ସାଧାରଣତଃ ଦେବଦେବୀଙ୍କ ମନ୍ଦିରରେ ପୂଜାପାଠ ସମୟରେ ଶଙ୍ଖ ବଜାଯାଇଥାଏ। ମାତ୍ର ଏମିତି ଏକ ମନ୍ଦିର ରହିଛି, ଯେଉଁଠି କେବେ ଶଙ୍ଖ ବାଜେ ନାହିଁ। ବାସ୍ତବରେ ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଉତ୍ତରାଖଣ୍ଡର ଚମେଲି ଜିଲା ଅଳକାନନ୍ଦା ନଦୀ କୂଳରେ ବଦ୍ରିନାଥ ମନ୍ଦିର ରହିଛି। ଯାହା ହିନ୍ଦୁଧର୍ମର ପବିତ୍ର ୪ ଧାମ ମଧ୍ୟରୁ ଗୋଟିଏ ଭାବରେ ପରିଗଣିତ। ଭଗବାନ ବିଷ୍ଣୁ ଏହି ମନ୍ଦିରରେ ପୂଜା ପାଇଥାନ୍ତି। ଏହି ମନ୍ଦିରରେ ଭିନ୍ନ ଏକ ପରମ୍ପରା ରହିଛି। ଏହି ମନ୍ଦିର ନିର୍ମାଣ ୭-୯ ଶତାବ୍ଦୀରେ ହୋଇଥିବା ପ୍ରମାଣ ମିଳିଥାଏ। ଏହା ଭାରତର ସବୁଠାରୁ ଜନବହୁଳ ତୀର୍ଥସ୍ଥାନ ମଧ୍ୟରୁ ଏକ ଭାବରେ ଗଣନା କରାଯାଇଥାଏ। କାରଣ ଏଠାରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ଭଗବାନ ବଦ୍ରିନାରାୟଣଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ଏହି ମନ୍ଦିରରେ ଭଗବାନ ବଦ୍ରିନାରାୟଣଙ୍କ ୧ ମିଟର ଲମ୍ବର ଶାଳଗ୍ରାମ ମୂର୍ତ୍ତି ରହିଛି। ନିକଟସ୍ଥ ନାରଦା କୁଣ୍ଡରୁ ପ୍ରଭୁ ଶିବଙ୍କର ଅବତାର ବୋଲି ବିବେଚନା କରାଯାଉଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଏହା ସ୍ଥାପିତ ହୋଇଥିଲା। କୁହାଯାଏ, ଏହି ମୂର୍ତ୍ତି ନିଜେ ପୃଥିବୀପୃଷ୍ଠରେ ପ୍ରକଟ ହୋଇଥିଲା।
ଏହି ମନ୍ଦିରରେ ଶଙ୍ଖ ନ ବାଜିବା ପଛରେ ଏକ ମାନ୍ୟତା ଅଛି କି, ଏହି ସମୟରେ ହିମାଳୟ କ୍ଷେତ୍ରରେ ରାକ୍ଷସମାନଙ୍କର ଆତଙ୍କ ଥିଲା। ସେ ଏତେ ଉତ୍ପାତ କରୁଥିଲେ କି, ମୁନିଋଷିମାନେ ମନ୍ଦିର କିମ୍ବା ଆଶ୍ରମରେ ଭଗବାନଙ୍କ ପୂଜାର୍ଚ୍ଚନା କରିପାରୁ ନ ଥିଲେ। ରାକ୍ଷସଙ୍କ ଏହି ଉତ୍ପାତ ଦେଖି ଋଷି ଅଗସ୍ତ୍ୟ ମା’ ଭଗବତୀଙ୍କ ସାହାଯ୍ୟ ନେଇଥିଲେ। ଯାହା ପରେ ମା’ କୁଷ୍ମାଣ୍ଡା ଦେବୀ ରୂପରେ ପ୍ରକଟ ହୋଇଥିଲେ ଏବଂ ନିଜର ତ୍ରିଶୂଳ, ଖଣ୍ଡା ସାହାଯ୍ୟରେ ରାକ୍ଷସକୁ ବିନାଶ କରିଥିଲେ। ଏହି ସମୟରେ ଆତାପି ଏବଂ ବାତାପି ନାମକଙ୍କ ଦୁଇ ରାକ୍ଷସ ମା’ କୁଷ୍ମାଣ୍ଡାଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ଦୌଡ଼ି ପଳାଇଥିଲେ। ଆତାପି ମନ୍ଦାକିନୀ ନଦୀରେ ଲୁଚିଗଲା ଏବଂ ବାତାପି ବଦ୍ରିନାଥ ଧାମ ଦୌଡ଼ି ଯାଇ ଏଠାରେ ଥିବା ଶଙ୍ଖ ଭିତରେ ଲୁଚିଗଲା। ଏହା ପରେ ବଦ୍ରିନାଥ ଧାମରେ ଶଙ୍ଖ ନ ବାଜିବା ପରମ୍ପରା ଆଜି ପର୍ଯ୍ୟନ୍ତ ଚାଲିଆସୁଛି।