ଅନେକ ଲୋକବାଦ୍ୟ ନଟଦେବତା ଶିବଙ୍କଠାରୁ ସୃଷ୍ଟି ହୋଇଥିବାର ବିଭିନ୍ନ କାହାଣୀ ଓ କିମ୍ବଦନ୍ତୀ ରହିଛି। ମାତ୍ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପାରମ୍ପରିକ ଲୋକବାଦ୍ୟର ସ୍ବତନ୍ତ୍ରତା ରହିଛି। ବିଭିନ୍ନ ପ୍ରକାର ଲୋକବାଦ୍ୟ ମାଙ୍ଗଳିକ, ଆଧାତ୍ମିକ କିମ୍ବା ସାଂସ୍କୃତିକ ମନୋରଞ୍ଜନ ଆଦି କାର୍ଯ୍ୟକ୍ରମରେ ବାଜିଥାଏ। ଓଡ଼ିଶାରେ ଥିବା ଅନେକ ପାରମ୍ପରିକ ବାଦ୍ୟଯନ୍ତ୍ର ପୁରପଲ୍ଲୀରେ ଦେଖିବାକୁ ମିଳେ ।
ସମୟକ୍ରମେ କେତେକ ଲୋପପାଇଯାଇଥିବା ବେଳେ କିଛି ନୂଆରୂପରେ ଦେଖିବାକୁ ମିଳେ। ଏପରି ବାଦ୍ୟଯନ୍ତ୍ରର ନାମକରଣ ପଛରେ ଲୋକକାହାଣୀ କିମ୍ବଦନ୍ତୀ ଯୋଡ଼ିହୋଇ ରହିଛି। ଓଡ଼ିଶାରେ ଦେଖିବାକୁ ମିଳୁଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ଉତ୍ପତ୍ତି, ଗଠନ ଓ ବାଦନଶୈଳୀ ଭିନ୍ନ ଭିନ୍ନ ହୋଇଥାଏ। ଏମିତି ଲୋକବାଦ୍ୟଗୁଡ଼ିକ ପ୍ରାୟ କେତୋଟି ଶ୍ରେଣୀରେ ବିଭକ୍ତ ହୋଇଥିବାର କୁହାଯାଏ।
ତତ୍- ତାର ବା ଘୋଡ଼ାବାଳକୁ ଘର୍ଷଣକରି ବଜାଯାଏ-କେନ୍ଦରା, ଧୁଡ଼ୁକି,ଡେକା,ଟୁଇଲା।
ଅବନଦ୍ଧ-ଯେଉଁ ବାଦ୍ୟଯନ୍ତ୍ରର ଦୁଇ କିମ୍ବା ଏକପାଖରେ ଚମଡ଼ାର ଆବରଣ କରାଯାଇ ହାତ କିମ୍ବା ବାଡ଼ି ସାହାଯ୍ୟରେ ବଜାଯାଏ- ମୃଦଙ୍ଗ, ଢୋଲ, ମର୍ଦ୍ଦଳ,ଚାଙ୍ଗୁ।
ଶୁଷୁରି-ଯେଉଁବାଦ୍ୟଯନ୍ତ୍ରକୁ ପବନ ସାହାଯ୍ୟରେ ଫୁଙ୍କି ବଜାଯାଏ – କାହାଳୀ, ଶଙ୍ଖ, ଶିଙ୍ଗା, ବଂଶୀ, ମହୁରି।
ଘନ- ଧାତୁ କିମ୍ବା କାଠରେ ତିଆରି ବାଦ୍ୟଯନ୍ତ୍ର ଯାହାକୁ ପିଟିପିଟି ଧ୍ୱନି ବା ଶବ୍ଦ ସୃଷ୍ଟି କରାଯାଇଥାଏ- ଝାଞ୍ଜ,ଘଣ୍ଟ,ଘଣ୍ଟି, ଦାସକାଠିଆ ଏପରି ଅନେକ ଲୋକବାଦ୍ୟ ରହିଛି।
ମୃଦଙ୍ଗ- ଏହି ବାଦ୍ୟଟି ମାଟିହାଣ୍ଡିରେ ତିଆରି ହୋଇଥାଏ। ଏହାର ମୁହଁଟି ୪/୫ଇଞ୍ଚ ବ୍ୟାସ ଏବଂ ଅନ୍ୟପଟ ମୁହଁଟି ପ୍ରାୟ ଫୁଟେ ବ୍ୟାସର ହେବ। ଚମଡ଼ାରେ ଏହାର ଦୁଇପାଖ ମୁହଁକୁ ବନ୍ଦ କରାଯାଇଥାଏ । ଚମଡ଼ାରେ ଫିତା ବନ୍ଧା ଯାଇଥାଏ। ଏହାକୁ ଖୋଳ ଭାବେ କେହି କେହି କୁହନ୍ତି। କେତେକ ଏହାକୁ ଦକ୍ଷିଣୀ ବୋଲି କୁହନ୍ତି। ଏହା ଗାଁ ଗହଳିରେ ସଂକୀର୍ତ୍ତନ ମଣ୍ଡଳିରେ କଳାକାରମାନେ ବଜାଇ ନାମ ସଂକୀର୍ତ୍ତନ କରିଥାନ୍ତି। ଆଜିକାଲି କେତେକ କାଠର ଗଣ୍ଡିକୁ ଖୋଳକରି ଏହି ମୃଦଙ୍ଗ ତିଆରି କରାଯାଇପାରୁଛି। ଏହା ମଙ୍ଗଳ ମହୋତ୍ସବରେ ବଜାଯାଇଥାଏ।
ଖଞ୍ଜଣି- ଏହା ଗମ୍ଭାରି କିମ୍ବା ଆଙ୍କୁଲ କି ପଣସ ଆଦି କାଠରେ ତିଆରି କରାଯାଇଥାଏ। ଏହାର ଏକପାଖରେ ଗୋଧି ଚମ୍ଡ଼ାକୁ ଅଠାଦ୍ୱାରା ଲଗାଯାଇଥାଏ। ତୁମ୍ବାର ମଝିରେ ତିନୋଟି ଗାତ କରାଯାଇ ସେହି ସ୍ଥାନରେ ମୋଟାତାର କିମ୍ବା କଣ୍ଟା ଦ୍ୱାରା ଛୋଟ ଛୋଟ ଗିନି ଖଞ୍ଜା ଯାଇଥାଏ। ଏହାକୁ ବାଦନ କଲେ ସ୍ବତନ୍ତ୍ରଶବ୍ଦର ଧ୍ୱନି ସୃଷ୍ଟି କରେ। ମହିମା ଧର୍ମର ସାଧୁମାନେ ଏହି ଖଞ୍ଜଣି ବଜାଇ ଭଜନଗାନ କରିଥାନ୍ତି। ସେହିପରି ଗାଁ ଭାଗବତ ଟୁଙ୍ଗିରେ ଭଗବତପ୍ରେମୀମାନେ ବଜାଇଥାନ୍ତି। ।
କେନ୍ଦରା-ଏହା ଏକ ବାଉଁଶବାଡ଼ିରେ ତିଆରି ଲୋକବାଦ୍ୟ। ଏକପାଖେ ଏକ ନଡ଼ିଆ ଷଢେଇ ଖୋଳକୁ ସଂଯୋଗ କରାଯାଇଥାଏ। ସେହି ସଢେଇମୁହଁରେ ଗୋଧିଚମଡ଼ାକୁ ଅଠାଦ୍ୱାରା ଆଚ୍ଛାଦିତ କରାଯାଇଥାଏ। ଏହାପରେ ବାଉଁଶର ଦୁଇପାର୍ଶ୍ୱକୁ ସରୁ ତାର ଦ୍ୱାରା ବନ୍ଧାଯାଇଥାଏ। ଏହି ତାରକୁ ଟାଣ ଓ ହୁଗୁଳା କରିବା ପାଇଁ ବାଉଁଶ ବାଡ଼ିର ଅଗ୍ରଭାଗରେ ଏକ ବାଉଁଶ କିଳାଖଞ୍ଜା ଯାଇଥାଏ। ଏହି କିଳାରେ ତାରକୁ ବାନ୍ଧି ରଖିବା ସହ ବଜାଇବାରେ ସାହାଯ୍ୟ କରିଥାଏ। ଏହି ତାରକୁ ଟାଣକରିବା ସହ ସ୍ବରକୁ ଠିକ ରୂପେ ସ୍ବର ଦେବା ପାଇଁ ଚମଡ଼ା ଉପରେ ଏକ ଛୋଟ ବାଉଁଶ ପାତି ଖଞ୍ଜା ଯାଇଥାଏ। ଯାହାଦ୍ୱାରା ତାରଟି ଚମଡ଼ା ଠାରୁ ଅଳ୍ପ ଉପରେ ରହେ। ଏବଂ ଠିକ ସ୍ବର ଉତ୍ତୋଳନ କରିଥାଏ। ଏହାର ସଢେଇ ଅଂଶଟି ଛାତିକୁ ଲଗାଇ ବା ସହ ବାଉଁଶ ଦଣ୍ଡର ଶେଷ ଅଂଶଟି ବାମହାତ ପାପୁଲିରେ ସଂଯୋଗ ହୋଇଥାଏ। ସ୍ବର ସୃଷ୍ଟି ପାଇଁ ୫/୭ ଘୋଡ଼ାବାଳର ଗୁଣ ଦିଆଯାଇଥାଏ। ଏକ ଛୋଟ ବାଉଁଶ ପାତିଆର କାଣ୍ଡ ଅବଶ୍ୟକ ପଡ଼େ। ଏହି କାଣ୍ଡ ପାତିଆକୁ ଡାହାଣ ହାତରେ ଧରି ତାର ଉପରେ ଘୋଡ଼ାବାଳକୁ ଆସ୍ତେ ଆସ୍ତେ ଘର୍ଷଣ କଲେ ସେଥିରୁ ମଧୁର ସ୍ବର ବାହାରି ଆସେ। ଏହାକୁ ତାଳ ଦେଇ ଗାଁ ଗହଳିରେ ଟିକା ଗୋବିନ୍ଦ ଚନ୍ଦ୍ର ଶରୀରଭେଦ ଭଜନ ଗାନ କରାଯାଇଥାଏ । ଏଥିରୁ ଏକ କରୁଣ ସ୍ବର ଶୁଭେ।
ମହୁରି-ଏହା ଏକ ପିତ୍ତଳରେ ତିଆରି ବାଦ୍ୟଯନ୍ତ୍ର। ଏହାର ଲମ୍ବ ପ୍ରାୟ ଏକଫୁଟଠାରୁ ଟିକେ ଅଧିକ। ମୁହଁଟି ଦେଢ ଇଞ୍ଚ ବ୍ୟାସର ଛତ୍ରାକାର ହୋଇଥାଏ। ଅଗ୍ରଭାଗଟି ସରୁ ହୋଇ ଛୋଟ ରନ୍ଧ୍ରଟିଏ ଥାଏ। ଏଥିରେ ବେତ କିମ୍ବା ବାଉଁଶ ପାତିର ଦୁଇଟି ଫାଳକୁ ସୂତା ଦ୍ୱାରା ବାନ୍ଧି ସେହି ରନ୍ଧ୍ରରେ ମହ ୁଅଠାଦ୍ୱାରା ଖଞ୍ଜାବାଉଁଶ ପାତି ଦେଇ ଫୁଙ୍କିଲେ ସ୍ବର ଉତ୍ପନ୍ନ ହୁଏ। ଏହା ବିଶେଷ କରି ବିବାହ ଉତ୍ସବ ଯାନିଯାତରାରେ ବଜାଯାଇଥାଏ। ଏହା ଦଣ୍ଡନାଚ,ପ୍ରହଲ୍ଲାଦ ନାଚରେ ଆବଶ୍ୟକ ପଡ଼େ।
ଧୁଡ଼ୁକି- ଏହା ଗମ୍ଭାରି କାଠରେ ତିଆରି ଏକ ଖୋଳ । ଏହାର ବ୍ୟାସ ପ୍ରାୟ ୬ଇଞ୍ଚ ଓ ଲମ୍ବ ପ୍ରାୟ ଏକଫୁଟ ହୋଇଥାଏ। ଏହାର ତୁମ୍ବା ପ୍ରାୟ ୧/୪ ଇଞ୍ଚର ପତଳା କରାଯାଇଥାଏ । ଯାହା ଦ୍ୱାରା କି ବଜାଇବାରେ ଭିନ୍ନସ୍ବର ଉତ୍ପନ୍ନ ହୁଏ। ଏହାର ଗୋଟିଏ ପାର୍ଶ୍ୱମୁହଁରେ ଗୋଧିର ଚମଡ଼ାରେ ଆବଦ୍ଧ କରାଯାଇଥାଏ। ଧୁଡ଼ୁକି ତୁମ୍ବାର ଲମ୍ବଠାରୁ ପ୍ରାୟ ୬ଇଞ୍ଚ ବଳକା କରି ସୁତା କିମ୍ବା ଘୋଡ଼ାବାଳ ବନ୍ଧାଯାଇଥାଏ। ସୁତାରୁ ବନ୍ଧାଯାଇଥିବା କାଠ ଖଣ୍ଡକୁ ହାତରେ ଧରି ଧୁଡ଼ୁକିକୁ କାଖରେ ଜାକି ବାଦକ ନିଜ ଅଙ୍ଗୁଳି ନଖରେ କିମ୍ବା ପ୍ଲାଷ୍ଟିକ ଖଣ୍ଡରେ ବଜାଇଥାନ୍ତି। ନିଜ ପାପୁଲିରେ ସୁତାକୁ ଟାଣି ଧରିଥିବା କାଠଖଣ୍ଡର ଦୁଇ ପାର୍ଶ୍ୱରେ ଛୋଟ ଘୁଙ୍ଗୁର ବନ୍ଧା ଯାଇଥାଏ। ଏହି ଧୁଡ଼ୁକିକୁ ବାଦକ ଗୀତ ଗାଇ ଗାଇ ବଜାଇଥାନ୍ତି । ଗାଁ ଗହଳିରେ ପୁରାଣ ସୁଆଙ୍ଗ ବୋଲିବା ସମୟରେ ବଜାଯାଇଥାଏ।
ନାଗେଶ୍ୱର-ଏହା ଲାଉ ତୁମ୍ବା ଓ ସରୁବାଉଁଶ ନଳ ଖଣ୍ଡରେ ତିଆରି। ଏକ ପାଚିଲା ଲାଉତୁମ୍ବାରୁ ରସ ବାହାରକରି ତୁମ୍ବାର ଠିକ୍ ନାଭି ସ୍ଥଳରେ ଏକ ଗର୍ତ୍ତ କରାଯାଇ ସେଥିରେ ୭ଗୋଟି କଣାଯୁକ୍ତ ବାଉଁଶନଳକୁ ଗହମ କିମ୍ବା ଶିଠା ଦ୍ୱାରା ସଂଯୋଗ କରାଯାଇଥାଏ। ଏହାର ଉପରକୁ ଲମ୍ବିଥିତ୍ବା ଡେମ୍ଫର ସରୁ ମୁଖଟିକୁ ଛୋଟ କଣାକରି ସେଥିରେ ବେତ ବାଉଁଶର ସରୁପାତିର ଦୁଇଟି ଫାଳକୁ ଶିଠା ଦ୍ୱାରା ଆବଦ୍ଧ କରାଯାଇଥାଏ। ଏହାର ବେକ ପାଖରେ ଏକ କ୍ଷୁଦ୍ରକଣା କରାଯାଇଥାଏ। ଏହି ବାଉଁଶ ପାତିକୁ ମୁହଁରେ ଲଗାଇ ଫୁଙ୍କିଲେ ଏଥିରୁ ସୁନ୍ଦର ଶବ୍ଦ ସୃଷ୍ଟି ବେଳେ ଅଙ୍ଗୁଳି ଦ୍ୱାରା ଆବଦ୍ଧ କରାଯାଇ ସ୍ବର ଉତ୍ତୋଳନ କରାଯାଇଥାଏ। ପୂର୍ବେ ଏହି ଯନ୍ତ୍ର ବଜାଉଥିବା କଳାକାର ସାପ ଖେଳାଉଥିଲେ।
ବଂଶୀ-ଏହାକୁ ସରୁ ବାଉଁଶ ନଳିରେ ତିଆରି କରାଯାଇଥାଏ। ପ୍ରାୟ୧୦ଇଞ୍ଚ ଠାରୁ ୨/୩ଫୁଟ ଲମ୍ବର ଦେଖିବାକୁ ମିଳେ। ଏହାର ସ୍ବର ଖୁବ ମଧୁର। ଓଠରେ ଏହାକୁ ବଜାଯାଇଥାଏ। ଫୁଙ୍କିବା ପାଖରେ ବାଉଁଶର ଆରମ୍ଭରୁ ଏକ ଇଞ୍ଚ ବ୍ୟବଧାନରେ ଗୋଟିଏ ରନ୍ଧ୍ର ଥାଏ। ସପ୍ତସ୍ବର ସୃଷ୍ଟିପାଇଁ ଛଗୋଟି ରନ୍ଧ୍ର ଥାଏ। ଦୁଇଗୋଟି ହାତ ଅଙ୍ଗୁଳି ଦ୍ୱାରା ଦୁଇହାତରେ ଆବଦ୍ଧ କରାଯାଇ ଏଥିରେ ସ୍ବର ସୃଷ୍ଟି କରାଯାଇଥାଏ। ମହାପ୍ରଭୁ ଶ୍ରୀକୃଷ୍ଣ ଏହାକୁ ବଜାଇ ସାରା ବିଶ୍ୱକୁ ମୋହି ପାରିଥିଲେ ବୋଲି ଏହାର ନାମ ମୋହିନ ବଂଶୀ। ଶାସ୍ତ୍ରୀୟ ସଙ୍ଗୀତଗାନରେ, ଓଡ଼ିଶୀ, ଚମ୍ପୁ, ଛାନ୍ଦ ଏବଂ କୃଷ୍ଣଲୀଳା, ରାଧାପ୍ରେମଲୀଳାରେ ବଜାଯାଇଥାଏ। ଏପରିକି ଆଦିବାସୀ ନୃତ୍ୟରେ ମଧ୍ୟ କେହି କେହି ବଜାଇଥାନ୍ତି।
ଶଙ୍ଖ- ଏହା ଏକ ସାମୁଦ୍ରିକ ଜୀବରଅଙ୍ଗ। ଶାମୁକା ଯାତୀୟ ଅଟେ। ହିନ୍ଦୁ ଧର୍ମରେ ଶଙ୍ଖର ବିଭିନ୍ନ ନାମକରଣ ରହିଛି। ଏହାର ଧ୍ୱନିକୁ ଶୁଭସୂଚକ ଭାବେ ମଯର୍ୟଦା ଦିଆଯାଇଥାଏ। ଏହା ଛୋଟ ବଡ଼ ବିଭିନ୍ନ ପ୍ରକାରର ମିଳିଥାଏ। ଏହାର ପେଟ ଅଂଶଟି ଅଳ୍ପ ଫାଙ୍କାଥାଏ। ଏହାକୁ ଫୁଙ୍କିଲେ ପେଟର ଫାଙ୍କାଦେଇ ଧ୍ୱନି ସୃଷ୍ଟି ହୋଇଥାଏ। ପୂର୍ବେ ପୌରାଣିକ ଯୁଗରେ ଯୁଦ୍ଧର ଆରମ୍ଭ ଓ ଶେଷର ସଙ୍କେତ ପାଇଁ ବଜାଯାଉଥିଲା। ଠାକୁରଙ୍କ ପୂଜାର୍ଚ୍ଚନା, ଯଜ୍ଞ, ମଙ୍ଗଳମୟ ପାଇଁ ଯାତ୍ରାସମୟରେ ଶୁଭଶଙ୍ଖ ବଜାଯାଇଥାଏ।
ତୁରୀ- ଏହା ପିତ୍ତଳରେ ତିଆରି ହୋଇଥାଏ। ପ୍ରାୟ ଦେଢଫୁଟ ଲମ୍ବର। ଏହା ଉପରକୁ ସାଧାରଣତଃ ବଙ୍କା ରହିଥାଏ। ଏହାର ମୁହଁଟି ୨/୩ଇଞ୍ଚ ବିଶିଷ୍ଟ ଛତ୍ରାକାର ହୋଇଥାଏ। ଏହାର ଅଗ୍ରଭାଗଟି ସରୁ ଓଠରେ ଫୁଙ୍କିବା ଦ୍ୱାରା ଖୁବ୍ ଉଚ୍ଚସ୍ବର ଶବ୍ଦ ଉପ୍ନନ ହୁଏ।ଏହି ବାଦ୍ୟଯନ୍ତ୍ରଟି ଗୋଟିଏ ଅଂଶରେ ତିଆରି ହୋଇଥାଏ।
କାହାଳୀ-: ଏହା ଏକ ସରୁ ବାଦ୍ୟଯନ୍ତ୍ର ଅଟେ। ଏହାର ଲମ୍ବ ପ୍ରାୟ ୩/୪ଫୁଟ ହୋଇଥାଏ। ଏହାର ମୁହଁଟି ୨ଇଞ୍ଚ ବ୍ୟାସ ହୋଇଥାଏ। ଏହା ପିତ୍ତଳରେ ତିଆରି। ଏହାର ଶରୀରଟି ତିନୋଟି ଭାଗରେ ବିଭକ୍ତ। ଏହାର ତିନୋଟି ଦଣ୍ଡକୁ ସଂଯୋଗକରି ଫୁଙ୍କିଲେ ବାଜିଥାଏ। ଏହା ବିଭିନ୍ନ ପର୍ବପର୍ବାଣି ଏବଂ ପୌରାଣିକ ସମର କ୍ଷେତ୍ରରେ ବଜାଯାଇଥାଏ।
ଘଣ୍ଟି-:ଏହା ପିତ୍ତଳରେ ତିଆରି। ଏହାର ଗର୍ଭମଧ୍ୟରେ ଏକ ପିତ୍ତଳର ଜିଭ ଲାଗିଥାଏ। ଉପରେ ଝୁଲେଇବା ପାଇଁ ଆଙ୍କୁଡ଼ା ଓ ହାତରେ ଧରିବା ପାଇଁ ଛୋଟ ଦଣ୍ଡଟିଏ ରହିଥାଏ। ଠାକୁରଙ୍କ ଆଳତି ଓ ବିଭିନ୍ନ ପୂଜାର୍ଚ୍ଚନାରେ ବଜାଯାଇଥାଏ। ତେବେ ବିଭିନ୍ନ ଆକୃତିର ଘଣ୍ଟି ରହିଛି। ଭକ୍ତମାନେ ମନ୍ଦିରକୁ ପ୍ରବେଶ କଲାବେଳେ ଏପରି କେତେକ ସ୍ଥାନରେ ଘଣ୍ଟିକୁ ବଜାଇଥାନ୍ତି। ସେହିପରି ନାଗାର୍ଜୁନ ନାଚ ଏବଂ ଜାନୁଘଣ୍ଟ ପର୍ଶୁରାମ ଗାଁରେ ଯାତ୍ରା କରୁଥିବାବେଳେ ଏକପ୍ରକାରର ଘଣ୍ଟିକୁ ଜାନୁରେ ବାନ୍ଧି ଚାଲିଲେ ଏହି ଘଣ୍ଟି ବାଜିଥାଏ।
ଘଣ୍ଟ-ଏହା ପିତ୍ତଳରେ ତିଆରି । ଏକ ଫୁଟ ବ୍ୟାସ ଓ ଦେଢଫୁଟ ଇଞ୍ଚ ଗଭୀରର ଏକ ପତଳା ବାଦ୍ୟ ଅଟେ । ଏହାର ଚତୁଃପାର୍ଶ୍ୱ ଧାରରେ ଦୁଇଟି କଣା କରାଯାଇଥାଏ। ସେଥିରେ ରଶି ବନ୍ଧା ଯାଇଥାଏ। ଏହାକୁ ବାମ ହାତରେ ଅଙ୍ଗୁଳି ଝୁଲାଇଧରି ବାଦକ ଦକ୍ଷିଣ ହସ୍ତରେ ବେତ କିମ୍ବା କେନ୍ଦୁ,ବାଉଁଶବାଡ଼ିରେ ପିଟିବା ଦ୍ୱାରା ଢାଇଁଢାଇଁ ଧ୍ୱନି ସୃଷ୍ଟିକରି ବାଜିଥାଏ। ହିନ୍ଦୁ ଧର୍ମର ପୂଜାପର୍ବରେ ଘଣ୍ଟର ଭୂମିକା ରହିଛି। ଘଣ୍ଟକାଳିଶି ଦଶହରା ଏବଂ ଚୈତ୍ରମାସରେ ଗାଁରେ ଘୂରି ବୁଲି ଘଣ୍ଟ ବଜାଇ ନାଚୁଥାନ୍ତି। ରଥ ସମୟରେ ଘଣ୍ଟୁଆମାନେ ସୁନ୍ଦର ଭାବେ ଘଣ୍ଟ ବଜାଇଥାନ୍ତି।
ଗିନି- ଏହାକୁ ଦୁଇ ହାତରେ ଧରି ବଜାଯାଇଥାଏ। ଏହା ଦୁଇ/ ତିନିଇଞ୍ଚ ବ୍ୟାସର ମୋଟା ପିତ୍ତଳଥାଳି ଅଟେ। ଏହାର ମଧ୍ୟରେ ଛୋଟକଣା ଥାଏ। ଏହି କଣାରେ ସୂତା ଦେଇ ତଳପଟରେ ଗଣ୍ଠି ପକାଯାଇଥାଏ। ଦୁଇଟି ଗିନିଥାଳକୁ ସୂତାରେ ଦୁଇପାର୍ଶ୍ୱରେ ବାନ୍ଧି ବଜାଯାଇଥାଏ। ରାମଲୀଳା, ମେଳା, ହରିନାମ ସଂକୀର୍ତ୍ତନରେ ବଜାଯାଇଥାଏ।
ଝାଞ୍ଜ-ଏହା ପତଳା ପିତ୍ତଳରେ ତିଆରି ଓ ପ୍ରାୟ ଛଅ ଇଞ୍ଚ ବ୍ୟାସର ଏକ ଥାଳି ଅଟେ। ଏହାର ଗଠନ ଗିନି ଆକୃତିର । ଗିନି ପରି ମଧ୍ୟ ବଜାଯାଇଥାଏ। ଏହା ଖୁବଜୋରରେ ଝାଇଁ ଝାଇଁଁ ଧ୍ୱନି ସୃଷ୍ଟିକରେ ପାଲା,ରାଧାପ୍ରେମଲୀଳାରେ। ହିନ୍ଦୁ ପର୍ବପର୍ବାଣି ସମୟରେ ଠାକୁରଙ୍କ ପାଟପଟୁଆର ପରିକ୍ରମାବେଳେ ଏହି ଝାଞ୍ଜକୁ ବଜାଯାଇଥାଏ।
ଦାସକାଠିଆ-ଦାସ ଅର୍ଥ ଭୃତ୍ୟ ବା ଭକ୍ତ। ଦକ୍ଷିଣ ଓଡ଼ିଶାରେ ରାମତାଳିକୁ କେହି କେହି ଦାସକାଠିଆ ବୋଲି କୁହନ୍ତି। ଶିଶୁ କିମ୍ବା ଶାଗୁଆନ କାଠରେ ତିଆରି ହୁଏ ଦାସକାଠିଆ। ଏହା ପ୍ରାୟ ଛଅ, କି ସାତ ଇଞ୍ଚର ଦୁଇଫାଳ କାଠର ସମଷ୍ଠି । ଏଥିରେ ଜଡ଼ା କିମ୍ବା ରାଶିତେଲ ଦେଇ ଖରାରେ ଶୁଖାଇ ଦିଆଯାଇଥାଏ। ଏହାର ଦୁଇକାଠିର ସମତଳକୁ ବାଜିବାରେ ସହାୟକ ହୋଇଥାଏ। ହାତ ଅଙ୍ଗୁଳିରେ ଚାପି କାଠିକୁ ଆଘାତ ଦେଲେ ଦାସକାଠିଆ ବାଜେ। ଦାସକାଠିଆର ଅଗ୍ର ଭାଗରେ ଝୁମୁକା ଲାଗିଥାଏ। କାଠିକୁ କାଠି ବାଜିଲେ ଠକଠକ ଶବ୍ଦ ସୃଷ୍ଟି ହୁଏ। ଝୁମୁକା ଏଥିସହିତ ବାଜିଥାଏ। ରାମୟଣ ଗାୟନରେ କଳାକାର ଏହାକୁ ବଜାଇଥାନ୍ତି।
ଢୋଲ-ପଣସ କିମ୍ବା ଗମ୍ଭାରି କାଠ ଆଦି କେତେକ ଚେମଟା ଓ ହାଲକା କାଠର ବଡ଼ଗଣ୍ଠିକୁ ମାପ ଅନୁସାରେ କଟାଯାଇ ଖୋଳ କରାଯାଇଥାଏ। ଏହାର ଦୁଇପାଖ ମୁହଁ ପ୍ରାୟସମାନ ରହିଥାଏ। ଗୋରୁ ଚମଡ଼ାରେ ଖୋଲାମୁହଁକୁ ଆବଦ୍ଧ କରାଯାଇଥାଏ। ଚମଡ଼ାକୁ ରଶି କିମ୍ବା ଚମଡ଼ା ଫିତାରେ ଟାଣକରି ବନ୍ଧା ଯାଇଥାଏ। ଏହାର ବ୍ୟାସ ପ୍ରାୟ ୧୧/୨ ଫୁଟରୁ ୨ଫୁଟ ଏବଂ ଲମ୍ବ ୨୧/୨ଫୁଟ ରୁ ପ୍ରାୟ ୩ଫୁଟ ମଧ୍ୟରେ ହୋଇଥାଏ। ଚମଡ଼ାରେ ମଧ୍ୟଭାଗରେ ଶଗଡ଼କାଳିରେ କିରଣକରି ଅଠାଦ୍ୱାରା ଲଗାଯାଇଥାଏ। ଏକପାଖକୁ ଧେୟା ଅନ୍ୟପାର୍ଶ୍ୱଟି ଚାୟା କୁହାଯାଏ। ଏହାକୁ ଦୁଇହାତରେ ଦୁଇପାର୍ଶ୍ୱକୁ ବଜାଯାଇଥାଏ। ଏକ ହାତରେ ଛୋଟ ବାଡ଼ି ପ୍ରାୟ୮ରୁ୧୦ଇଞ୍ଚର ଧରି ଢୋଲକୁ ପିଟାଯାଉଥିବାବେଳେ ଅନ୍ୟପଟ ହାତର ଅଙ୍ଗୁଳିି ଚାଳନା କରାଯାଇଥାଏ। ଏହା ଦ୍ୱାରା ଏହି ବାଦ୍ୟରୁ ସ୍ବତନ୍ତ୍ର ଶବ୍ଦ ହୋଇଥାଏ।
ବିଗୁଲ- ଏହା ତମ୍ବାରେ ତିଆରି । ଏହାର ମୁହଁଟି ଚେପଟା ଓ ପୋଲା ହୋଇଥାଏ। ଏହି ବାଦ୍ୟଯନ୍ତ୍ରର ଶରୀରଟି ନଳ ସଦୃଶ। ଏହାର ଦୁଇମୁହଁକୁ ଆବଦ୍ଧ କରାଯାଇଥାଏ। ଉପର ପଟରେ ସରୁକଣାଟିଏ ରହିଥାଏ। ଏହି ନଳି ଭିତରେ ଛୋଟ ଗୋଡ଼ି କିମ୍ବା ଗୋଲମଞ୍ଜି ପକାଯାଇଥାଏ। ଏହାକୁ ଫୁଙ୍କିଲେ ପବନ ଦ୍ୱାରା ମଞ୍ଜିଟି ତମ୍ବାରେ ବାଡ଼େଇ ହୋଇ ଧ୍ୱନି ସୃଷ୍ଟିକରେ । ଏହାକୁ ବିଭିନ୍ନ ଯାତ୍ରା ଓ ନାଟକ ମଞ୍ଚରେ ବଜାଯାଇଥାଏ। ଏପରିକି କେତେକ ଖେଳସମୟରେ ମଧ୍ୟ ବଜାଯାଉଥିବା ଦେଖିବାକୁ ମିଳେ।
କେତେକ ଲୋକବାଦ୍ୟ- ଖୋର୍ଦ୍ଧାର ବରୁଣେଇ ନିକଟରେ ପ୍ରତିଷ୍ଠିତ ନାଟ୍ୟଚେତନାର ନାଟ୍ୟଗ୍ରାମରେ ନାଟ୍ୟଜ୍ଞାନ ସଂଗ୍ରହାଳୟରେ ଦେଖିବାକୁ ମିଳେ ବିଭିନ୍ନ ପ୍ରକାରର ପାରମ୍ପରିକ ବାଦ୍ୟଯନ୍ତ୍ର । ମୃଦଙ୍ଗ, ଘଣ୍ଟ, ଘଣ୍ଟି, ବଂଶୀ, ଶଙ୍ଖ, ଢୋଲ, ନିଷାନ, ତାତ, ମହୁରି, ତୂରୀ, କାହାଳୀ, ଭେରୀ, ଏକା, ଢେ, ଖଞ୍ଜଣି, ଘୁମୁରା, ଚାଙ୍ଗୁ, ଗିନି, ଝାଞ୍ଜ, ଡମ୍ବୁର, ଢଣକୋଇଲା, ଢେମସା, ସିଂହବାଦ୍ୟ, ଅଜଗର, ଯୋଡ଼ିନାଗରା, ତବଲା, ଗୋପିଯନ୍ତ୍ର, ଟୁଇଲା, ଡ଼ୁଣ୍ଡୁଣୀ, ମର୍ଦ୍ଦଳ, ମଙ୍ଗନ, ଭୁଆଙ୍ଗ, ବେନା, କେନ୍ଦରା, ଚଡ଼ଚଡ଼ି, ଚକ୍ର, ନାଗେଶ୍ୱର, କାହାଳୀ, ଘୁଡ଼ୁକି, ଡ଼ିବିଡ଼ିବି, ଦାସକାଠିଆ, ଝୁମୁକା ଆଦି ଲୋକବାଦ୍ୟ ସମ୍ପର୍କରେ ସୁବୋଧ ପଟ୍ଟନାୟକ କୁହନ୍ତି ଏମିତି ଆହୁରି ଅନେକ ବାଦ୍ୟଯନ୍ତ୍ର ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ କୁହନ୍ତି, ଲୋକବାଦ୍ୟ ଓ ଲୋକକଳାର ଲୋକପ୍ରିୟତା ଓ ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ କାଯର୍ୟକ୍ରମ ହୋଇଥାଏ।
-ବନବିହାରୀ ବେହେରା