ନୂଆଦିଲ୍ଲୀ,୨।୬: ସୋମବାର ଅଣ ସବ୍ସିଡି ଏଲ୍ପିଜି କ୍ଷେତ୍ରରେ ସିଲିଣ୍ଡର ପିଛା ୧୧.୫ ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ସେହିଭଳି ବିମାନ ଇନ୍ଧନ ବା ଏଟିଏଫ୍ ମୂଲ୍ୟ ପ୍ରାୟ ୫୬.୫ ଟଙ୍କା ବଢ଼ିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ପରିବର୍ତ୍ତନ ଆସିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏଟିଏଫ୍ ମୂଲ୍ୟ କିଲୋ ଲିଟର ପିଛା ୧୨,୧୨୬.୭୫ ଟଙ୍କା ବଢ଼ିବା ଯୋଗୁ ଏହା ୩୩,୫୭୫.୩୭ ଟଙ୍କା ଛୁଇଁଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପ୍ରଦାନ କରିଥିବା ସୂଚନାରୁ ଜଣାଯାଇଛି। ପୂର୍ବରୁ ଏଟିଏଫ୍ର କିଲୋ ଲିଟର ପିଛା ଦର ୬୪,୩୨୩.୭୬ ଟଙ୍କା ରହିଥିଲା। ପ୍ରାୟ ୭ ଥର ଦର ହ୍ରାସ ପାଇ ୨୧,୪୪୮.୬୨ ଟଙ୍କା ରହିଥିଲା। ଏଥିରେ ପୁଣି ଥରେ ବୃଦ୍ଧି ଘଟିଛି। ସେହିଭଳି ଅଣସବ୍ସିଡି ଏଲ୍ପିଜି ଦର ୧୧.୫୦ ଟଙ୍କା ବଢ଼ିବା ଯୋଗୁ ୧୪.୨ ଲିଟର ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୫୯୩ ଟଙ୍କାକୁ ବୃଦ୍ଧି ଘଟିଛି। ଏହା ପୂର୍ବରୁ ଏଲ୍ପିଜି ଦର ୩ ଥର ହ୍ରାସ ହେବା ଫଳରେ ଦର ୨୭୭ ଟଙ୍କା ନିମ୍ନରେ ରହିଥିଲା। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆସି ନ ଥିବା ଜଣାପଡ଼ିଛି।