ବ୍ରହ୍ମଗିରି, ୨୮।୬(ଡି.ଏନ୍.ଏ.): ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ଏହାର ପ୍ରଭାବରେ ପଥର ବି ତରଳି ଯାଇଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳେ ବ୍ରହ୍ମଗିରି ଅଲାରନାଥ ପୀଠରେ। ଏହି ପୀଠରେ ପୂଜା ପାଉଛନ୍ତି ବିଷ୍ଣଙ୍କ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନେ ଦେବସ୍ନାନ ପୂର୍ଣ୍ଣମୀ ପରେ ଜ୍ୱରରେ ପଡିବା ପରେ ଅଲାରନାଥ ପୀଠରେ ଚାଲେ ଅନବସର ଦର୍ଶନ। ଏହି ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଏହି ପୀଠକୁ ଛୁଟିଆସିଥାନ୍ତି। କିମ୍ବଦନ୍ତୀ କୁହେ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଏହି ପୀଠ ବିଷ୍ଣୁ ପ୍ରେମୀଙ୍କ ବେଶ ଆଦୃତ ହୋଇପାରିଥିଲା। ୧୫ଶ ଶତାଦ୍ଧୀରେ ଶ୍ରୀଚୈତନ୍ୟଙ୍କ ପୁରୀ ଆଗମନ ହୋଇଥିଲା ଜୀଉମାନଙ୍କ ଦର୍ଶନ ନିମନ୍ତେ। ଠିକ୍ ସେହି ସମୟରେ ଦେବସ୍ନାନ ପୂର୍ଣ୍ଣମୀ ପରେ ଠାକୁରମାନେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଥାନ୍ତି। ଯାହା ଫଳରେ ଶ୍ରୀଚୈତନ୍ୟ ଠାକୁର ମାନଙ୍କୁ ଦର୍ଶନ କରି ନ ଥିଲେ। ଶେଷରେ ନିଜକୁ ଧିକ୍କାର କରି ସମୁଦ୍ରରେ ପ୍ରାଣ ବିସର୍ଜନ ପାଇଁ ଯାଇଥିଲେ। କିନ୍ତୁ ଭଗବାନଙ୍କ ଲୀଳା ଭିନ୍ନ। ସେଠାରେ ତାଙ୍କୁ ବ୍ରହ୍ମଗିରି ଅଲାରନାଥ ପୀଠକୁ ଯାଇ ବିଷ୍ଣୁ ରୂପରେ ଦର୍ଶନ ଶୂନ୍ୟ ବାଣୀ ହୋଇଥିଲା। ପରେ ଶ୍ରୀଚୈତନ୍ୟ ସମୁଦ୍ର କୂଳେ କୂଳେ ଦୀର୍ଘ ପଥ ଅତିକ୍ରାନ୍ତ କରି ବ୍ରହ୍ମଗିରି ଅଲାରନାଥ ପୀଠରେ ପହଞ୍ଚତ୍ଥିଲେ। ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ତାଙ୍କ ଦେହରୁ ବାହାରୁଥିବା ଉତ୍ତାପରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିବା ପଥର ଖଣ୍ଡ ତରଳି ଯାଇ ଶ୍ରୀଚୈତନ୍ୟଙ୍କ ରୂପ ସମ ହୋଇଯାଇଥିଲା। ଏବେବି ଏହି ପଥର ମନ୍ଦିର ପରିସରରେ ଚୈତନ ପଥର ନାମରେ ନାମିତ ହୋଇ ପୂଜା ପାଉଛି। ଯାହା ଗୌଡୀୟ ସମ୍ପ୍ରଦାୟ ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଅଣସର ସମୟରେ ଗୌଡୀୟ ଭକ୍ତମାନେ ଏହି ପୀଠକୁ ଆସି ନାମ ସଂକୀର୍ତ୍ତନ ଆଦି କରିଥାନ୍ତି।