ନୂଆଦିଲ୍ଲୀ,୨୧।୫-ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକ ଲାଗି ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ଯୋଗାଇ ଦେବେ। କେନ୍ଦ୍ର କ୍ୟାବିନେଟ ଏହି ଯୋଜନାକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟିଂ ସ୍କିମ୍ (ଇସିଏଲ୍ଜିଏସ୍) ଦ୍ୱାରା ୯.୨୫% ସୁଧହାରରେ ଏହି ଋଣ କ୍ଷୁଦ୍ର ଶିଳ୍ପଗୁଡିକୁ ଯୋଗାଇ ଦିଆଯିବ। କରୋନା ପ୍ରଭାବ ଯୋଗୁ ଦେଶର ଏମ୍ଏସ୍ଏମ୍ଇ କ୍ଷତିଗ୍ରସ୍ତ ହୋଇଥିବାରୁ ଶିଳ୍ପଗୁଡିକୁ ସହାୟତା କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ୨୦ ଲକ୍ଷ କୋଟି ଟଙ୍କାର କୋଭିଡ୍-୧୯ ପ୍ୟାକେଜ ମଧ୍ୟରେ ଏହି ଯୋଜନା ପ୍ରମୁଖରେ ରହିଛି। ସେହିଭଳି ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡିକୁ ସଙ୍ଗଠିତ ରୂପ ପ୍ରଦାନ କରିବା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାବାଦ ପ୍ରଧାନମନ୍ତ୍ରୀ ବୟୋବନ୍ଧନ ଯୋଜନାର ମିଆଦ ବୃଦ୍ଧିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ୨୦୨୦ ମାର୍ଚ୍ଚ ୩୧ ଯାଏ ରହିଥିବା ଏହି ଯୋଜନାକୁ ୩ ବର୍ଷ ବୃଦ୍ଧି କରାଯାଇ ୨୦୨୩ ମାର୍ଚ୍ଚ ୩୧ କରାଯାଇଥିବା ଜଣାପଡିଛି।