ଭୁବନେଶ୍ୱର,୧୦ା୬(ବ୍ୟୁରୋ): ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଓଡ଼ିଶା ଫେରିବେ। ସମ୍ପୂର୍ଣ୍ଣଭାବେ ସୁସ୍ଥ ହୋଇ ନ ଥିଲେ ମଧ୍ୟ ସେ ନିଜ ଜନ୍ମମାଟିକୁ ଆସିବାକୁ ଚାହୁଁଛନ୍ତି। ତେଣୁ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ବୁଧବାର ତାଙ୍କୁ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି। ଭୁବନେଶ୍ୱର ଫେରିବା ପାଇଁ ସେ ଗତକିଛିଦିନ ହେଲା ଚାହୁଁଥିଲେ ମଧ୍ୟ କରୋନା କଟକଣା ପାଇଁ ସମ୍ଭବ ନ ଥିଲା। ଏନେଇ ପରିବାରବର୍ଗ ଏବଂ ସିନେ କଳାକାରମାନେ ସହାୟତା ପାଇଁ ଭୁବନେଶ୍ୱର ଏମ୍ପିଙ୍କୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଏଠାରେ ପହଞ୍ଚତ୍ବା ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ କିଛିବର୍ଷ ହେଲା ପରିବାର ସହ ହାଇଦ୍ରାବାଦରେ ରହୁଥିବା ମହାନ୍ତି ମେ’ ୨୬ରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ମଧୁମେହରେ ଆକ୍ରାନ୍ତ ଅଛନ୍ତି।