ଭୁବନେଶ୍ୱର.୯।୧୦(ବ୍ୟୁରୋ): ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା ଶେଷ ହୋଇଛି। ବୁଧବାର ଧରାପୃଷ୍ଠରୁ ମା’ଙ୍କୁ ବିଦାୟ ଦିଆଯିବ। ଏଥିପାଇଁ ଭୁବନେଶ୍ୱରରେ ଭସାଣି ଯାତ୍ରା ବହୁ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ପାଇଁ ଯାତାୟାତରେ କିଛିଟା ପରିବର୍ତ୍ତନ କରାଯାଇଛି। ଭସାଣି ସମୟରେ ଯେପରି ଲୋକଙ୍କୁ ଗମନାଗମନରେ ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଟ୍ରାଫିକ୍ ଡିସିପି ସାଗରିକା ନାଥ ଏଫ୍ଏମ୍ ରେଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ଦ୍ଦେଶାନୁସାରେ ସହିଦ ନଗର ରୁପାଲୀ ଛକ, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁରଠାରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ବାଣୀବିହାରରୁ ରୁପାଲୀ ଅଭିମୁଖେ ଯାଉଥିବା ସମସ୍ତ ଯାନବାହନ ଆଚାର୍ଯ୍ୟ ବିହାର ରାସ୍ତା ଦେଇ ଏଜି ସ୍କୋୟାର ମାର୍ଗରେ ଯିବେ। ସେହିପରି ନୟାପଲ୍ଲୀରୁ ସିଆରପି ମଧ୍ୟ ଦେଇ ଯିବାକୁ ଚାହୁଁଥିବା ଲୋକେ ଜୟଦେବ ବିହାରରୁ ଡାହାଣକୁ ଯାଇ ବିଜୁ ପଟ୍ଟନାୟକ କଲେଜ ଦେଇ ଏକାମ୍ର ପାର୍କ ରାସ୍ତାରେ ଯାଇ ସିଆରପିରେ ବାହାରିବେ।