ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନର କ୍ଷତିଗ୍ରସ୍ତ ବଜାର ଏବଂ ନଗଦ ସମସ୍ୟାକୁ ନେଇ ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)ଗୁଡ଼ିକ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ଗୋଟିଏ ପଟେ ବର୍ତ୍ତମାନ ନଗଦ ସମସ୍ୟା ରହିଥିବା ବେଳେ ଅନ୍ୟ ପଟେ ବଡ଼ ବଡ଼ କମ୍ପାନୀ ଏବଂ ସରକାରୀ ଏଜେନ୍ସିଗୁଡ଼କ ଉପରେ ପଡି ରହିଥିବା ବକେୟା ବର୍ତ୍ତମାନ ଆସିପାରୁ ନାହିଁ। ଏଭଳି ଭାବେ କମ୍ପାନୀଗୁଡିକର ୫ ଲକ୍ଷ କୋଟି ଟଙ୍କା ପଡି ରହିଛି। ଏଭଳି ସମସ୍ୟାକୁ ବିଚାରକରି କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପଦକ୍ଷେପ ନେବ ବୋଲି ଜଣାପଡିଛି। ଆଗାମୀ ୪୫ ଦିନ ମଧ୍ୟରେ ସମସ୍ତ ସରକାରୀ ଏଜେନ୍ସି ଏବଂ ମନ୍ତ୍ରଣାଳୟଗୁଡିକର ବକେୟା ରାଶି ପଇଠ କରିବା ଦିଗରେ ସରକାର ଯୋଜନା ହାତକୁ ନେବେ। ସେହିଭଳି ରାଜ୍ୟ ସରକାର ଏବଂ କମ୍ପାନୀଗୁଡିକ ସେମାନଙ୍କ ବକେୟା ଅର୍ଥ ଏମ୍ଏସ୍ଏମ୍ଇଗୁଡିକୁ ପଇଠ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀ କହିଛନ୍ତି। ଦେଶର ଅଣ ବ୍ୟାଙ୍କିଙ୍ଗ୍ ବିତ୍ତ ପ୍ରତିଷ୍ଠାନ(ଏନ୍ବିଏଫ୍ସି)ଗୁଡ଼ିକୁ ପୁଞ୍ଜି ପ୍ରଦାନ ଦିଗରେ ମଧ୍ୟ ଯୋଜନା ହାତକୁ ନିଆଯାଇଛି। ଏହାବାଦ ଗ୍ରାମାଞ୍ଚଳ ସ୍ତରରେ ଶିଳ୍ପ ପ୍ରତିଷ୍ଠାକୁ ସରକାର ଗୁରୁତ୍ୱ ଦେଉଥିବା ସେ ମତବ୍ୟକ୍ତ କରିଛନ୍ତି।