ନୂଆଦିଲ୍ଲୀ,୨୧।୫(ପି.ଟି.): ଇଭିଏମ୍ ବିଶ୍ୱସନୀୟତାର ପ୍ରମାଣ ଲାଗି ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍ର ଇଭିଏମ୍ ସଂଖ୍ୟା ସହ ଭିଭିପିଏଟି ସ୍ଲିପ୍ ଗଣନା କରିବା ଲାଗି ବ୍ୟବସ୍ଥା ହୋଇଛି। ଯଦି ଉଭୟ ସଂଖ୍ୟା ମେଳ ନ ଖାଏ, ତେବେ ଭିଭିପିଏଟି ସଂଖ୍ୟାକୁ କାଏମ ରଖାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ତେବେ ଇଭିଏମ୍ ଏବଂ ଭିଭିପିଏଟି ସଂଖ୍ୟାରେ ତାଳମେଳ ନ ରହିଲେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ସବୁ ଭିଭିପିଏଟି ସ୍ଲିପ୍ ଯାଞ୍ଚ କରିବା ଲାଗି ନୂଆ ନିୟମ ପ୍ରଣୟନ କରାଯାଉ ବୋଲି ସିପିଆଇ(ଏମ୍) ପକ୍ଷରୁ ଦାବି କରାଯାଇଛି। ୫୦ ପ୍ରତିଶତ ଇଭିଏମ୍କୁ ଭିଭିପିଏଟି ସ୍ଲିପ୍ ସହ ମେଳ କରିବାକୁ ୨୧ଟି ବିରୋଧୀ ଦଳ ପକ୍ଷରୁ ଦାଏର ରିଭ୍ୟୁ ପିଟିଶନ ସୁପ୍ରିମକୋର୍ଟରେ ଖାରଜ ହୋଇଯିବା ପରେ ଏଥିପାଇଁ ନୂଆ ନିୟମ ପ୍ରଣୟନ କରିବାକୁ ବିରୋଧୀ ଦଳଗୁଡିକ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଦାବି କରିଥିଲେ। ଯଦି ଗୋଟିଏ ଭିଭିପିଏଟି ଗଣନା ଇଭିଏମ୍ ସହ ସମାନ ନ ହୁଏ, ତେବେ ଏହାର ନିର୍ବାଚନ ପ୍ରକ୍ରିୟାର ସାଧୁତା ଉପରେ ପ୍ରଶ୍ନ ଉଠାଇବ। ସେଥିପାଇଁ ଉକ୍ତ ନର୍ବାଚନ ମଣ୍ଡଳୀର ସମସ୍ତ ଭିଭିପିଏଟି ଯାଞ୍ଚ ହେବା ଜରୁରୀ ବୋଲି ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି।