ଆସ, ଘରକୁ ଯିବା

ସୁଧାକର ଦାସ

ବନମାଳୀର ଚା’ ଦୋକାନ ବନ୍ଦ ହେବା ଆଜିକୁ ୪୮ ଦିନ ହେଇଗଲା। ଚା’ ଛଡା ବିସ୍କୁଟ, କେକ୍‌, ଗୁଟ୍‌ଖା, ସିଗାରେଟ୍‌ ମିଶେଇଲେ ଟଙ୍କା ୩୦୦୦ ଭଳିଆ ବେପାର କରୁଥିଲା। ଦିନକୁ ଲାଭ ୫୦୦ ଥୁଆ। ରାତି ୮ ଟା ବେଳକୁ ଭଙ୍ଗା ବିସ୍କୁଟ ଆଉ ଫିମ୍ପିମରା କେକ୍‌ଗୁଡା ତା’ ଦୋକାନ ସାମ୍ନାରେ ନିୟମିତ ଗ୍ରାହକମାନଙ୍କ ଅପେକ୍ଷାରେ ରହୁଥିବା ତିନି ଚାରୋଟି କୁକୁରଙ୍କୁ ବାଣ୍ଟି ଦିଏ ସେ। କେଟ୍‌ଲି, ଗ୍ଲାସ୍‌, ଚା’ କପ୍‌ ସବୁ ଗୋଟେ ଜରି ବସ୍ତାରେ ବାନ୍ଧି ଦୋକାନ ବନ୍ଦ କରି ହ୍ବିଶିଲ୍‌ ମାରି ସାଇକେଲ ଗଡାଏ ଘର ଆଡେ। ବନମାଳୀ ଘରେ ପହଞ୍ଚିବା ବେଳକୁ ଭଜା ସନ୍ତୁଳା ଯାହା ଟିକେ କରିଦେଇ ଥାଏ ସୁଶୀଳା। ବନମାଳୀ ଘରେ ପହଞ୍ଚି କୋଳ ଛୁଆଟାକୁ ପାଖକୁ ନେଲେ ଗରମ ଗରମ ରୁଟି ବନାଏ ସୁଶୀଳା। କୋଳରେ କୁନି ପୁଅର ଗୁଲୁରୁ ଗୁଲୁରୁ ହସ, ଗରମ ରୁଟି ସାଙ୍ଗକୁ କଞ୍ଚା ପିଆଜ ଓ ଲଙ୍କାର ସ୍ବାଦ, ଆଖି ଆଗରେ ବିନ୍ଦୁ ବିନ୍ଦୁ ଝାଳରେ ଚିକ୍‌ମିକ୍‌ କରୁଥିବା ସୁଶୀଳାର କମକୁଟ ମୁହଁ, ତା’ ଭିତରେ ବନମାଳୀର ରାତି କେମିତି ଗୋଟାଏ ମିଠା ଭୁରୁ ଭୁରୁ ମହକରେ ବାସୁ ବାସୁ ସକାଳ ହେଇଯାଏ। ସହରତଳି ବସ୍ତିରେ ବଖରାଏ ଟିଣ ଛପର ଘରେ ବନମାଳୀର ସଂସାର। ନିଜ ପରିବାରର ଖର୍ଚ୍ଚବାର୍ଚ ତୁଲେଇ, ଗାଁରେ ରହୁଥିବା ବିଧବା ମା’ ଆଉ ଅଭିଆଡୀ ଭଉଣୀ ପାଇଁ ମାସକୁ ମାସ କିଛି ପଇସା ବି ପଠାଏ ବନମାଳୀ। ସୁଶୀଳା ବନମାଳୀକୁ ବଦଖର୍ଚ୍ଚୀ ବୋଲି ଅପବାଦ ଦିଏ। ଦିନେ ଦିନେ ବନମାଳୀ ଘରକୁ ଫେରିବାବେଳେ ଢାବାରୁ କୁକୁଡା ଝୋଳ ଆଣି ଆସେ, ସେଦିନ ତା’ ପାଟିଟା କେମିତି ଫୁରକୁଟିଆ ଫୁରକୁଟିଆ ବାସୁଥାଏ। ଖଣ୍ଡେ ଲୁଗା ଆଣିବାକୁ କହିଲେ ତିନି ଖଣ୍ଡ ଧରି ପହଞ୍ଚେ। ପୂଜାପାର୍ବଣରେ କେବେ କେମିତି ଗାଁକୁ ଗଲେ ବୋଉ ପାଇଁ ଗୁଆ, ଗୁଣ୍ଡି, ଗୁଡାଖୁଠୁ ନେଇ ଭଉଣୀ ପାଇଁ ହେୟାର କ୍ଲିପ୍‌, ବାସନା ତେଲ, କ୍ରୀମ୍‌, ପାଉଡର ଯାଏ ଗୋଟେ ଗଣ୍ଠିଲି ବାନ୍ଧେ ସେ। ଏଗୁଡା ଜମାରୁ ସୁଶୀଳାର ଦେହରେ ଯାଏନି। କୋଳରେ ଛୁଆଟା, କାଲି ସକାଳେ ଦେହପା’ ଭଲମନ୍ଦ ଅଛି, ଦି ପଇସା ସଞ୍ଚି ରଖନ୍ତା ହେଲେ! ସୁଶୀଳାର ହଜାରେ ନେହୁରାକୁ ଫୁ’ କରି ବନମାଳୀ କହେ ଯେତେଦିନ ମୋ ହାତ ଚାଲୁଥିବ ତମ ମା’ଛୁଆଙ୍କର କିଛି ଅସୁବିଧା ହବନି, ବାକି କଥାରେ ତୁ ମାଇପି ଲୋକ ମୁଣ୍ଡ ପୂରାନା।
ହେଲେ ଏଇ ୪୮ ଦିନ ଭିତରେ କେମିତି ବଦଳିଯାଇଛି ବନମାଳୀ। ମୁହଁରେ ସେ ଠୋ ଫଟକା କଥା ନାହିଁ, ଚେହେରାରେ ଦମ୍ଭ ନାହିଁ। କୋଳ ଛୁଆଟାର ଗୁଲୁରୁ ଗୁଲୁରୁ ହସରେ ଫାଟି ପଡୁନି ତା’ ଟିଣଛପର ଭଡାଘରର ଚାରି କାନ୍ଥ, ସୁଶୀଳାର ମୁହଁଟା ଥମ୍‌ ଥମ୍‌, କମକୁଟ ମୁହଁରୁ ତା’ର ଉଭାନ ହେଇଯାଇଛି ଝଲମଲ କାନ୍ତି। ଘରେ ଚାଉଳ, ଅଟା, ଡାଲି ଡବା ସବୁ ଫାଙ୍କା। ପରିବା ଡାଲାରେ ପଡି ରହିଥିବା କିଛି ପିଆଜ ରସୁଣ ଚୋପା ଯେମିତି ପରିହାସ କରୁଛନ୍ତି ବନମାଳୀର ପାରିବାପଣିଆକୁ! କାହାକୁ ଗୋଟେ ଫୋନ୍‌ କରି ପଇସା ଧାର ମାଗିବ ବୋଲି ବନମାଳୀ, ମୋବାଇଲଟା ହାତକୁ ନେଇ ଆସିବା ପରେ ହଠାତ୍‌ ତା’ର ମନେପଡିଲା କଲ୍‌ କରିବାକୁ ସେଥିରେ ବି ପଇସା ନାହିଁ। ଧେତ୍‌…! ଚିତ୍କାର କରି ଫୋନ୍‌ଟାକୁ ଖୁବ୍‌ ଜୋରରେ କାନ୍ଥ ଉପରକୁ ଫିଙ୍ଗିଦେଲା ବନମାଳୀ। ତିନି ଚାରି ଖଣ୍ଡ ହେଇ ଭାଙ୍ଗିଯାଇ ପଡି ରହିଲା ଲକ୍‌ଡାଉନ୍‌ ସମୟର ଏକମାତ୍ର ଯୋଗାଯୋଗର ମାଧ୍ୟମଟି। ବସିବା ଜାଗାରୁ ଗର୍ଜନ କରି ଉଠିଆସିଲା ସୁଶୀଳା, ”କାହିଁକି ଭାଙ୍ଗିଦେଲୁ ତାକୁ? ମୁଁ ଗୁପ୍‌ଚୁପ୍‌ ବେପାରୀ ନରିଆ ସ୍ତ୍ରୀକୁ କହିଥିଲି, ସେ ଏଇ ମୋବାଇଲ ଫୋନ୍‌କୁ ନେଇ ହଜାରେ ଟଙ୍କା ଦେଇଥାନ୍ତା। ସେଇ ପଇସାରେ ଡାଲି, ଚାଉଳ, ଅଟା, ଛୁଆର ଓଷଦ ଆସିଥାନ୍ତା। ବାଡିପଡ଼ା, ନିଜେ ତ ଭୋକଉପାସରେ ମରିବୁ, ଆମ ମା’ଛୁଆଙ୍କୁ ବି ମାରିବୁ ବସିଛୁ! ଏତିକି କଥାରେ ପିତ୍ତ ଉଠିଗଲା ବନମାଳୀ ମୁଣ୍ଡକୁ। ଉଠିଯାଇ ଭିଡି ଧରିଲା ସୁଶୀଳାର ଚୁଟିକୁ। ରାଗରେ କାଣ୍ଡଜ୍ଞାନ ହରାଇଥିବା ବନମାଳୀ ସୁଶୀଳାର ମୁଣ୍ଡକୁ ଖୁବ୍‌ ଜୋରରେ ଆଣି ପିଟିଦେଲା କାନ୍ଥରେ। ମା’ ଠାଏ, ଛୁଆ ଠାଏ। ସୁଶୀଳା ମୁଣ୍ଡରୁ ଧାର ଧାର ଛୁଟୁଛି ରକ୍ତ, ଛୁଆଟି କାନ୍ଦୁଛି ହାଉଳିଖାଇ। ଏତିକିବେଳେ ଲକ୍‌ଡାଉନ୍‌ ପାଟ୍ରୋଲିଙ୍ଗ୍‌ରେ ଯାଉଥିବା ପୁଲିସ ଭ୍ୟାନ୍‌ ଅଟକିଗଲା ବନମାଳୀ ଘର ସାମ୍ନାରେ। ପୁଲିସ କଲ୍‌ରେ ଆମ୍ବୁଲାନ୍ସ ଆସି ହସ୍ପିଟାଲକୁ ନେଇଗଲା ସୁଶୀଳାକୁ। ପୁଲିସ ବନମାଳୀକୁ ନେଇଗଲା ଥାନାକୁ।
ଆଠଦିନ ପରେ ଆଜି ହାଜତରୁ ବାହାରିଛି ବନମାଳୀ। ସଞ୍ଜ ନଇଁ ଆସୁଛି। ମନେ ପଡୁଛି ସୁଶୀଳାର ରକ୍ତଧୁଆ ମୁହଁ, ଛୁଆର ଛାତିଫଟା ବିକଳ କାନ୍ଦଣା। ଆଖି ଆଗରେ ନାଚିଯାଉଛି ଲକ୍‌ଡାଉନ୍‌ ତୋଫାନରେ ମାଟିକାମୁଡି ପଡିଥିବା ତା’ ହସଖୁସିର ସଂସାର। ଚାଲୁ ଚାଲୁ ନିଜ ଅଜାଣତରେ ବନମାଳୀ କେତେବେଳେ ଆସି ତା’ ଚା’ ଦୋକାନ ପାଖରେ ପହଞ୍ଚି ଯାଇଛି ସେ ନିଜେ ବି ଜାଣିପାରିନି। ଦୋକାନ ଆଗରେ ପଡିଥିବା ବେଞ୍ଚ ଉପରେ ବସି ପଡିଲା ବନମାଳୀ। କୋଉଠି ଥିଲେ କେଜାଣି, ତା’ ଦୋକାନ ଆଗରେ ସବୁବେଳେ ଘୂରି ବୁଲୁଥିବା ଚାରିଟାଯାକ କୁକୁର ତାକୁ ଆସି ଘେରିଗଲେ। କିଏ ଚାଟି ପକାଇଲାଣି ତ, କିଏ ଶୁଙ୍ଘି ପକାଇଲାଣି, ପୁଣି କିଏ ଆଗ ଦୁଇଗୋଡ ଟେକି ଥୋଇଲାଣି ବନମାଳୀର ଆଣ୍ଠୁ ଉପରେ। ବନମାଳୀ କାହାର ବି ମୁହଁ ଦେହ ଅନ୍ଧାରରେ ଦେଖିପାରୁ ନ ଥିଲେ ମଧ୍ୟ ସେମାନଙ୍କ ଦେହରେ ହାତ ବୁଲେଇ ଜାଣିପାରୁଥିଲା ପଶୁଗୁଡା ଏତେ ଦିନ ହେଲା ଖାଇବାକୁ ନ ପାଇ କଙ୍କାଳସାର ହେଇଗଲେଣି। ହେଲେ ନାଚାର ଥିଲା ବନମାଳୀ। ଏତିକିବେଳେ କାନରେ ପଡିଲା ଚାଲି ଚାଲି ଯାଉଥିବା ଦୁଇ ଜଣ ଲୋକଙ୍କ କଥା। ଜଣେ ପଚାରୁଥିଲା, ବିଚରା ବନମାଳୀର ଚା’ ଦୋକାନ ପୁଣି ଫିଟିବ କେବେ, କେମିତି ଚଳୁଥିବ ସେ? ଆର ଜଣକ କହୁଥିଲା, ତମେ ଜାଣିନ କି, ସେ ପରା ଏବେ ଘରୋଇ ହିଂସା କେସ୍‌ରେ ହାଜତରେ। ବନମାଳୀର ମୁଣ୍ଡ ଉପରଦେଇ ଏଇ ଘରୋଇ ହିଂସା କଥାଟା ଅନ୍ଧାରରେ ମିଶିଗଲା। କିନ୍ତୁ ତା’ ମୁଣ୍ଡରେ ଯେତିକି ବୁଦ୍ଧି ସେତିକିରେ ସେ କ’ଣ ବୁଝିଲା କେଜାଣି, ଗୋଟାଏ କୁକୁରକୁ କୁଣ୍ଢେଇ ପକେଇ କୋହ ଉଠେଇ କହିଲା ମୋ ପାଖରେ ନାହିଁ ବୋଲି ମୁଁ ତୁମକୁ କିଛି ଖାଇବାକୁ ଦେଇପାରୁନି, ହେଲେ ମୁଁ କ’ଣ ତୁମକୁ ହିଂସା କରେ? ଏତିକିବେଳେ ଅଚାନକ ତା’ କାନ୍ଧ ଉପରେ କାହା ହାତର ଛୁଆଁରେ ବନମାଳୀ ବୁଲିପଡି ଦେଖିଲା, ସୁଶୀଳା ଛୁଆକୁ କାଖେଇ ଠିଆହେଇ କରୁଣ କଣ୍ଠରେ କହୁଛି- ଆସ, ଘରକୁ ଯିବା।

ସ୍ବାହା, କେନାଲ ରୋଡ୍‌, ଛତ୍ର ବଜାର, କଟକ,
ମୋ- ୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri