ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ସୋମବାର ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତ ଦୁଇଦିନ ଧରି ପାଗ ଶୁଖିଲା ରହିବା ପରେ ସୋମବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷାହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ, ରାୟଗଡ଼ା, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯିବା ସହ ବଜ୍ରପାତଜନିତ ସତର୍କ ସୂଚନା ଦିଆଯାଇଛି। ଉତ୍ତରପ୍ରଦେଶରୁ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏକ ବିସ୍ତୀର୍ଣ୍ଣ ଘୂର୍ଣ୍ଣିବଳୟ ରହିଥିବାବେଳେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା ୧୯ ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ସତର୍କ ସୂଚନା ରହିଥିବାବେଳେ ବର୍ଷାର ପରିମାଣ କିନ୍ତୁ କମ୍ ରହିବ। ତେବେ ୧୯ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସହିତ ଦୁଇଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଲୋକମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।