିସ ଅସୁବିଧାର ସମ୍ମୁଖୀନ ହୋଇଥିଲା। ପରେ ପରିସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା।
Posted inଆମ ଜିଲା ଖବର, ନୟାଗଡ଼