ଶ୍ରୀନଗର,୯।୭: ଭାରତ-ତିବ୍ବତ ସୀମା ପୋଲିସର ଆଇଟିବିପି ଯବାନ ଜମ୍ମୁ କଶ୍ମୀରର ବାଲଟାଲ ମାର୍ଗରେ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ପାଲଟିଛନ୍ତି। ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ଅଗଷ୍ଟ ୧୫କୁ ଶେଷ ହେବ। ୪୬ ଦିନ ଚାଲିବାକୁ ଥିବା ଏହି ଯାତ୍ରାରେ ପ୍ରାୟ ଦେଢ଼ ଲକ୍ଷ ଶ୍ରଦ୍ଧାଳୁ ପଞ୍ଜିକରଣ କରିଛନ୍ତି। ଏଥିପାଇଁ ଯବାନମାନଙ୍କ ପକ୍ଷରୁ ଘାଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ମହାଦେବଙ୍କୁ ଦର୍ଶନ କରିବା ଲାଗି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସେଠାକୁ ଯାଉଛନ୍ତି। ହେଲେ କେତେବେଳେ ପାହାଡ଼ରେ ଭୂସ୍ଖଳନ ହେଉଛି ତ କେବେ ପାହାଡ଼ରେ ବରଫ ଫାଟି ଝରଣା ବୋହିବାରେ ଲାଗିଛି। ହେଲେ ଯବାନମାନେ ଶ୍ରଦ୍ଧାଳୁଙ୍କ ଯାତ୍ରାରେ ବାଧା ନ ଉପୁଜିବା ପାଇଁ ବିପଦ ଆଗରେ ତାଙ୍କର ସୁରକ୍ଷା କବଚ ଭଳି ଠିଆ ହୋଇଥିବା ଦେଖିବାକୁ ମିଳିଛି। ଯବାନଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।