ଭୁବନେଶ୍ୱର, ୧ା୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପାଣି ସମସ୍ୟାକୁ ନେଇ ଅଶାନ୍ତି ଦେଖାଦେଇଛି। ଗୁରୁବାର ଛାତ୍ରମାନେ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଗୁରୁବାର ଅପରାହ୍ନ ପ୍ରାୟ ୨ଟାରୁ ଗୋପବନ୍ଧୁ ଛାତ୍ରାବାସ ଏବଂ ମଧୁସୂଦନ ଛାତ୍ରାବାସରେ ପାଣି ଆସୁ ନ ଥିବା ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି। ଏଥିଯୋଗୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅନ୍ତେବାସୀମାନେ କହିଛନ୍ତି। ଏପଟେ ବାତ୍ୟା ଫନୀ ଯୋଗୁ ବିଭିନ୍ନ ବିଭାଗର ପରୀକ୍ଷା ହେବାରେ ବିଳମ୍ବ ହୋଇଥିଲା। ବର୍ତ୍ତମାନ ପରୀକ୍ଷା ଚାଲିଥିବାବେଳେ ପାଣି ସମସ୍ୟା ଯୋଗୁ ଛାତ୍ରମାନେ ହନ୍ତସନ୍ତ ହେଉଛନ୍ତି। ଗୁରୁବାର ସନ୍ଧ୍ୟାରେ ଛାତ୍ରମାନେ ଏ ନେଇ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ଦୁଇଟି ହଷ୍ଟେଲର ଶତାଧିକ ଛାତ୍ର ଏକାଠି ହୋଇ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।