ଏ ଯୋଦ୍ଧା ବି କମ୍‌ ନୁହନ୍ତି

ଡ. ନିରଞ୍ଜନ ପାଢ଼ୀ

ଆମ ଭାରତକୁ ୨ ମାସ ଓ ଅବଶିଷ୍ଟ ବିଶ୍ୱକୁ ପ୍ରାୟ ୪ ମାସ ପୂରିବାକୁ ଯାଉଛି ଗୋଟିଏ ଅଦୃଶ୍ୟ ଶତ୍ରୁ ସହ ଲଢ଼ି ଏ ଯାଏ ବିଜୟୀ ହୋଇ ନ ପାରିବାର ଆତ୍ମଗ୍ଳାନିରେ। ବିଶ୍ୱର ସମଗ୍ର ମାନବଜାତି ଏକ ଭୟଙ୍କର ଅନିଶ୍ଚିତତା ସହ ଲଢ଼ି ଥକି ପଡ଼ିଲେଣି। ସଭ୍ୟ ମଣିଷର ସକଳ ଜ୍ଞାନ, ବିଜ୍ଞାନ ମଣିଷର ମଞ୍ଜ ଥରାଇ ଦେଇଥିବା ଗୋଟିଏ ଭୂତାଣୁ ପାଖରେ ଏକ ପ୍ରକାର ପରାଜିତ ଓ ପରାହତ। ସାରା ବିଶ୍ୱର ଦୁଇ ଲକ୍ଷରୁ ଅଧିକ ଲୋକ ଅକାଳରେ ଅପସରି ଗଲେଣି ଏ ପୃଥିବୀ ପୃଷ୍ଠରୁ। ନିତିଦିନ ହଜାର ହଜାର ଲୋକ ମରୁଛନ୍ତି, କେଇ ଲକ୍ଷ ଲୋକ ବିଶ୍ୱର ହଜାର ହଜାର ହାସ୍‌ପାତାଳରେ, ଭେଣ୍ଟିଲେଟର ଭିତରେ ଅହରହ ମୃତ୍ୟୁ ସହ ଯୁଝି ଚାଲିଛନ୍ତି। ସେମାନଙ୍କ ସହ ଏ ଯୁଦ୍ଧରେ ସାମିଲ ହୋଇଛନ୍ତି ସହସ୍ର ସହସ୍ର ଡାକ୍ତର, ନର୍ସ ଓ ବିଭିନ୍ନ ବର୍ଗର ସ୍ବାସ୍ଥ୍ୟକର୍ମୀ। ହସ୍ପିଟାଲ ଭିତରେ ‘କରୋନା’ ବୋଲି କୁହାଯାଉଥିବା ଏହି ଅପରାଜେୟ ରାକ୍ଷସ ସହ କେବଳ ଯେ ଏହି ସ୍ବାସ୍ଥ୍ୟରକ୍ଷକମାନେ ଲଢ଼ିଚାଲିଛନ୍ତି ତା’ନୁହେଁ, ହସ୍ପିଟାଲ ବାହାରେ ପରୋକ୍ଷ ଭାବେ ଏ ଯୁଦ୍ଧରେ ସାମିଲ ହୋଇଛନ୍ତି ପୋଲିସ, ମ୍ୟୁନିସିପାଲ କର୍ମଚାରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାସଂସ୍ଥାର ଶହ ଶହ ଯୋଦ୍ଧା।
କରୋନା ଯୋଦ୍ଧା ଭାବେ ନାମିତ ଏସବୁ ଯୋଦ୍ଧାଙ୍କ ଅସୁମାରି ତ୍ୟାଗ ନିକଟରେ କୃତଜ୍ଞ ଅବଶିଷ୍ଟ ମାନବ ସମାଜ। ସମଗ୍ର ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି କରିଥିବା କରୋନାରୂପୀ ମୃତ୍ୟୁଠୁଁ ଦୂରେଇରହିବା ପାଇଁ ଯେତେବେଳେ ନିଜ ଘର ଭିତରେ ଅବରୁଦ୍ଧ ହୋଇ ରହିବା ହିଁ ଏକମାତ୍ର ବିକଳ୍ପ, ସେତେବେଳେ ଏଇ ଯୋଦ୍ଧାମାନେ ନିଜ ଜୀବନକୁ ବିପନ୍ନକରି ଅନ୍ୟର ଜୀବନ ବଞ୍ଚାଇବାକୁ ସତତ ଚେଷ୍ଟାରତ। ମଧ୍ୟପ୍ରଦେଶର ଜଣେ ଡାକ୍ତର ହସ୍ପିଟାଲ ଡ୍ୟୁଟି କରି ସେଇ ହସ୍ପିଟାଲରେ ସଙ୍ଗରୋଧ ବା କ୍ୱାରାଣ୍ଟାଇନରେ ରହୁଛନ୍ତି ସିନା, ମାତ୍ର ସେଇ ହସ୍ପିଟାଲ ପରିସରରେ ଥିବା ନିଜ କ୍ୱାର୍ଟର୍ସକୁ ଆସିପାରୁନାହାନ୍ତି। ଚା’ କପେ ପିଇବାକୁ ଆସି ନିଜ ଘର ବାହାରେ ଅସ୍ପୃଶ୍ୟ ଇତରଙ୍କ ପରି ତଳେ ବସି ଚା’ ପିଉଥିବାବେଳେ ଘର ଭିତରୁ ବିକଳ ଭାବେ ତାଙ୍କୁ ଅନାଇ ରହିଛନ୍ତି ତାଙ୍କର ସ୍ତ୍ରୀ ଓ କନ୍ୟା । ତେଣେ ମହାରାଷ୍ଟ୍ରର ଏକ ହସ୍ପିଟାଲର ନର୍ସ ଜଣେ ନିଜ ଦୁଇ ବର୍ଷର ଶିଶୁ କନ୍ୟାକୁ ଘରେ ଛାଡ଼ିଆସି ୧୫ ଦିନ ଧରି ଦିନରେ ରୋଗୀସେବା ଓ ରାତିରେ କ୍ୱାରାଣ୍ଟାଇନରେ ରହୁଛନ୍ତି। କରୋନା ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ଡାକ୍ତର ଓ ନସର୍ମାନଙ୍କ ଭଳି ଯୋଦ୍ଧାମାନଙ୍କର ଏ ଅନନ୍ୟ ଅତ୍ମାତ୍ୟାଗର ପଟାନ୍ତର ନାହିଁ।
ସେମିତି ପୁଣି ପୋଲିସମାନଙ୍କ କଥା। ମହାମାରୀର ସମ୍ଭାବ୍ୟ ବିପଦକୁ ଖାତିର ନ କରି ସକାଳୁ ସଞ୍ଜ ଯାଏ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ମଧ୍ୟରେ କିଏ ନିଜ ବିବାହ ତିଥି ଘୁଞ୍ଚେଇ ଦେଉଛନ୍ତି ତ ଅନ୍ୟ କେଉଁଠି ଆଠମାସର ଗର୍ଭବତୀ ଥାଇ ବି ନିଜର ପ୍ରାପ୍ୟ ଛୁଟି ନେବାକୁ ଅସ୍ବୀକାର କରୁଛନ୍ତି। ପୁଣି କେଉଁଠି ଛତିଶଗଡ଼ର ମହିଳା ପୋଲିସ ଜଣେ ଦିନଯାକର କର୍ତ୍ତବ୍ୟ ସମ୍ପାଦନ କରି ରାତିରେ ଘରକୁ ଫେରି ଟିକେ ଆରାମ କରିବା ପରିବର୍ତ୍ତେ ସିଲେଇ ମେଶିନ ଧରି ମାସ୍କ ତିଆରିରେ ଲାଗି ପଡୁଛନ୍ତି, ଅଧିକ କିଛି ରୋଜଗାର କରିବା ଆଶାରେ ନୁହେଁ, ବରଂ ପରଦିନ ରାସ୍ତା ଉପରେ ଡ୍ୟୁଟି କଲାବେଳେ ସାଧାରଣ ଲୋକଙ୍କୁ ମାଗଣାରେ ବାଣ୍ଟି ସଚେତନ କରିବା ଆଶାରେ।
କରୋନାର ଚିକିତ୍ସା କରୁଥିବା ଡାକ୍ତର, ନର୍ସ ହୁଅନ୍ତୁ ଅବା ଲକ୍‌ଡାଉନ ସମୟରେ ଶୂନ୍‌ଶାନ ରାସ୍ତାରେ ଟାଣଖରା କିମ୍ବା ଭାରି ବର୍ଷାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୋଲିସ ହୁଅନ୍ତୁ ଏମାନେ ସଭିଏଁ ଜଣେ ଜଣେ ସରକାରୀ କର୍ମଚାରୀ। ନିଜ ନିଜର ବୃତ୍ତିଗତ ଦାୟିତ୍ୱ ନିର୍ବାହ କରିବା ବଦଳରେ ଏମାନେ ରାଜକୋଷର ବେତନ ପାଆନ୍ତି। କେବଳ ଏତିକି ନୁହେଁ, କରୋନାର ଭୟାବହତା ଓ ଏଥିସହ ଯୋଡ଼ିହୋଇ ରହିଥିବା ଜୀବନହାନିର ସମ୍ଭାବନା ପାଇଁ ପଚାଶ ଲକ୍ଷ ଟଙ୍କାର କ୍ଷତି ପୂରଣର ପ୍ରାବଧାନ ଓ ପ୍ରତିଶ୍ରୁତି ଥାଏ ଏମାନଙ୍କ କର୍ତ୍ତବ୍ୟ ସହ ସଂଯୁକ୍ତ ହୋଇ। ମାତ୍ର ଏମିତି ମଧ୍ୟ ଆଉ କେହି ଅଛନ୍ତି, ଯେଉଁମାନଙ୍କ ପାଇଁ ସରକାରୀ ନିର୍ଦ୍ଦେଶର ବାଧ୍ୟବାଧକତା ନ ଥାଏ କି ସୁରକ୍ଷା ସହ ଯୋଡ଼ିହୋଇ ରହି ନ ଥାଏ ପଚାଶ ଲକ୍ଷ ଟଙ୍କାର ଲୋଭନୀୟ କ୍ଷତିପୂରଣ। ପ୍ରଚାରିତ ହୋଇ ପ୍ରଶଂସା ସାଉଁଟିବାର ମାନସିକତା ନ ଥାଏ କି ସାମୟିକ ସେବାକୁ ଆୟୁଧକରି ଭବିଷ୍ୟତରେ ରାଜନୀତି କରିବାର ପ୍ରବଣତା ନ ଥାଏ। ବାସ୍‌, କେବଳ ଏକ ନିଚ୍ଛକ ମାନବିକତାର ମୁଗ୍ଧ ଆବାହନ, ପର ପାଇଁ ବଞ୍ଚିବାର ଏକ ପ୍ରାଣମୟ ଆବେଦନ, ଯାହା ତାଙ୍କୁ ପ୍ରେରିତକରେ ଏ ସଙ୍କଟ କାଳରେ ଭିନ୍ନ ଜୀବନଟିଏ ଜିଇବା ପାଇଁ, ଏକ ଅଘୋଷିତ ଯୋଦ୍ଧା ଭାବରେ ଏହି ଦୁଃସମୟ ବିରୋଧରେ ଲଢ଼ିବା ପାଇଁ। ସେହିଭଳି କେଇଟି ଦୃଷ୍ଟାନ୍ତ ସମ୍ପର୍କରେ ଦୁଇପଦ କଥା।
ବିଭିନ୍ନ କିସମର ପରିବାଚାଷ ହେଉଥିବା ଗୋଟିଏ ଘରର ସେ ଗୃହକତ୍ତର୍‌ରୀ। ସ୍ବାମୀଙ୍କ ପାଖରୁ ଜାଣିଲେ ତାଙ୍କ ବିଶାଳ ଚାଷରୁ ଉପତ୍ନ୍ନ ହେଉଥିବା ପରିବା ସବୁ ପଚିଶଢ଼ି ଖେତରେ ଖତ ହେଉଛି ଓ ତଜ୍ଜନିତ ପ୍ରାୟ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡୁଛି। ଯେଉଁ ବେପାରୀମାନେ ଆସି ନିୟମିତ ତାଙ୍କ ଖେତରୁ ପରିବା ନେଉଥିଲେ, ସେମାନେ ଲକ୍‌ଡାଉନ ପାଇଁ ଆସୁନାହାନ୍ତି। ବାସ୍‌, ଏତିକି କଥାରେ ଚାଷିପତ୍ନୀ ନିଜ ଲକ୍ଷ୍ୟ ସ୍ଥିର କରିନେଲେ। ମୂଲିଆ ଲଗାଇ ଖେତରୁ ବିଭିନ୍ନ ପ୍ରକାର ପରିବା ତୋଳି ଆଣିଲେ ଓ ପଲିଥିନ ମୁଣିରେ ଛୋଟଛୋଟ ପ୍ୟାକ୍‌ କରି ଗଁ। ଶେଷମୁଣ୍ଡରେ ଥିବା ଶ୍ରମିକମାନଙ୍କୁ ବାଣ୍ଟିଦେଇ ଆସିଲେ। ଲକ୍‌ଡାଇନ ପାଇଁ କୌଣସି କାମଧନ୍ଦା ନ ପାଇ ଭୋକ ଉପାସରେ ଥିବା ଦରିଦ୍ର ଶ୍ରମିକମାନେ ସଜ ପରିବା ଭିତରେ ଦେଖୁଥିଲେ ନିଆରା ମାନବିକତାର ମହକ।
ସେମିତି ଭଦ୍ରକର ଏକ ହୋଟେଲ ମାଲିକ। ହୋଟେଲ ବନ୍ଦ ରହିଥିବାରୁ ବେପାର ତ ନ ଥିଲା, ପୁଣି ଘରେ ବସାଇ ପୋଷିବାକୁ ପଡୁଥିଲା ହୋଟେଲର କୋଡ଼ିଏ ସରିକି କର୍ମଚାରୀଙ୍କୁ। ସେତିକି ନୁହେଁ, ଷ୍ଟେଶନ ଭିତରେ ଓ ବାହାରେ ଭିକ୍ଷା ମାଗି ନିତିଦିନ ଚଳୁଥିବା ଭିକାରିମାନଙ୍କର ରୋଜଗାର ବନ୍ଦ ହୋଇଯାଇଥିବାରୁ ପ୍ରତିଦିନ ଦିନବେଳା ଷାଠିଏ ସରିକି ଭିକାରିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ ସେଇ କର୍ମଚାରୀମାନେ। କେବଳ କରୋନା ପୀଡ଼ିତାଙ୍କ ଜୀବନ ବଞ୍ଚାଉଥିବା ଡାକ୍ତର ନୁହନ୍ତି, ରୋଜଗାରହୀନ ଶ୍ରମିକଙ୍କୁ ପରିବା ଯୋଗାଉଥିବା ସେଇ ମହିଳା ଅବା ଭିକାରିମାନଙ୍କୁ ଖାଦ୍ୟ ଯୋଗାଉଥିବା ସେଇ ହୋଟେଲ ମାଲିକ ବି ଥିଲେ ଏଇ ଅଭାବିତ ଯୁଦ୍ଧର ଜଣେ ଜଣେ ସମର୍ପିତ ଯୋଦ୍ଧା, ଯେଉଁମାନେ ରୋଗଠୁ ବଳି ଆଉ ଏକ ଭୟଙ୍କର ଶତ୍ରୁ ଭୋକର ଚିକିତ୍ସା କରୁଥିଲେ।
ସାମାଜିକ ଗଣମାଧ୍ୟମରେ ଏକ ଅଭାବନୀୟ ଦୃଶ୍ୟ ଖେଳିବୁଲି କରୋନା ସନ୍ତ୍ରସ୍ତ ଲୋକମାନଙ୍କ ଚେତନାରେ ଚମକ ସୃଷ୍ଟି କରିଥିଲା ଓ ଏକ ମୁଗ୍ଧ ଅନୁଭବରେ ମନ୍ଥି ପକାଇଥିଲା ଦର୍ଶକର ହୃଦୟକୁ। କେରଳରେ ନିଜ ଅସୁସ୍ଥ ବୁଢ଼ାବାପାଙ୍କୁ ନେଇ ପୁଅ ଜଣେ ଯାଇଥଲେ ହସ୍ପିଟାଲ। ଗଲାବେଳେ ତ ପୋଲିସ ଛାଡ଼ି ଦେଇଥିଲା, ମାତ୍ର ଡାକ୍ତରଙ୍କୁ ଦେଖାଇ ଫେରିଲାବେଳେ ତାଙ୍କ ଅଟୋରିକ୍ସାକୁ ପୋଲିସ ଅଟକାଇ ଆଗକୁ ଆଉ ଛାଡ଼ି ନ ଥିଲା। ବହୁ ନେହୁରା ହେଲାପରେ ପୋଲିସ ନ ଶୁଣିଲାରୁ ସମସ୍ତଙ୍କୁ ଚକିତକରି ବୁଢ଼ାବାପାଙ୍କୁ ପିଠିରେ ଲାଉକରି ଚାଲି ଚାଲି ନିଜ ଘରକୁ ଫେରିଥିଲେ ଏ ଯୁଗର ଶ୍ରବଣ କୁମାର।
ଆମ ଓଡ଼ିଶାର ବ୍ରହ୍ମପୁରର ଘଟଣା। ଜନ୍ମରୁ ରୋଗଗ୍ରସ୍ତ ଥିବା ତିନିବର୍ଷ ଶିଶୁଟିର ଏକମାତ୍ର ଔଷଧ ଥିଲା ଓଟକ୍ଷୀର। ନିୟମିତ ରାଜସ୍ଥାନରୁ ଆସୁଥିବା ଏହି ଓଟକ୍ଷୀର ହିଁ ଥିଲା ପିଲାଟି ପାଇଁ ସଞ୍ଜୀବନୀ ସଦୃଶ। ଲକ୍‌ଡାଉନ୍‌ ପ୍ରଭାବରେ ଏହି ମହଙ୍ଗା ଚିଜଟି ଆମଦାନୀ କରିବା ବନ୍ଦ ହୋଇଯିବାରୁ ଶିଶୁଟିର ସ୍ବାସ୍ଥ୍ୟ ବିଗିଡ଼ିବାର ଦେଖି ଚିନ୍ତିତ ହୋଇପଡିଥିଲେ ତା’ ମା’ବାପା ଓ ପରିବାରବର୍ଗ। ନିଷ୍ପାପ ଶିଶୁଟିକୁ ଜୀବନଯୁଦ୍ଧରେ ହାରିବାକୁ ନ ଦେବା ପାଇଁ ଓଡ଼ିଶାର ଜଣେ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଆଗେଇ ଆସିଲେ ଓ ନିଜ ପ୍ରଭାବରେ ସୁଦୂର ରାଜସ୍ଥାନରୁ ପ୍ରାୟ ତିନିମାସ ପାଇଁ ଓଟକ୍ଷୀରର ପାଉଡର ମଗାଇ ଶିଶୁଟିର ଜୀବନ ରକ୍ଷାକଲେ।
କରୋନା କେବଳ ଜୀବନ ନେଇ ଶିଖିନି, ଜୀବନ ପ୍ରତି ମଣିଷର ଦୃଷ୍ଟିଭଙ୍ଗୀ ବି ବଦଳାଇ ଦେଇଛି। ରାଜସ୍ଥାନରେ ବର୍ଷବର୍ଷ ଧରି ରଙ୍ଗମିସ୍ତ୍ରି ଭାବେ କାମ କରୁଥିବା ସମୟରେ ବାଟରେ ସେମାନଙ୍କୁ ଅଟକାଇଦେଲା ପୋଲିସ। କ୍ୱାରାଣ୍ଟାଇନ୍‌ ବା ସଙ୍ଗରୋଧରେ ସେମାନଙ୍କୁ ରଖାଗଲା ଏକ ସ୍କୁଲ ଘରେ। ପ୍ରାୟ ଚାରିଦିନ ରହିଲା ପରେ ସେମାନେ ସ୍କୁଲର ଅପରିଷ୍କାର ପରିବେଶରେ ଅସ୍ତବ୍ୟସ୍ତ ହୋଇପଡ଼ିଲେ। ସେମାନେ ଯେ କେବଳ ବିଦ୍ୟାଳୟଟିକୁ ପରିଷ୍କାର କଲେ, ତା ନୁହେଁ, ନିଜେ ରଙ୍ଗମିସ୍ତ୍ରି ହୋଇଥିବାରୁ କ୍ୱାରାଣ୍ଟାଇନ ଦାୟିତ୍ୱରେ ଥିବା ସରପଞ୍ଚକୁ କହି ରଙ୍ଗ ଓ ବ୍ରଶ୍‌ ମଗାଇ ସମ୍ପୂର୍ଣ୍ଣ ସ୍କୁଲ କୋଠାଟିକୁ ରଙ୍ଗ ଦେଇ ତାହାର ଚେହେରା ବଦଳାଇଦେଲେ।
ନିଜ ନିଜ ପରିସରରେ କରୋନା ଅଜାଡ଼ି ଦେଇଥିବା ଯାବତୀୟ ଅସଙ୍ଗତି ବିରୋଧରେ ଏ ସମସ୍ତ ଗୋଟିଏ ଗୋଟିଏ ଯୁଦ୍ଧ ନିଶ୍ଚୟ ଓ ଏହା ସହ ସମ୍ପୃକ୍ତ ସମସ୍ତେ ଜଣେ ଜଣେ ସମର୍ଥ ଯୋଦ୍ଧା। ମୁମ୍ବାଇରେ ଥବା ଭାରତରୁ ସବୁଠୁ ସୌଖୀନ ହୋଟେଲକୁ କରୋନାର ଚିକିତ୍ସକଙ୍କ ରହିବା ପାଇଁ ଛାଡ଼ି ଦେଇଥିବା ରତନ ଟାଟା ପ୍ରଧାନମନ୍ତ୍ରୀଙ୍କ ଆପଦ ପାଣ୍ଠିକୁ ପନ୍ଦରଶହ କୋଟି ଟଙ୍କା ଦାନକରି କହିଥିଲେ, କେବଳ ଏତିକି ନୁହେଁ,ମୋ ଦେଶକୁ ସମ୍ପୂର୍ଣ୍ଣ କରୋନାମୁକ୍ତ କରିବାକୁ ଯଦି ମୋର ସମସ୍ତ ସମ୍ପତ୍ତି ଦାନ କରିବାକୁ ପଡ଼େ, ତେବେ ସେଥିପାଇଁ ମୁଁ ପ୍ରସ୍ତୁତ। ଭାରତର ସୌଭାଗ୍ୟ କରୋନା ବିରୋଧରେ ଲଢ଼ିବା ପାଇଁ କେବଳ ରତନ ଟାଟାଙ୍କ ପରି ଶିଳ୍ପପତି ଯେ ଯୋଦ୍ଧା ହୋଇ ଆଗକୁ ଆସିଛନ୍ତି, ତାହା ନୁହେଁ, ତା’ସହ ଆମ ଓଡ଼ିଶାର ରାଜକନିକା ଅଞ୍ଚଳରେ ଭିକ୍ଷାମାଗି ପେଟ ପୋଷୁଥିବା ୭୫ ବର୍ଷୀୟା ମହିଳା ସରୋଜିନୀ ବି ଅଛନ୍ତି, ଯିଏ ରାଜକନିକା ବିଡିଓଙ୍କ ପାଖରେ ନିଜ ଜୀବନକାଳର ସମସ୍ତ ସଞ୍ଚୟ ୫ହଜାର ଟଙ୍କା ଅଜାଡ଼ିଦେଇ କହିପାରନ୍ତି, ”ମୋର ସମୟ ସରି ଆସିଲାଣି। ଏ ଟଙ୍କା ମୋର ଆଉ କେଉଁ କାମରେ ଆସିବ? ଜଗତରେ ସମସ୍ତେ ବଞ୍ଚିରୁହନ୍ତୁ, ଏ ମହାବ୍ୟାଧି ଦୂରେଇଯାଉ!“ ବାଃ ସବୁଠୁଁ ଦରିଦ୍ର ଯୋଦ୍ଧାର କି ପ୍ରାଣମୟ ପ୍ରାର୍ଥନା ସତେ!!
ପ୍ରଜ୍ଞା ନିଳୟ, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୯୭୭୬୭୭୭୧୫୦


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri