ଲକ୍ଷ୍ନୌ,୨୫।୨: ଉତ୍ତରପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଦୋଷୀ ଭାଜପା ବିଧାୟକ କୁଲଦୀପ ସିଂହ ସେନ୍ଗାରଙ୍କ ବିଧାନସଭା ସଦସ୍ୟତା ଶେଷ ହୋଇଛି। ଏହାପରେ ସେ ଆଉ ବିଧାୟକ ହୋଇ ରହିବେ ନାହିଁ। ଏନେଇ ବିଧାନସଭାର ମୁଖ୍ୟ ସଚିବ ପ୍ରଦୀପ କୁମାର ଦୁବେ ଏକ ଅଧିସୂଚନା ଜାରି କରିଛନ୍ତି। ଏହି ଅଧିସୂଚନା ଅନୁସାରେ ଯେଉଁଦିନ କୁଲଦୀପଙ୍କ ଦଣ୍ଡ ଶୁଣାଣି ହୋଇଛି ସେହିଦିନଠାରୁ ତାଙ୍କର ବିଧାନସଭା ସଦସ୍ୟତା ଶେଷ ହୋଇଯାଇଛି। ଅର୍ଥାତ୍ ୨୦୧୯ ଡିସେମ୍ବର ୨୦ରୁ ତାଙ୍କର ଏହି ସଦସ୍ୟତା ଶେଷ ହୋଇଛି। ଫଳରେ ଉନ୍ନାଓ ଜିଲାର ବାଙ୍ଗରମଉ ବିଧାନସଭା ଆସନ ଏବେ ଖାଲି ପଡ଼ିଛି। କାରଣ ଏହି ଆସନରୁ କୁଲଦୀପ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ୨୦୧୯ ଡିସେମ୍ବର ୨୦ରେ ତାଙ୍କୁ ଦୋଷୀ ସ୍ବୀକାର କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପୂର୍ବରୁ ଭାଜପା ତାଙ୍କୁ ଦଳରୁ ବହିଷ୍କାର କରିଥିବା ବେଳେ ଏବେ ତାଙ୍କର ବିଧାନସଭା ସଦସ୍ୟତା ମଧ୍ୟ ଶେଷ ହୋଇଛି।