ଇସ୍ଲାମାବାଦ,୩୧।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛି। ଯଦିଓ ଭାରତର ଏହା ଆଭ୍ୟନ୍ତରୀଣ ମାମଲା ତଥାପି ଏହାକୁ ନେଇ ପାକିସ୍ତାନ ବିଶ୍ୱର ଅନେକ ଦେଶଙ୍କ ମଧ୍ୟସ୍ଥତା ମଧ୍ୟ ଲୋଡି ସାରିଲାଣି। ହେଲେ ଏଥିରେ କେହି ତାକୁ ସହଯୋଗ କରୁ ନାହାଁନ୍ତି। ଏହାକୁ ନେଇ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଥିବା ବେଳେ ଏବେ ପାକିସ୍ତାନ ସେନା ମୁଖ୍ୟ ମଧ୍ୟ ଭାରତକୁ ଚେତାବନୀ ଦେଇଛନ୍ତି। ଜେନେରାଲ କ୍ୱାମର ଜାଭେଦ ବାଜଓ୍ବା କହିଛନ୍ତି କଶ୍ମୀର ସମସ୍ୟା ପାଇଁ କେବେ ସୀମାରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଭାରତ ପକ୍ଷରୁ ଯଦି କୌଣସି ହିଂସାର ସୂତ୍ରପାତ ହୁଏ ତେବେ ତା’ର କଡା ଜବାବ ଦିଆଯିବ।