ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ରାଜ୍ୟରେ ଘଟିଥିବା ହାଜତ ମୃତ୍ୟୁ ତଥ୍ୟକୁ ୧୨ବର୍ଷ ହେବ ଦେଉ ନ ଥିଲା କ୍ରାଇମବ୍ରାଞ୍ଚ। ଏହା ସୂଚନା ଅଧିକାର ପରିସରଭୁକ୍ତ ନୁହେଁ ବୋଲି କହି କ୍ରାଇମବ୍ରାଞ୍ଚ ଏଡ଼ାଇ ଯାଇଥିଲା। ପରବର୍ତ୍ତୀ ସମୟରେ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରି ନ ଥିଲା। ଏପରିକି ବିଚାରବିଭାଗୀୟ ବ୍ୟବସ୍ଥାର ମଧ୍ୟ ଦୁରୁପଯୋଗ କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୧୨ବର୍ଷ ପରେ କ୍ରାଇମବ୍ରାଞ୍ଚ ତଥ୍ୟ ଦେଇଛି, ଯାହାକି ଅସମ୍ପୂର୍ଣ୍ଣ ମଧ୍ୟ। ତେବେ ଦିଆଯାଇଥିବା ତଥ୍ୟରେ ୧୯୮୯ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ୧୬ ହାଜତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅଧିକାର ଆଇନ ଧାରା-୨୫ ଓ ଉପଧାରା ୪ରେ ନିୟମ ରହିଛି ଯେ, ସରକାରଙ୍କ କେତେକ ତଦନ୍ତକାରୀ ଏଜେନ୍ସି ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ। କିନ୍ତୁ ମାନବିକ ଅଧିକାର ଉଲ୍ଲଂଘନ କିମ୍ବା ଦୁର୍ନୀତି ଅଭିଯୋଗ ସୂଚନା ଅଧିକାର ପରିସରଭୁକ୍ତ ହୋଇପାରିବ। ଏହି ଆଧାରରେ ୨୦୦୬ରେ ସୂଚନା ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍ଗୋ ୧୯୮୯ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡିଶାରେ କେତେ ହାଜତ ମୃତ୍ୟୁ ଘଟିଥିଲା, ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କ୍ଷତିପୂରଣ ବାବଦକୁ କେତେ ଟଙ୍କା ଦିଆଯାଇଛି ସେନେଇ ପ୍ରଥମେ ଗୃହ ବିଭାଗକୁ ତଥ୍ୟ ମାଗିଥିଲେ। ପରବର୍ତ୍ତୀ ସମୟରେ ଗୃହବିଭାଗ ଏହାକୁ ପୋଲିସ ଡିଜି ଓ ପରେ ପୋଲିସ ଡିଜି ମାନବାଧିକାର ସୁରକ୍ଷା ସେଲ୍ (ଏଚ୍ଆର୍ପିସି)କୁ ଦେଇଥିଲେ। କିନ୍ତୁ ଏହି ସମୟ (୧୯୮୯ରୁ ୨୦୦୦) ମଧ୍ୟରେ ଘଟିଥିବା ହାଜତ ମୃତ୍ୟୁର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଥିଲା। ଏହାପରଠାରୁ ଏଚ୍ଆର୍ପିିସି ତଦନ୍ତ କରୁଛି। ହେଲେ କ୍ରାଇମବ୍ରାଞ୍ଚ ହାଜତ ମୃତ୍ୟୁ ସଂକ୍ରାନ୍ତ କୌଣସି ତଥ୍ୟ ନ ଦେବାରୁ ସୂଚନା ଅଧିକାର କର୍ମୀ ବିଶ୍ୱପ୍ରିୟ ୨୦୦୭ରେ ଓଡିଶା ସୂଚନା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା କମିଶନ ମାମଲାକୁ ଅନୁଧ୍ୟାନ କରିବା ପରେ ତୁରନ୍ତ ତଥ୍ୟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କ୍ରାଇମ୍ବ୍ରାଞ୍ଚ କମିଶନଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାମଲାକୁ ହାଇକୋର୍ଟକୁ ନେଇଥିଲା। ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଆର୍ଟିଆଇ ନିୟମ ଅନୁଯାୟୀ, ସରକାରଙ୍କ କେତେକ ତଦନ୍ତକାରୀ ଏଜେନ୍ସି ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ, କିନ୍ତୁ ମାନବିକ ଉଲ୍ଲଂଘନ ଓ ଦୁର୍ନୀତି ସମ୍ପର୍କିତ ହୋଇଥିଲେ ତଥ୍ୟ ଦେବାକୁ ବାଧ୍ୟ। ତେଣୁ ୪ ସପ୍ତାହ ମଧ୍ୟରେ ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ କ୍ରାଇମବ୍ରାଞ୍ଚ ହାଜତ ମୃତ୍ୟୁ ସଂକ୍ରାନ୍ତ ତଥ୍ୟ ଦେଇଥିଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ବୋଲି ମାନବାଧିକାର କର୍ମୀ ବିଶ୍ୱପ୍ରିୟ ଅଭିଯୋଗ ଉଠାଇଛନ୍ତି। ହାଜତ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କ୍ଷତିପୂରଣ ସଂକ୍ରାନ୍ତରେ କୌଣସି ତଥ୍ୟ ଦିଆଯାଇ ନ ଥିବା ସେ କହିଛନ୍ତି।
ଏନେଇ କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କୁହନ୍ତି, ଏହା ଏଚ୍ଆରପିସିର ଦାୟିତ୍ୱଥିଲା। କିନ୍ତୁ କ’ଣ ପାଇଁ ଦିଆଯାଇ ନ ଥିଲା ତାହାର ତର୍ଜମା କରାଯିବ ବୋଲି କହି ଅଧାତଥ୍ୟ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। କିନ୍ତୁ ବିଶ୍ୱପ୍ରିୟ କହିଛନ୍ତି ଯେ,ଏଭଳି ତଥ୍ୟ ନ ଦେବା କ୍ରାଇମ୍ବ୍ରାଞ୍ଚର ବାହାନା ଥିଲା। ୧୨ବର୍ଷ ଧରି ବିଚାରବିଭାଗୀୟ ବ୍ୟବସ୍ଥାକୁ କାହିଁକି ମାନି ନ ଥିଲା। ତଥ୍ୟ ପାଇଁ ଯେଉଁ ଅଯଥା ଖର୍ଚ୍ଚ ହେଲା ସେଥିପାଇଁ କିଏ ଦାୟୀ? କ୍ରାଇମ୍ବ୍ରାଞ୍ଚ ଗୋଟିଏ ତଥ୍ୟକୁ ୧୨ବର୍ଷ ଲଗାଇବା ଓ ଆଉ କିଛି ତଥ୍ୟ ଲୁଚାଇ ରଖିବାର କାରଣ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
-ତ୍ରିନାଥ ମହାନ୍ତି