ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଅଛି-ତଢାଉକରଣ ରୂପେ ମାଦଳାପାଞ୍ଜି ଦିନକୁ ଦିନ ଗଡ଼ାଇ ଲେଖିବେ। ପୁରୁଣା ପାଞ୍ଜିଗୁଡ଼ିକୁ ହଳଦୀ କେଶର ଲଗାଇ ଅବିକଳ ଅବସ୍ଥାରେ ରଖିବେ। ଯେଉଁଦିନ ଯେଉଁ ଯାତ୍ରା ହୋଇବ ସେହିଦିନ ପୁରୁଣା ମାଦଳାପାଞ୍ଜି ପଢି ପାଇକ, ଲେଙ୍କା, ମହାଜନ ଓଗେରଙ୍କୁ ଦେଉଳକରଣଙ୍କ ଉପସ୍ଥିତିରେ କହିବେ। ବାସ୍ତବରେ କେବଳ ତଢାଉକରଣ ମାଦଳାପାଞ୍ଜି ଲେଖୁ ନ ଥିଲେ। ଦେଉଳକରଣ ମଧ୍ୟ ଲେଖୁଥିଲେ। ଦେଉଳକରଣ ହେଉଛନ୍ତି ମହାନାୟକ ଶାଢିବନ୍ଧା କରଣ ସେବକ। ସାବାଳକ ହେବା ପରେ ପ୍ରଥମେ ଶ୍ରୀମନ୍ଦିର ନୀତିରେ ସେ ଜ୍ଞାନ ହାସଲ କରନ୍ତି। ମାଦଳାପାଞ୍ଜି କାମରେ ଜ୍ଞାନ ହାସଲ କରିବା ଅର୍ଥାତ୍ ପାଞ୍ଜି ପଢିବା ଓ ଲେଖିବାର ତରିକା ଜାଣିବା ପରେ ଶାଢି ବନ୍ଧାଇ ସେବା କରନ୍ତି। ତେଣୁ ଯାତ୍ରା ତିଥିରେ ତଢାଉକରଣ ତାଙ୍କ ଉପସ୍ଥିତିରେ ପୁରୁଣା ପାଞ୍ଜି ପଢି ପୂର୍ବରୁ କିପରି ନୀତି ହୋଇଥିଲା ତାହା ଜଣାଇଥାନ୍ତି।
ଶ୍ରୀମନ୍ଦିର ଉପାସନାର ସମସ୍ତ ଦିଗ କିପରି ଶୃଙ୍ଖଳିତ ହେବ ତା’ର ମାର୍ଗଦର୍ଶିକା ହେଉଛି ମାଦଳାପାଞ୍ଜି। ଏହା ପ୍ରାମାଣିକ ହେବା ସ୍ବାଭାବିକ। ମାଦଳାପାଞ୍ଜିକୁ ଏପରି ଗୁରୁତ୍ୱ ଦିଆଯାଏ ଯେ, ଗଜପତିଙ୍କ ଆଦେଶକ୍ରମେ ବର୍ଷକୁ ଦୁଇଥର ଗଣେଶ ପୂଜା ଓ ସରସ୍ବତୀ ପୂଜା ଦିନ ପୂଜା କରାଯାଏ। ଉଭୟ କରଣଙ୍କ ସହଯୋଗରେ ଏହି ପୂଜା ସମାପନ ହୁଏ। ମାଦଳା ପାଞ୍ଜିରେ ସତ୍ୟତା ନାହିଁ ବୋଲି ଅନେକ ଇତିହାସକାର ମତ ଦେଇଛନ୍ତି। ସେମାନେ ରାଏସାହେବ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଙ୍କଳିତ ମାଦଳାକୁ ଆଙ୍ଗୁଠି ଦେଖାଇଛନ୍ତି। ମନେହୁଏ ପୂଜାରେ ବସୁଥିବା ଲେଖା ପୋଥିକୁ ସେମାନେ ଦେଖିନାହାନ୍ତି।
ପୂର୍ବ ବର୍ଷମାନଙ୍କରେ ହୋଇଥିବା ନୀତିକୁ ଆଧାର କରି ଯଦି ଶ୍ରୀମନ୍ଦିରରେ ନୀତି ସମ୍ପାଦନ ହୋଇପାରୁଛି, ତାହା କଣ ମିଛ ଲେଖାକୁ ଆଧାର କରି ହେଉଛି! ପ୍ରକୃତରେ ଶହ ଶହ ବର୍ଷ ଧରି ମାଦଳା ଲେଖା ଚାଲିଛି। ତାକୁ ଠିକଣା ଢଙ୍ଗରେ ସଜାଇବାକୁ ଆମେ ବୋଧହୁଏ ଆଗୁଆ ହୋଇନେ। ମାଦଳା ଲେଖକଙ୍କ ବିନା ତଥା ଶ୍ରୀମନ୍ଦିର ପ୍ରଶାସନ ବିନା ଇଏ କାମ ସହଜ ନୁହେଁ।
ଲେଖା ଚାଲୁଥିବା ମାଦଳା କାଳପ୍ରବାହରେ ନଷ୍ଟହେବା ସ୍ବାଭାବିକ। ଯେତିକି ନଷ୍ଟ ହୋଇଥିବ ତା’ର ପୂର୍ବ ଓ ପର ପ୍ରସଙ୍ଗ ଅସଙ୍ଗତ ଲାଗିବ। ଜଣେ ବ୍ୟକ୍ତି ସଙ୍କଳନ କରିବା ସହଜ ନୁହେଁ, ତଥାପି ପୂଜ୍ୟ ଆର୍ତ୍ତବଲ୍ଲଭ ମହାନ୍ତି ଯେତିକି ସମ୍ଭବ ହୋଇଛି ତାକୁ ଏକାଠି କରିବାକୁ ଚେଷ୍ଟା କରିଛନ୍ତି। ଗୋଟିଏ ଭାଗ ଅଧାବିଧା ରୂପରେ ଆମେ ଦେଖୁଛେ। ତଥ୍ୟ ଅନୁଯାୟୀ, ଏହାର ଅନେକ ଭାଗ ରହିଛି। ଗୋଷ୍ଠୀଗତ ଭାବରେ, ଶିକ୍ଷାନୁଷ୍ଠାନ କିମ୍ବା ପ୍ରଶାସନ ଏ ଦିଗକୁ ନଜର ପକାଇଲା ଭଳିଆ ଲାଗୁନାହିଁ। ଏହା ହିଁ ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ଐତିହ୍ୟ ଲୋକଲୋଚନକୁ ନ ଆସିବାର ପ୍ରଧାନ ରହସ୍ୟ।
– ଡ. ସୁରେନ୍ଦ୍ର କୁମାର ମିଶ୍ର