Posted inଖେଳ

ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ: ରୁଷିଆକୁ ୪-୨ରେ ହରାଇଲା ଭାରତ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)- ମନଦୀପ ସିଂଙ୍କ ଡବଲ ଗୋଲ ବଳରେ ଭାରତୀୟ ପୁରୁଷ ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ ହକି ମ୍ୟାଚରେ ରୁଷିଆକୁ ୪-୨ ଗୋଲରେ ପରାସ୍ତ କରିଛି। ଫଳରେ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଦିିଗରେ ଏକପାଦ ଅଗ୍ରସର ହୋଇଛି। ଶନିବାର ହେବାକୁଥିବା ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହେଲେ ଅଲିମ୍ପିକ୍ସ ଯୋଗ୍ୟତା ପାଇବ। ରୁଷିଆ ଯଦି ସମାନ ଗୋଲ ବ୍ୟବଧାନରେ ଭାରତକୁ ପରାସ୍ତ କରେ ତେବେ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଫଳାଫଳ ନିର୍ଣ୍ଣିତ ହେବ। ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମନଦୀପ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ମ୍ୟାଚ ଆରମ୍ଭରୁ ଭାରତ ଗେମ୍‌କୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲା। ବଲ୍‌କୁ ରୁଷିଆ ହାଫ୍‌ରେ ରଖି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିଥିଲା। ୫ମ ମିନିଟରେ ଦଳକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ତାରକା ଡିଫେଣ୍ଡର ହରମନପ୍ରୀତ ସିଂ ଶଟ୍‌ ମାରୁଥିବାବେଳେ ରୁଷିଆ ଖେଳାଳିମାନେ ବିପଜ୍ଜନକଭାବେ ତାଙ୍କୁ ପ୍ରତିରୋଧ କରିଥିଲେ। ଫଳରେ ରୁଷିଆକୁ ଦଣ୍ଡ ସ୍ବରୂପ ଅମ୍ପାୟର ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍‌ ଦେଇଥିଲେ। ହରମନପ୍ରୀତ ତାହାକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ର଼୍ୟାଙ୍କିିଙ୍ଗ୍‌ରେ ଭାରତ(୫ମ)ଠାରୁ ରୁଷିଆ(୨୨ତମ) ତଳେ ଥିବାରୁ ମ୍ୟାଚ ଏକପାଖିଆ ହେବ ବୋଲି ଆଶା କରାଯାଉଥିଲା। ଗତ ଜୁନ୍‌ରେ ଏଠାରେ ଅନୁଷ୍ଠିତ ଏଫଆଇଏଚ୍‌ ସିରିଜରେ ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା। ତେଣୁ ଏଥର ମଧ୍ୟ ତା’ର ପୁନରାବୃତ୍ତି ଘଟିବ ବୋଲି ମଧ୍ୟ ଆକଳନ କରାଯାଉଥିଲା। ମାତ୍ର ମ୍ୟାଚ ଆଗେଇବାକ୍ଷଣି ରୁଷିଆ ଭିନ୍ନ ପ୍ରଦର୍ଶନ କରିଥିଲା। ଅଲିମ୍ପିକ୍‌ କ୍ବାଲିଫାୟର୍ସ ପାଇଁ ଦଳ ଭଲଭାବେ ପ୍ରସ୍ତୁତ ହୋଇ ଆସିିଛି ବୋଲି ମଧ୍ୟ ପ୍ରଦର୍ଶନ ମାଧ୍ୟମରେ ପ୍ରମାଣିିତ କରିଥିଲା। ପ୍ରଥମ କ୍ବାର୍ଟରରେ ଭାରତ ୧-୦ରେ ଅଗ୍ରଣୀ ରହିଥିଲେ ହେଁ ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୧୭ତମ ମିନିଟରେ ଆନ୍ଦ୍ରେ କୁରାଇଭ୍‌ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ଏହାପରେ ଅଗ୍ରଣୀ ନେବାପାଇଁ ଭାରତ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ରୁଷିଆ ଡିଫେଣ୍ଡରମାନେ ଚମତ୍କାର ପ୍ରଦର୍ଶନ କରି ତାହାକୁ ସଫଳ ପ୍ରତିହତ କରିଥିଲେ। ୨୪ତମ ମିନିଟରେ ରୁଷିଆ ଗୋଲପୋଷ୍ଟ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ମଧ୍ୟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ଭାରତକୁ ପୁଣି ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୨-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଉଭୟ ଦଳ ପରିବର୍ତ୍ତିତ ରଣନୀତିରେ ଖେଳିଥିଲେ ହେଁ ଗୋଲ ଦେବାରେ ସକ୍ଷମ ହୋଇ ନ ଥିଲେ। ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଦକ୍ଷତା ଅନୁସାରେ ଭାରତୀୟ ଦଳ ପ୍ରଦର୍ଶନ କରିପାରି ନ ଥିଲା। ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥରୁ ମଧ୍ୟ ଖେଳାଳିମାନେ ବିଶେଷ ଫାଇଦା ନେଇପାରି ନ ଥିଲେ। ୪ର୍ଥ ତଥା ଅନ୍ତିମ କ୍ବାର୍ଟରରେ ରୁଷିଆ ଗୋଲ ପରିଶୋଧ ପାଇଁ ଉଦ୍ୟମକୁ ଜୋରଦାର କରିଥିଲା। ୪୭ତମ ମିନିଟରେ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବା ପାଇଁ ଭାରତ ନିକଟରେ ସୁଯୋଗ ଥିଲା। ମାତ୍ର ହରମନପ୍ରୀତଙ୍କ ଡ୍ରାଗ୍‌ଫ୍ଲିକ୍‌ ଶଟ୍‌କୁ ରୁଷିଆ ଗୋଲକିପର ମାରାଟ ଗାଫାରୋଭ ସେଭ୍‌ କରି ଦେଇଥିଲେ। ତେବେ ରୁଷିଆ ବଲ୍‌କୁ ସମ୍ପୂର୍ଣ୍ଣଭାବେ କ୍ଲିୟର କରିପାରି ନ ଥିଲା। ଡି ଏରିଆ ମଧ୍ୟରେ ବଲ୍‌ ଥିବାବେଳେ ନିଳକାନ୍ତ ଶର୍ମାଙ୍କଠାରୁ ବଲ୍‌ ପାସ୍‌ ପାଇ ଏସ୍‌ଭି ସୁନୀଲ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ୪୮ତମ ମିନିଟରେ ଏହି ଗୋଲ ହୋଇଥିଲା। ଏହାର ୫ ମିନିଟ ପରେ ଅର୍ଥାତ୍‌ ୫୩ତମ ମିନିଟରେ ମନଦୀପ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲଟି ସ୍କୋର କରିଥିଲେ। ଏହାର ୧ ମିନିଟ ପରେ ରୁଷିଆକୁ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଖେଳାଳିମାନେ ତାହାର ଫାଇଦା ନେଇପାରି ନ ଥିଲେ। ୫୭ତମ ମିନିଟରେ ମଧ୍ୟ ଭାରତର ପେନାଲ୍ଟି କର୍ନର ମିସ୍‌ ହୋଇଥିଲା। ମ୍ୟାଚ ଶେଷ ହେବାକୁ ଆଉ ୪୭ ସେକେଣ୍ଡ ଥିବାବେଳେ ରୁଷିଆକୁ ପେନାଲ୍ଟି କର୍ନର ମିଳିଥିଲା। ୬୦ତମ ମିନିଟରେ ସିମେନ ମାଟ୍‌କୋଭସ୍କି ଏହାକୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ୧୦ ସେକେଣ୍ଡ ଖେଳ ବାକି ରହିଥିବାବେଳେ ଭାରତକୁ ଲଗାତର ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ହରମନପ୍ରୀତ ତାହାର ସଦୁପଯୋଗ କରିପାରି ନ ଥିଲେ।

ଗୋଲ ସ୍କୋରର
ଭାରତ
ହରମନପ୍ରୀତ ସିଂ: ୫ମ ମିନିଟ
ମନଦୀପ ସିଂ: ୨୪ତମ ମିନିଟ
ଏସ.ଭି. ସୁନୀଲ: ୪୮ତମ ମିନିଟ
ମନଦୀପ ସିଂ: ୫୩ତମ ମିନିଟ
ରୁଷିଆ
ଆନ୍ଦ୍ରେ କୁରାଇଭ୍‌: ୧୭ତମ ମିନିଟ
ସେମେନ ମାଟ୍‌କୋଭସ୍କି: ୬୦ତମ ମିନିଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri