ଶେଖ୍ ଫରିଦ୍ଉଦ୍ଦିନ
ପୃଥିବୀର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଜନିତ ବିବିଧ ସମସ୍ୟା ମଣିଷ ପାଇଁ ଉଦ୍ବେଗର କାରଣ ହେଲାଣି। ଶିଳ୍ପ, କଳକାରଖାନା ଓ ଗାଡ଼ିମୋଟର ଚଳାଚଳରୁ ଧୂଆଁ ବାହାରି ଗ୍ରୀନ୍ ହାଉସ ଗ୍ୟାସ୍ ବୃଦ୍ଧି ପାଇ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ଓ ତାପମାତ୍ରା ବୃଦ୍ଧି ପାଉଛି। ଜଙ୍ଗଲକଟା, ଜଙ୍ଗଲ ପୋଡ଼ି ଯୋଗୁ ବାୟୁମଣ୍ଡଳରେ ବ୍ଲାକ କାର୍ବନ ‘ଏରୋସୋଲ୍’ର ବୃଦ୍ଧି ମଧ୍ୟ ତାପମାତ୍ରା ବଢ଼ାଉଛି। ହିମାଳୟ ପର୍ବତମାଳାର ବରଫାବୃତ୍ତ ଶୃଙ୍ଗ ଉପରେ ଏହି ବ୍ଲାକ କାର୍ବନ ଜମିବା ଫଳରେ ତାପମାତ୍ରା ବଢ଼ି ବରଫ ତରଳିବାରେ ଲାଗିଛି।
ଅନ୍ତଃରାଷ୍ଟ୍ରୀୟ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ମଣ୍ଡଳୀଙ୍କ ମତାନୁସାରେ, ପୃଥିବୀର ତାପମାତ୍ରା ୧.୧ ସେଣ୍ଟିଗ୍ରେଡରୁ ୬.୪ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ଆଗାମୀ ଶହେବର୍ଷ ମଧ୍ୟରେ ବୃଦ୍ଧି ପାଇପାରେ। ୨୦୦୯ ଡିସେମ୍ବରରେ କୋପେନ୍ହେଗେନ୍ଠାରେ ଜାତିସଂଘ ତରଫରୁ ବସିଥିବା ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ଯେ, ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍ ଶିଳ୍ପ ବିକାଶଧାରାର ଉତ୍ତାପଠାରୁ ୨୦ ସେଣ୍ଟିଗ୍ରେଡ ତାପମାତ୍ରା ତଳକୁ ଖସାଇ ରଖିବାକୁ ପଡ଼ିବ। ପୃଥିବୀର ତାପମାତ୍ରା ବଢ଼ି ଭୂପୃଷ୍ଠକୁ ଉତ୍ତପ୍ତ କରିବା ସଙ୍ଗେ ସଙ୍ଗେ ସମୁଦ୍ରକୁ ବି ଉତ୍ତପ୍ତ କରୁଛି। ସମୁଦ୍ର ଜଳଭଣ୍ଡାର ସମ୍ପ୍ରସାରିତ ହୋଇ ଜଳପତ୍ତନ ବଢ଼ୁଛି। ଉତ୍ତରମେରୁ ଆର୍କଟିକ୍ ଓ ଦକ୍ଷିଣମେରୁ ଆଣ୍ଟାର୍କଟିକାରେ ରହିଛି ପରସ୍ତ ପରସ୍ତ ବରଫର ଦିଗନ୍ତବିସ୍ତାରୀ ଶୁଭ୍ର ଆବରଣ। ଆଟଲାଣ୍ଟିକ୍ ମହାସାଗରର ଦକ୍ଷିଣ ପଶ୍ଚିମକୁ ରହିଛି ବରଫାବୃତ୍ତ ଗ୍ରୀନ୍ଲାଣ୍ଡ ଦ୍ୱୀପ। ସମଗ୍ର ପୃଥିବୀର ଶତକଡ଼ା ୯୦ ଭାଗ ବରଫ ରହିଛି ଏହି ମେରୁ ଅଞ୍ଚଳରେ। ଆଉ ଶତକଡ଼ା ୧୦ ଭାଗ ବରଫ ରହିଛି ପୃଥିବୀର ବିଭିନ୍ନ ଦେଶର ଉଚ୍ଚ ପର୍ବତମାଳାର ଶିଖରରେ ରହିଥିବା ଗ୍ଲାସିଅର୍ଗୁଡ଼ିକରେ। ଉତ୍ତରମେରୁ ଅଞ୍ଚଳର ତାପମାତ୍ରା ବଢ଼ୁଛି। ଉତ୍ତରମେରୁ ଉପରକୁ ଘନୀଭୂତ ଥିବା ପୋଲାର ଆଇସ୍ କ୍ୟାପ୍ ତରଳିବା ଫଳରେ ଅଧିକ ସଂକୁଚିତ ହୋଇଗଲାଣି। ନାସା ଉତ୍ତୋଳିତ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼େ ଉତ୍ତରମେରୁର ଚିର ବରଫାବୃତ୍ତ ଅଞ୍ଚଳ ୧୦ ବର୍ଷ ଭିତରେ ପ୍ରାୟ ଶତକଡ଼ା ୯ ଭାଗ ତରଳିଯାଇଛି। ତାପମାତ୍ରା ବୃଦ୍ଧି ଫଳରେ ଉତ୍ତରମେରୁର ଆଟଲାଣ୍ଟିକ୍ ମହାସାଗରରେ ରହିଥିବା ବରଫସ୍ତର ଯେତେ କ୍ଷେତ୍ର ମାଡ଼ି ବସିଥିଲା ତା’ଠାରୁ ବର୍ତ୍ତମାନ କମିଯାଇଛି। ୨୦୦୫ ସେପ୍ଟେମ୍ବରଠାରୁ ୨୦୦୭ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୧୧ ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ବରଫ ଆବରଣ କମିଗଲାଣି। ଗ୍ଲାସିଅର ସମୁଦ୍ରକୁ ଚାଲିଆସି ଆଇସ୍ବର୍ଗରେ ପରିଣତ ହେବା ପ୍ରକ୍ରିୟାକୁ ଆଇସ୍ କାଭିଂ କୁହାଯାଏ। ଆଇସ୍ବର୍ଗ ସମୁଦ୍ରରେ କିଛି ଦିନ ଭାସ ତାପମାତ୍ରା ବୃଦ୍ଧି ପାଉଥିବା ଯୋଗୁ ସମୁଦ୍ର ଜଳରେ ସମ୍ପୂର୍ଣ୍ଣ ଭାବରେ ତରଳିଯାଇଥାଏ। ଏହି ପ୍ରକ୍ରିୟା ସମୁଦ୍ର ପତ୍ତନ ବଢ଼ାଇବାରେ ସାହାଯ୍ୟ କରିଥାଏ। ଆଣ୍ଟାର୍କଟିକାଠାରୁ ଗ୍ରୀନ୍ଲାଣ୍ଡରେ ୨୦୧୨ ମସିହାରେ ଆଶ୍ଚର୍ଯ୍ୟଜନକ ଭାବେ ବରଫ ଅଧିକ ତରଳିଛି। ଉତ୍ତାପ ବୃଦ୍ଧିର ଏହା ସଙ୍କେତ। ସମୁଦାୟ ଗ୍ରୀନ୍ଲାଣ୍ଡର ଜମାଟ ବାନ୍ଧିଥିବା ବରଫସ୍ତର ଯଦି ତରଳିଯାଏ ତେବେ ସମୁଦ୍ର ପତ୍ତନ ପ୍ରାୟ ୭ ମିଟର ବଢ଼ିଯିବ। ଏପରି ଅବସ୍ଥା ଯଦି ଆସେ ତେବେ ଲଣ୍ଡନ ଓ ଲସ୍ଏଞ୍ଜେଲ୍ସ ପରି ବଡ଼ ସହର ସମୁଦ୍ରରେ ବୁଡ଼ିଯିବ।
ଆଣ୍ଟାର୍କଟିକାର ଉତ୍ତରକୁ ଲାଗିରହିଥିବା ଦକ୍ଷିଣ ମହାସାଗର ଏବେ ଅଧିକ ଉଷ୍ମ ହେବାରେ ଲାଗିଛି। ଏହି ମହାସାଗରରେ ବାୟୁ ପ୍ରବାହର ବେଗ ଓ ଦିଗରେ ପରିବର୍ତ୍ତନ ଓ ଆଣ୍ଟାର୍କଟିକାର ଉପରିସ୍ଥ ବାୟୁମଣ୍ଡଳ ଷ୍ଟ୍ରାଟୋସ୍ଫିଅରରେ ଗ୍ଲୋବାଲ୍ ୱାର୍ମିଂ ଯୋଗୁ ସୃଷ୍ଟି ହୋଇଥିବା ଛିଦ୍ର ଓଜୋନ୍ ହୋଲ୍ର ଜଟିଳତା ଫଳରେ ଆଣ୍ଟାର୍କଟିକାର ସାମୁଦ୍ରିକ ବରଫସ୍ତରର କ୍ଷେତ୍ର ସାମାନ୍ୟ ବୃଦ୍ଧିପାଇଛି। ବିଗତ ୧୦୦୦ ବର୍ଷ ମଧ୍ୟରେ ବର୍ତ୍ତମାନର ଗ୍ଲୋବାଲ୍ ୱାର୍ମିଂ ଯେ ଆଣ୍ଟାର୍କଟିକାରେ ବେଶି ମାତ୍ରାରେ ବରଫ ତରଳାଉଛି ତା’ର ପ୍ରମାଣ ମିଳିଛି ବ୍ରିଟିଶ ଆଣ୍ଟାର୍କଟିକା ସର୍ଭେ କରିଥିବା ଏକ ୩୬୪ ମିଟର ଡ୍ରିଲିଂ ଖନନରୁ, ଯେଉଁଥିରୁ ବରଫ ଖଣ୍ଡର ନମୁନା ବାହାରି ଆଣ୍ଟାର୍କଟିକାରେ ତାପମାତ୍ରାରେ ପରିବର୍ତ୍ତନର ତଥ୍ୟ ଯୋଗାଉଛି। ବରଫ ଗଦା ଉପରେ ଏହି ଗଭୀର ଡ୍ରିଲିଂ ବିଜ୍ଞାନ ଗବେଷଣାରେ ଏକ ମାଇଲଖୁଣ୍ଟ କହିବା ଯଥାର୍ଥ ହେବ। ଆଣ୍ଟାର୍କଟିକାର ଏକ ବୃହତ୍ ଜମାଟ ବାନ୍ଧିଥିବା ବରଫସ୍ତର ହେଉଛି ଓ୍ବେଷ୍ଟ ଆଣ୍ଟାର୍କଟିକା ଆଇସ୍ସିଟ୍। ଯଦି ସମ୍ପୂର୍ଣ୍ଣ ଭାବରେ ତାପମାତ୍ରା ବୃଦ୍ଧିରେ ଏହା କେବେ ବିଗଳିତ ହୋଇଯାଏ ତେବେ ବିଶ୍ୱ ସମୁଦ୍ର ପତ୍ତନ ୬୧ ମିଟର ବଢ଼ିଯାଇପାରେ। ଏହି ରୋମାଞ୍ଚକାରୀ ସ୍ତୂପୀକୃତ ବରଫଗଦାରୁ ଯଦି ଖଣ୍ଡେ ବଡ଼ ଅଂଶ ବି ତରଳିଯାଏ ତାହାହେଲେ ତାହା ସମୁଦ୍ର ପତ୍ତନକୁ ୩ ରୁ ୬ ମିଟର ପର୍ଯ୍ୟନ୍ତ ବି ବଢ଼ାଇ ଦେଇପାରେ। ବର୍ଷକୁ ଆଣ୍ଟାର୍କଟିକାରୁ ହାରାହାରି ୭୦ ଗିଗାଟନ୍ ବରଫ ତରଳିଯାଉଛି। ବୈଜ୍ଞାନିକମାନେ ଆକଳନ କରୁଛନ୍ତି ଯେ ଗ୍ରୀନ୍ଲାଣ୍ଡ, ଆଣ୍ଟାର୍କଟିକା, ଆଟଲାଣ୍ଟିକ୍ ଓ ପାର୍ବତ୍ୟ ଶିଖରର ଗ୍ଲାସିଅରଗୁଡ଼ିକରେ ଜମାଟ ବାନ୍ଧିଥିବା ବରଫ ଯଦି ସବୁ ତରଳିଯାଏ ତେବେ ସମୁଦ୍ର ପତ୍ତନ ପ୍ରାୟ ୮୦ ମିଟର ପର୍ଯ୍ୟନ୍ତ ଉପରକୁ ଉଠିଯାଇପାରେ। ବର୍ତ୍ତମାନ ଅନ୍ତଃରାଷ୍ଟ୍ରୀୟ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ମଣ୍ଡଳୀଙ୍କ ମତ ଅନୁସାରେ ସମୁଦ୍ର ପତ୍ତନ ବର୍ଷକୁ ହାରାହାରି ୩.୨ ମିଲିମିଟର ହାରରେ ବଢ଼ୁଛି। ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନ ବଢ଼ି ଜଳବାୟୁ ଭବିଷ୍ୟତରେ ଅଧିକ ଉତ୍ତପ୍ତ ହେଲେ ଏକବିଂଶ ଶତାବ୍ଦୀ ଶେଷସୁଦ୍ଧା ସମୁଦ୍ର ପତ୍ତନ ୧ ମିଟରରୁ କିଛି ଅଧିକ ବଢ଼ିପାରେ। ଆମେରିକାର ଜାତୀୟ ସାମୁଦ୍ରିକ ବାୟୁମଣ୍ଡଳ ପ୍ରଶାସନିକ ପ୍ରତିଷ୍ଠାନ ନୋଆ ମତ ଦିଏ, ଏକବିଂଶ ଶତାବ୍ଦୀ ଶେଷ ବେଳକୁ ସମୁଦ୍ର ପତ୍ତନ ୨ ମିଟରରୁ ଅଧିକ ବଢ଼ିବାର ସମ୍ଭାବନା ଅଛି। ଅଧିକ କାର୍ବନ ଗ୍ୟାସ ନିର୍ଗମନ ଅଧିକ ସମୁଦ୍ର ପତ୍ତନ ବଢ଼ାଇବ। ଗ୍ଲୋବାଲ ୱାର୍ମିଂ ଯୋଗୁ ସମୁଦ୍ର ପତ୍ତନ ବଢ଼ିଲେ ଉପକୂଳ ପ୍ରତି ବିପଦ ଆସିବ। ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ସଂଖ୍ୟା ଓ ଭୟବହତା ଅଧିକ ବଢ଼ିଯିବ। ଅଧିକ ଉଚ୍ଚ ସମୁଦ୍ର ଢେଉ ଷ୍ଟର୍ମସର୍ଜ ଉପକୂଳ ଭିତରକୁ ବହୁଦୂର ପର୍ଯ୍ୟନ୍ତ ମାଡ଼ି ଆସିବ। ଏହା ସୃଷ୍ଟି କରିବ ପ୍ରଳୟଙ୍କରୀ ସାମୁଦ୍ରିକ ବନ୍ୟା। କୋଷ୍ଟାଲ୍ ଫ୍ଲଡିଂ। ଉପକୂଳର ଧନଜୀବନ ସମୁଦ୍ର ଗର୍ଭକୁ ଟାଣି ହୋଇଯିବ।
ସମୁଦ୍ରର ଭୟ ଉପକୂଳବର୍ତ୍ତୀ ଦେଶଗୁଡ଼ିକରେ ବର୍ତ୍ତମାନ ଆଲୋଡ଼ନ ସୃଷ୍ଟି କଲାଣି। ଆମେରିକାର ପୂର୍ବ ଆଟଲାଣ୍ଟିକ୍ ଉପକୂଳରେ ସାମୁଦ୍ରିକ ବିପର୍ଯ୍ୟୟରେ ଶତାଧିକ ସହର ବୁଡ଼ିଯିବାର ଭୟ ଦେଖାଦେଲାଣି। ଭାରତ ମହାସାଗରରେ ଥିବା ମାଳଦ୍ୱୀପର ଅନେକ ଭାଗ ସମୁଦ୍ରରେ ବୁଡ଼ିଯିବାକୁ ବସିଲାଣି। ଥାଇଲାଣ୍ଡ ଓ ବାଂଲାଦେଶ ଉପକୂଳକୁ ସମୁଦ୍ର କ୍ରମଶଃ ବୁଡ଼ାଇ ଦେଉଛି। ଭାରତର ପୂର୍ବ ଓ ପଶ୍ଚିମ ଉପୂକଳର ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ କେତେକ ସ୍ଥାନ ଜଳପ୍ଲାବିତ ହେବ। ଭାରତ ଓ ବିଶେଷ ଭାବରେ ଓଡ଼ିଶାର ୪୮୦ କିଲୋମିଟର ବ୍ୟାପୀ ଉପକୂଳର ସୁରକ୍ଷା ଏକାନ୍ତ ଆବଶ୍ୟକ। ଓଡ଼ିଶା ବାତ୍ୟାପ୍ରବଣ। ଜଳବାୟୁ ପରିବର୍ତ୍ତନ ଓ ସାମୁଦ୍ରିକ ବିପଦ ପ୍ରତି ସଚେତନତା ସୃଷ୍ଟି ସଙ୍ଗେ ସଙ୍ଗେ ଓଡ଼ିଶା ଉପକୂଳର ପୁରୀ-କୋଣାର୍କ ପରି ଐତିହ୍ୟସ୍ଥଳୀର ସୁରକ୍ଷା ଏକାନ୍ତ ଜରୁରୀ।
ମଧୁପୁର, କୁଅଁାପାଳ, କଟକ
ମୋ-୯୪୩୭୦୦୪୮୮୮