ଆପଣା ହସ୍ତେ ଜିହ୍ବା ଛେଦି

ବୈକୁଣ୍ଠନାଥ ମିଶ୍ର
ଭାରତ ଏକ ଗ୍ରାମବହୁଳ ଦେଶ। ସମୁଦାୟ ଜନସଂଖ୍ୟାର ପ୍ରାୟ ୮୬ ପ୍ରତିଶତ ଗ୍ରାମଗୁଡ଼ିକରେ ବାସ କରନ୍ତି। କୃଷି ଗ୍ରାମାଞ୍ଚଳର ମୁଖ୍ୟ ଜୀବିକା। ବହୁ ଲୋକଙ୍କର ଜୀବିକା ସାଜିଥିବା କୃଷିର ଯୋଗଦାନ ଦେଶର ଜିଡିପିରେ ଉଲ୍ଲେଖନୀୟ। କିନ୍ତୁ କୃଷିକ୍ଷେତ୍ର କ୍ରମାଗତ ଭାବେ ପ୍ରଚଣ୍ଡ ଅବହେଳାର ଶିକାର ହୋଇଚାଲିଛି। କୃଷକ ପାରମ୍ପରିକ କୃଷି ପଦ୍ଧତିରୁ ଓହରିଯାଇ ସମ୍ପୂର୍ଣ୍ଣ ଅଣପାରମ୍ପରିକ ପଦ୍ଧତିକୁ ଆପଣେଇ ନେଇଛି। କୃଷିଜାତ ଦ୍ରବ୍ୟ ବିଶେଷକରି ଆମ ରାଜ୍ୟରେ ଧାନର ସହାୟକ ମୂଲ୍ୟ ଯେତେ ବୃଦ୍ଧି ହେଲେ ମଧ୍ୟ ଖର୍ଚ୍ଚ ତୁଳନାରେ କୃଷିରୁ ଆୟ କ୍ରମେ ହ୍ରାସ ପାଇଚାଲିଛି। କୃଷିରେ ଯାନ୍ତ୍ରିକ ନିର୍ଭରଶୀଳତା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ହଳ, ଲଙ୍ଗଳ ଓ ବଳଦ ଆଉ ଦୃଶ୍ୟ ହେଉନାହିଁ। ଜମି ଚାଷ, ଫସଲକଟା ଓ ଅମଳ ସବୁ କାର୍ଯ୍ୟ ଯନ୍ତ୍ର ସାହାଯ୍ୟରେ ହେବା ଦ୍ୱାରା ମଣିଷ ଯନ୍ତ୍ରମୁଖାପେକ୍ଷୀ ହୋଇଯାଉଛି। ତେଣୁ ତା’ ମଧ୍ୟରେ କର୍ମବିମୁଖତା ଦେଖାଦେଇଛି। କୃଷିରେ ଖର୍ଚ୍ଚ ଆଶାତୀତ ବୃଦ୍ଧି ପାଇଛି। ଅବଶ୍ୟ ଏକଥା ସତ୍ୟ ଯେ କୃଷିଜାତ ଦ୍ରବ୍ୟର ମୂଲ୍ୟ ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ହେଲେ କୃଷିରୁ ଆୟ ଓ କୃଷକର ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା ହୋଇପାରୁ ନାହିଁ। କର୍ମବିମୁଖତା କୃଷିକର୍ମ ପାଇଁ ମଜୁରି ସଙ୍କଟ ସୃଷ୍ଟି କରିଛି। ଏକଟଙ୍କା ବିନିମୟରେ ସହଜ ସୁଲଭ ଚାଉଳ ଉପଲବ୍ଧ ହେଉଥିବା ଯୋଗୁ ମୂଲ ଲାଗିିବାକୁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଲରେ କାଦୁଅପାଣି କାମ ପାଇଁ ସେମାନଙ୍କର ଘୋର ଅନିଚ୍ଛା । ଗତ କିଛିବର୍ଷ ତଳର କୃଷି ଓ ଆଜିର କୃଷିକୁ ତୁଳନା କଲେ ଭବିଷ୍ୟତ ପାଇଁ ଏକ ଭୟଙ୍କର ପରିସ୍ଥିତିର ସୂଚନା ମିଳେ।
କୃଷିକ୍ଷେତ୍ରରେ ବିଗତ କିଛିବର୍ଷ ହେଲା ଏକ ବିଷମ ପରିସ୍ଥିତି ଦେଖାଦେଇଛି। ଅନେକ କାରଣରୁ ଜମିମାଲିକ ନିଜେ ଚାଷ ନ କରି ଜମିକୁ ଭାଗ କିମ୍ବା ଲିଜ୍‌ ସୂତ୍ରରେ ଅନ୍ୟକୁ ଦେଉଛି। ଯେଉଁମାନେ ସହରକୁ କର୍ମଭୂମି ଭାବେ ବାଛିନେଇ ସେଠାରେ ସ୍ଥାୟୀ ବାସିନ୍ଦା ହୋଇଛନ୍ତି, ସେମାନେ ତ ପର ହାତରେ ଜମିକୁ ଟେକିଦେଇ ସାମାନ୍ୟ କିଛି ପ୍ରାପ୍ୟରେ ସନ୍ତୁଷ୍ଟ ହେଉଛନ୍ତି। ଅପରନ୍ତୁ ଯେଉଁ ବାବୁମାନେ ଗ୍ରାମାଞ୍ଚଳରେ ରହି ମଧ୍ୟ ସରକାରୀ ଚାକିରିରେ ନିଯୁକ୍ତ, ସେମାନେ ମଧ୍ୟ ପିତୃଅର୍ଜିତ ସମ୍ପତ୍ତିକୁ ପରହାତକୁ ଟେକି ଦେଉଛନ୍ତି। ଫଳତଃ ଜମିମାଲିକ ପ୍ରକୃତ ଚାଷୀ ନୁହେଁ, କିମ୍ବା ପ୍ରକୃତ ଚାଷୀ ଜମିର ସ୍ଥାୟୀ ମାଲିକ ନୁହେଁ। ଦିନେ ଯିଏ ଶ୍ରମ କରି ମାଲିକ ଜମିରେ ସୁନା ଫଳାଉଥିଲା, ଆଜି ସେ ଜମିର ପରୋକ୍ଷ ମାଲିକ। ଏହି ଦ୍ୱୈତମାଲିକାନାରେ ଜମି ସର୍ବାଧିକ କ୍ଷତିଗ୍ରସ୍ତ। ଚାଷ କରୁଥିବା ବ୍ୟକ୍ତି ଅସ୍ଥାୟୀ ମାଲିକ ହୋଇଥିବାରୁ ଜମିର ଆବଶ୍ୟକ ଯତ୍ନ ନେଉନାହିଁ। ତା’ର ଏକମାତ୍ର ଉଦ୍ଦେଶ୍ୟ ଜମିରୁ ସର୍ବାଧିକ ପରିମାଣର ଫସଲ ଅମଳ କରିବା। ତେଣୁ ସେ ଅଧିକରୁ ଅଧିକ ରାସାୟନିକ ସାର ପ୍ରୟୋଗ କରି ଚାଲିଛି। ଦୁଇ/ତିନି ବର୍ଷ ତଳେ ୫ କି.ଗ୍ରା. ସାର ପ୍ରୟୋଗ କରି ଗୁଣ୍ଠ ପ୍ରତି ପ୍ରାୟ ଏକ କୁଇଣ୍ଟାଲ ଧାନ ଅମଳ କରୁଥିବା ବେଳେ ବର୍ତ୍ତମାନ ତାକୁ ସେତିକି ଅମଳ ପାଇଁ ୭/୮ କି.ଗ୍ରା. ସାର ଓ ତଦନୁଯାୟୀ କୀଟନାଶକ ପ୍ରୟୋଗ କରିବାକୁ ହେଉଛି। ଦ୍ୱିତୀୟତଃ ଜମିର ସ୍ଥାୟୀ କିମ୍ବା ଅସ୍ଥାୟୀ ମାଲିକ ଜମିର ଉନ୍ନତି କଳ୍ପେ କୌଣସି ଯୋଜନା ହାତକୁ ନେଉନାହାନ୍ତି। ଜମି ଆବଶ୍ୟକ କରୁଥିବା ମାଟିକାମ, ବନ୍ଧବାଡ଼ ମରାମତି, ଜଳ ନିଷ୍କାସନ ଓ ଜଳ ସଂରକ୍ଷଣ ଆଦି କାର୍ଯ୍ୟ ଠିକ୍‌ ଭାବେ କରାଯାଉନାହିଁ। ଫଳରେ ଜମିଗୁଡିକ ଭୀଷଣ ଅଯତ୍ନର ଶିକାର ହେଉଛନ୍ତି। ଆଧୁନିକ ହାର୍ଭେଷ୍ଟର ଦ୍ୱାରା ଧାନ ଅମଳ କରି ତା’ ନଡାଗୁଡିକୁ ଖେତରେ ପୋଡିଦେବା ଦ୍ୱାରା ଯେଉଁ ଧୂଆଁ ସୃଷ୍ଟି ହେଉଛି ତାହା ବାୟୁପ୍ରଦୂଷଣ ଓ ଉତ୍ତାପ ବୃଦ୍ଧିର କାରଣ ହେବା ସହ କୃଷିର ଅନେକ ଉପକାରୀ କୀଟଙ୍କୁ ବ୍ୟାପକ କ୍ଷତି ପହଞ୍ଚାଉଛି। ମନୁଷ୍ୟର ସ୍ବାସ୍ଥ୍ୟ ଉପରେ ଏହା କୁପ୍ରଭାବ ପକାଉଥିବା ବେଳେ ମାଟିର ଜୈବ ଅଂଶ ନଷ୍ଟ ହୋଇ ମାଟିକୁ ଅନୁର୍ବର କରି ଖପରାରେ ପରିଣତ କରିଦେଉଛି। ପଞ୍ଜାବ ଓ ହରିୟାଣାରେ ଖେତରେ ପୋଡିଦିଆଯାଉଥିବା ନଡାର ଧୂଆଁ ଦିଲ୍ଲୀ ସହରର ପ୍ରଦୂଷଣର ପ୍ରମୁଖ କାରଣ।
ତୃତୀୟତଃ ଆଧୁନିକ କୃଷି ଯନ୍ତ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଭୂଗର୍ଭରୁ ଉତ୍ତୋଳିତ ତୈଳ ଯୋଗାଣ ବ୍ୟାହତ ହେଲେ କୃଷିକାର୍ଯ୍ୟ ଉଜୁଡିଯିବ। କାରଣ ପ୍ରାଚୀନ କାଳରୁ ଅନୁସୃତ ହଳବଳଦ ଦ୍ୱାରା ଚାଷ ଆଉ ପ୍ରାୟ ନାହିଁ। ଚାଷୀ ମଧ୍ୟ ଲଙ୍ଗଳ ଦ୍ୱାରା ହଳ କରିବା କ୍ରମଶଃ ଭୁଲିଗଲାଣି। ଆଗାମୀ ତିରିଶ ବର୍ଷ ମଧ୍ୟରେ ଯଦି ତୈଳର ଉପଯୁକ୍ତ ବିକଳ୍ପ ସନ୍ଧାନ କରା ନ ଯାଏ, ତେବେ କୃଷିକର୍ମ ବନ୍ଦ ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। କୃଷି ପାଇଁ ଆଉ ଏକ ବିପଦ ହେଲା ଜଙ୍ଗଲ ଧ୍ୱଂସ। ଭାରତରେ ଦୈନିକ ପ୍ରାୟ ଏକ ଏକର ଜଙ୍ଗଲ ଧ୍ୱଂସ ହେଉଛି। ନଦୀଗୁଡ଼ିକର ଉପରମୁଣ୍ଡ ପାର୍ବତ୍ୟଶଯ୍ୟା (କ୍ୟାଚ୍‌ମେଣ୍ଟ ଏରିଆ)ରେ ଘଞ୍ଚ ଜଙ୍ଗଲ ନ ଥିବାରୁ ବୃଷ୍ଟିଜଳ ଭୂ-ଅଭ୍ୟନ୍ତରକୁ ପ୍ରବେଶ କରିବାର ସୁଯୋଗ ନ ପାଇ ତତକ୍ଷଣାତ୍‌ ନଦୀମାନଙ୍କରେ ପ୍ରବାହିତ ହେବା ଫଳରେ ତ୍ରିକୋଣଭୂମି ଓ ସଂଲଗ୍ନ ସମତଳ ଅଞ୍ଚଳରେ ବନ୍ୟା ବିଭୀଷିକା ସୃଷ୍ଟି କରୁଛି। ଅତି ବୃଷ୍ଟି ଓ ଅନାବୃଷ୍ଟି ଭାରତୀୟ କୃଷି ଓ କୃଷକ ପାଇଁ ଘାତକ ସାଜିଲାଣି। ଜଙ୍ଗଲ ଧ୍ୱଂସ ଯୋଗୁ ଜଙ୍ଗଲୀ ଜୀବ ବିଶେଷକରି ହାତୀପଲ କୃଷିକ୍ଷେତ୍ରରେ ପ୍ରବେଶ କରି ଧାନଫସଲ ଉଜାଡି ଦେଉଛନ୍ତି। ସେମାନେ ଖାଉଛନ୍ତି ଯେତିକି ତା’ଠାରୁ କାହିଁ କେତେଗୁଣ ଫସଲ ନଷ୍ଟ କରୁଛନ୍ତି। ମାଙ୍କଡ଼ଙ୍କର ବଂଶବୃଦ୍ଧି ଓ ସମତାଳରେ ତାଙ୍କ ପ୍ରାକୃତିକ ବାସସ୍ଥଳୀ ଲୁପ୍ତ ହେବା ଯୋଗୁ ସେମାନେ ଉଦ୍ୟାନକୃଷି ଯଥା ଫୁଲଫଳ ଓ ପନିପରିବା ସହ ମୁଗବିରି ଭଳି ରବି ଫସଲକୁ ଖାଇ ନଷ୍ଟ କରୁଛନ୍ତି। ବଳଦର ଆବଶ୍ୟକତା ନ ଥିବାରୁ କୃଷକ ଗାଈର ଅଣ୍ଡିରା ବାଛୁରିଙ୍କୁ ଷଣ୍ଢ କରିଦେଉଛନ୍ତି। ଫଳସ୍ବରୂପ ସେମାନେ ଖେତର ଫସଲ ଓ ବାଡ଼ିବଗିଚାକୁ ଉଜାଡି ଦେଉଛନ୍ତି। ସମୟ ବଦଳିଛି। କୃଷକ ପତ୍ନୀ ଗାଈର ଝିଅ ଓ ବୋହୂର ପୁଅ ମନାସି କେତେ ଦିଅଁ ଦେବତାଙ୍କୁ ପୂଜା କରୁଛି। କିନ୍ତୁ ବିପରୀତ ହେଲେ ଅର୍ଥାତ୍‌ ଗାଈର ପୁଅ ଓ ବୋହୂର ଝିଅ ହେଲେ ସତେ ଯେପରି ଏହା ଦୈବୀ ଅଭିଶାପ ବୋଲି ନିଜକୁ ଧିକ୍କାର କରୁଛି। ଏତଦ୍‌ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ମରୁଡି ଓ ବାତ୍ୟା ଭାରତୀୟ କୃଷକର ଶତ୍ରୁ ରୂପେ ପ୍ରାୟତଃ ଦଣ୍ଡାୟମାନ।
ଗୋସମ୍ପଦରୁ ପ୍ରାପ୍ତ ଗୋବର କୃଷି ପାଇଁ ଏକ ଅମୂଲ୍ୟ ସମ୍ପଦ। ଆମ ଦେଶରେ ଉପଲବ୍ଧ ଗୋବରର ୯୦ ଭାଗ ଘଷି ଆକାରରେ ଗ୍ରାମାଞ୍ଚଳରେ ଜାଳେଣି ରୂପେ ବ୍ୟବହୃତ ହୋଇଥାଏ। ବୈଜ୍ଞାନିକ ସର୍ବେକ୍ଷଣ ଅନୁସାରେ ଆମ ଦେଶରେ ଉପଲବ୍ଧ ସମସ୍ତ ଗୋବରକୁ ଯଦି ଖତସାର ରୂପେ ଜମିରେ ବ୍ୟବହାର କରାଯାନ୍ତା ତେବେ ତାହା ୨୨୫ ମିଲିୟନ ଏକର ଜମିକୁ ଉର୍ବର କରିପାରନ୍ତା ଓ ସେଥିରୁ ପ୍ରାୟ ୨୫ ମିଲିୟନ ଟନ ଅଧିକ ଖାଦ୍ୟଶସ୍ୟ ଉତ୍ପନ୍ନ ହୁଅନ୍ତା। ବାୟୋଗ୍ୟାସ୍‌ ପ୍ଲାଣ୍ଟ ସ୍ଥାପନ କରି ଗୋବରରୁ ଗ୍ୟାସ୍‌ ଉତ୍ପାଦନ କରାଯାଇ ଘରେ ଘରେ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ହୋଇପାରନ୍ତା। ଗ୍ୟାସ୍‌ ଉତ୍ପାଦନ ପରେ ମଧ୍ୟ ଗୋବରକୁ ଖତରୂପେ ବ୍ୟବହାର କରାଯାଇପାରନ୍ତା। ଗୋବର ରାସାୟନିକ ସାରର ଏକ ଉତ୍କୃଷ୍ଟ ବିକଳ୍ପ। ଗ୍ରାମାଞ୍ଚଳରେ ବହୁ ପ୍ରାଚୀନ କାଳରୁ ଥିବା ପୁଷ୍କରିଣୀ ଓ ବୃହତ୍‌ ଜଳାଶୟଗୁଡିକ ଜଳଶୁଷ୍କତାର ଶିକାର ହୋଇଛନ୍ତି। ପୂର୍ବେ ଉପଲବ୍ଧ ବିଭିନ୍ନ ପ୍ରଜାତିର ଦେଶୀ ମାଛ ଏବେ ସାତ ସପନ। ପୁଷ୍କରିଣୀଗୁଡିକ ଅଯତ୍ନର ଶିକାର ହୋଇ କ୍ରମେ ଜଳଧାରଣ କ୍ଷମତା ହରାଇ ବସିଛନ୍ତି। ସେଗୁଡିକରେ ଦଳ ଭର୍ତ୍ତି ହୋଇ ମଶାବଂଶ ବୃଦ୍ଧିରେ ସହାୟକ ହେଉଛି। ନିକଟରେ ଘଟିଥିବା ଅଦିନିଆ ବାତ୍ୟା ସହରୀ ଓ ଗ୍ରାମୀଣ ଲୋକମାନଙ୍କୁ ଜଳାଶୟ ସ୍ନାନର ଅନୁଭୂତିକୁ ଉଜ୍ଜୀବିତ କରିଛି। ପୁଷ୍କରିଣୀ ଓ ନଦୀ ସ୍ନାନରେ ଅନଭ୍ୟସ୍ତ ଆଜିର ଯୁବଗୋଷ୍ଠୀ ପର୍ଯ୍ୟଟନ ଓ ବଣଭୋଜି ସମୟରେ ସନ୍ତରଣ ଅନଭିଜ୍ଞତା ଯୋଗୁ ସଲିଳସମାଧି ବରଣ କରିବାର ଦୁଃସମ୍ବାଦ ବିଭିନ୍ନ ଗଣମାଧ୍ୟମରୁ ପ୍ରାପ୍ତ ହେଉଛି।
ଉଠା ଜଳସେଚନ ଓ ନଳକୂପରୁ ପର୍ଯ୍ୟାପ୍ତ ଜଳ ଉତ୍ତୋଳନ ଫଳରେ ଭୂନିମ୍ନସ୍ଥ ଜଳ ସ୍ତର ହ୍ରାସ ପାଉଛି। ଗ୍ରୀଷ୍ମର ଯଥେଷ୍ଟ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଜଳକଷ୍ଟ ଦେଖାଦେଉଛି। ପାର୍ବତ୍ୟାଞ୍ଚଳ ଶିଳାଶୂନ୍ୟ ହୋଇ ସମତଳ ଅଞ୍ଚଳରେ କଂକ୍ରିଟସ୍ତୂପ ଗଢିଉଠିଲାଣି। ତାପମାତ୍ରାର ଅସ୍ବାଭାବିକ ବୃଦ୍ଧି ଓ ଅନିୟମିତ ବୃଷ୍ଟିପାତ ସହ ନାନା ପ୍ରାକୃତିକ ବିପତ୍ତି ମଣିଷର ସ୍ଥିତି ପ୍ରତି ଆହ୍ବାନ ସୃଷ୍ଟି କଲାଣି। କୋଟି କୋଟି ବର୍ଷରୁ ସଞ୍ଚିତ ଖଣିଜ ପଦାର୍ଥ ଓ ଖଣିଜ ତୈଳ ଉତ୍ତୋଳିତ ହୋଇ ଭୂ-ଅଭ୍ୟନ୍ତର ଶୂନ୍ୟ ହେବାକୁ ବସିଲାଣି। ଭବିଷ୍ୟତରେ କେତେ ଯେ ବିପତ୍ତି ଘଟିବ ତାହା ଆକଳନ କରିବା କଷ୍ଟକର। ପ୍ରାକୃତିକ ସମ୍ପଦରେ ମିତବ୍ୟୟିତା ରକ୍ଷା ନ କଲେ ଆମ ବିକାଶ ବିନାଶରେ ରୂପାନ୍ତରିତ ହେବାକୁ ବେଶି ଡେରି ନାହିଁ। ମଣିଷ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରୁଛି। ଆପଣା ହସ୍ତେ ଜିହ୍ବା ଛେଦି, କେ ଅଛି ତା’ର ପ୍ରତିବାଦୀ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri