ବିଶ୍ୱରେ ଏମିତି ଦେଶ ଅଛି, ଯେଉଁ ଦେଶର ଲୋକେ ନିଜ ଦେଶର ଫିଲ୍ମ ଏବଂ ଗୀତ ଅପେକ୍ଷା ଭାରତୀୟ ଫିଲ୍ମ ଏବଂ ଗୀତକୁ ପସନ୍ଦ କରିଥାନ୍ତି। ଏପରିକି ଭାରତୀୟ ଫିଲ୍ମର ଗୀତକୁ ସବୁବେଳେ ଗୁଣୁଗୁଣାଇଥାନ୍ତି। ହିନ୍ଦୀ ଫିଲ୍ମର ସେମାନେ ଦିବାନା ପାଲଟିଯାନ୍ତି କହିଲେ ଭୁଲ ହେବ ନାହିଁ।
ଖାଲି ଏତିକି ନୁହେଁ, ଏଠାକାର ଏକ ସ୍କୁଲରେ ମଧ୍ୟ ହିନ୍ଦୀ ପାଠ ପଢ଼ାଯାଇଥାଏ। ଏହି ଦେଶର ନାମ ତୁର୍କମେନିସ୍ତାନ। ଏହାକୁ ଏକ ଶୁଷ୍କ ମରୁଭୂମି ଦେଶ ଭାବେ ଗଣାଯାଏ। ଏଠାରେ ପ୍ରାୟ ୮୦ ପ୍ରତିଶତ ଭାଗ ବାଲି। ବର୍ଷକୁ ମାତ୍ର ୦.୧୨ ମିମି ବର୍ଷା ହୋଇଥାଏ।
ଏଠାକାର ଲୋକେ ମୁଖ୍ୟତଃ କୃଷି ଏବଂ ପଶୁପାଳନ ଉପରେ ନିର୍ଭର କରି ଚଳିଥାନ୍ତି। ଏହି ଦେଶରେ ଫଟୋ ଉଠାଇବା ପାଇଁ ଆଜି ପର୍ଯ୍ୟନ୍ତ ସ୍ବାଧୀନତା ଦିଆଯାଇନାହିଁ। ଏଥିପ୍ରତି କଟକଣା ରହିଛି। ତୁର୍କମେନିସ୍ତାନ ତୁର୍କମେନିୟା ନାମରେ ମଧ୍ୟ ପରିଚିତ। ୧୯୯୧ ପର୍ଯ୍ୟନ୍ତ ଏହି ଦେଶ ସ୍ବାଧୀନତା ପ୍ରାପ୍ତି ହୋଇ ନ ଥିଲା। ୨୭ ଅକ୍ଟୋବରରେ ସୋଭିଏତ୍ ସଂଘଠାରୁ ଅଲଗା ହୋଇ ଏହା ଏକ ନୂଆ ରାଷ୍ଟ୍ରର ପରିଚୟ ପାଇଲା।