ଥିରୁଭାନନ୍ତପୁରମ୍,୧୨।୮: ଦେଶର ଚାରି ରାଜ୍ୟ କେରଳ, କର୍ନାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଏହି ୪ଟି ରାଜ୍ୟରେ ବନ୍ୟା ଯୋଗୁ ୧୭୪ଜଣଙ୍କ ମୃତ୍ୟୁ ହେଲାଣି। କେବଳ କେରଳରେ ୭୨ରୁ ଅଧିକ ଜଣ ବନ୍ୟାରେ ପ୍ରାଣ ହରାଇଲେଣି। ୨.୨୭ଲକ୍ଷ ଲୋକଙ୍କୁ ରିଲିଫ୍ ସେଣ୍ଟରରେ ଥଇଥାନ କରାଯାଇଛି। ଲଗାତାର ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଫଳରେ କେରଳରେ ଇଦ୍ ଉତ୍ସବ ଫିକା ପଡିଯାଇଛି। ଏର୍ନାକୁଲମରେ ନୌଶାଦ୍ ନାମକ ଜଣେ ବ୍ୟକ୍ତି ନିଆରା ଢଙ୍ଗରେ ଇଦ୍ ପାଳନ କରିଛନ୍ତି। ସେ ନିଜ କପଡା ଗୋଦାମରେ ଥିବା ସବୁ ଲୁଗାପଟା ବନ୍ୟା ପୀଡ଼ିତଙ୍କୁ ଦାନ କରିଦେଇଛନ୍ତି। ସେ କହିଛନ୍ତି, ଚର୍ଚ୍ଚାରେ ରହିବା ପାଇଁ ଏଭଳି ପଦକ୍ଷେପ ନେଇ ନାହିଁ ବରଂ ଲୋକଙ୍କୁ ଏଭଳି ବିପଦ ସମୟରେ ସାହାଯ୍ୟ କରି ମୁଁ ଇଦ୍ ଉତ୍ସବ ପାଳନ କରୁଛି। ଏଥର ଇଦ୍ ମୋ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।