ନୂଆଦିଲ୍ଲୀ,୨୪-୧୧: ଏବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସ୍ଥିତି ଭଲ ନ ଥିବା ବେଳେ ଅନାଦାୟ ଋଣ (ଏନ୍ପିଏ) ବୋଝ ବଢି ବଢି ଚାଲିଛି। ଏଭଳି ସ୍ଥିତିରେ ବ୍ୟାଙ୍କ ଏନ୍ପିଏ କିମ୍ବା ଋଣ ଠକେଇ ଭଳି ବିଷୟକୁ ଲୁଚାଇବା ବନ୍ଦ କରନ୍ତୁ ବୋଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ଏନ୍.ଏସ୍.ବିଶ୍ୱନାଥନ କହିଛନ୍ତି। ଏଥି ଯୋଗୁ ବ୍ୟାଙ୍କଗୁଡିକ ବୃହତ୍ ପରିମାଣରେ କ୍ଷତି ସହୁଛନ୍ତି। ଏହାକୁ ଧ୍ୟାନରେ ରଖି ତୁରନ୍ତ ଭିତ୍ତିରେ ଏହାକୁ ରିପୋର୍ଟ କରିବା ଉପରେ ଯତ୍ନବାନ ହେବାକୁ ବିଶ୍ୱନାଥନ କହିଛନ୍ତି। ବ୍ୟାଙ୍କଗୁଡିକ ଏଥି ସଂକ୍ରାନ୍ତ ରିପୋର୍ଟ ଠିକ୍ ଭାବେ ନ କଲେ ବ୍ୟାଙ୍କଗୁଡିକର କାର୍ଯ୍ୟଶୈଳୀ ଏବଂ ରିସ୍କ ନେବା କ୍ଷମତା ବିଶେଷ ଭାବେ ପ୍ରଭାବିତ ହେବ। ଏଭଳି ଘଟଣା ସମୟ ସମୟରେ ନଜରକୁ ଆସୁଛି। ରିଜର୍ଭ ବ୍ୟାଙ୍କ ନିରୀକ୍ଷଣରେ ଏହାର ଖୁଲାସା କରାଯାଉଛି। ନିୟାମକ ଅନୁପାଳନ ଦ୍ୱାରା ବ୍ୟାଙ୍କ ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୃଢ ରଖିପାରିବେ ବୋଲି ସେ ମତ କରିଛନ୍ତି।