କରାଚୀ,୧୮ା୨(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୋମବାର ଏକ ଧର୍ମୀୟ ଶୋଭାଯାତ୍ରାକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରାଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୩ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ପୋଲିସ ଅଛନ୍ତି। ଶାହରା-ଇ-ଅଦାଲତ ରୋଡ ନିକଟ କ୍ୱେଟ୍ଟା ପ୍ରେସ୍ କ୍ଲବଠାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ବହୁସଂଖ୍ୟାରେ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
ଇସ୍ଲାମାବାଦ ଗସ୍ତରେ ଆସିଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ପାକିସ୍ତାନରେ ନିରାପତ୍ତା ସ୍ଥିତିରେ ଉନ୍ନତି ଆସିଛି ବୋଲି କହିଥିବାବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଥିଲେ, ପାକିସ୍ତାନ ଆଉ ଆତଙ୍କବାଦୀଙ୍କ ନିରାପଦ ଭୂସ୍ବର୍ଗ ହୋଇ ରହିନାହିଁ। ସେମାନଙ୍କ ଏହି ମତାମତର କିଛି ଘଣ୍ଟା ପରେ ବେଲୁଚିସ୍ତାନରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ଅତୀତରେ ବଲୋଚ୍ ଓ ତାଲିବାନ ଉଗ୍ରପନ୍ଥୀ ଏଭଳି ଆକ୍ରମଣ କରିଥିବାରୁ ସୋମବାରର ଆକ୍ରମଣରେ ସେମାନେ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।