Posted inଫୁରସତ

ଓଳଗ ଗାଁର ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲେଇ ଗାଁକୁ ଆସେ ପାର୍ବଣ। ଗାଁର ଆବାଳ ବୃଦ୍ଧ ବନିତା ମସ୍‌ଗୁଲ ହୋଇଯାନ୍ତି ଏଥିରେ। ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ସମସ୍ତେ ନିଜକୁ ଆଧ୍ୟାତ୍ମିକତାରେ ହଜେଇ ଦିଅନ୍ତି। ପାର୍ବଣର ଏହି ପରମ୍ପରାକୁ ପୁରୁଷ ପୁରୁଷ ଧରି ବଜାୟ ରଖି ଆସୁଥିବା ଏ ଗାଁ ହେଉଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ ଗାଁ। ଏଠାରେ ଯେଉଁ ପାରମ୍ପରିକ ନିଆରା ଦୁର୍ଗାପୂଜା ସଂଗଠିତ ହୁଏ ତାହା ସାରା ଓଡ଼ିଶାରେ ବିରଳ ।

ପାର୍ବଣର ପରମ୍ପରା: ଓଳଗ ଗାଁରେ ବାସ କରୁଥିବା କ୍ଷତ୍ରିୟ ବଂଶର ୨ ଗୋଷ୍ଠୀ ବଡ଼ଓଳଗ ଓ ସାନଓଳଗ ଭାବେ ପରିଚିତ। ପ୍ରତିବର୍ଷ ଏହି ଦୁଇ ଗୋଷ୍ଠୀ ତରଫରୁ ସ୍ବତନ୍ତ୍ର ଶୈଳୀରେ ଦୁର୍ଗାପୂଜା ପାଳିତ ହୋଇଥାଏ। ବଡ଼ଓଳଗ/ବଡ଼ଭାଇ ଗୋଷ୍ଠୀର ମହାପାତ୍ର ବଂଶଜମାନେ ଏକ ପିତଳ କଳସରେ ସ୍ବର୍ଣ୍ଣ/ରୌପ୍ୟର ଚକ୍ଷୁ, ନାସିକା, କର୍ଣ୍ଣ, ଅଧର ଆଦି ରୋପଣ କରିବା ପରେ ତାକୁ ମଣ୍ଡପରେ ସ୍ଥାପନ କରି ମା’ଙ୍କୁ ଆରାଧନା କରିଥାନ୍ତି। ସେହିପରି ସାନଓଳଗ/ସାନଭାଇ ଗୋଷ୍ଠୀର ସୁନ୍ଦରରାୟ ବଂଶଜମାନେ ମହଣ ପତ୍ରକୁ ଦେବୀଦୁର୍ଗା ଭାବେ ପୂଜା କରିଥାନ୍ତି। ପୂର୍ବେ ଏହି ପତ୍ରରେ ସେମାନେ ସ୍ବର୍ଣ୍ଣ/ରୌପ୍ୟରେ ନିର୍ମିତ ଚକ୍ଷୁ, ଅଧର, ନାସିକା କର୍ଣ୍ଣ ଆଦି ରୋପଣ କରି ପୂଜାର୍ଚ୍ଚନା କରୁଥିଲେ ା ହେଲେ ଗତ ୩ ବର୍ଷ ହେବ ସେମାନେ ମା’ଙ୍କର ମୁଖମଣ୍ଡଳ ସହ ଶରୀରର ଏକ ଖୋଳପାକୁ ମହଣ ପତ୍ର ଉପରେ ରଖି ପୂଜା କରୁଛନ୍ତି।

ବିଧିପୂର୍ବକ ପୂଜାର୍ଚ୍ଚନା: ପବିତ୍ର ଷଷ୍ଠୀ ତିଥିଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀରେ ମା’ ଦୁର୍ଗାଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ। ୨ ଗୋଷ୍ଠୀର ଜଣେ ଜଣେ ବ୍ୟକ୍ତି ପ୍ରଥମେ ପୁଣ୍ୟତୋୟା ବୈତରଣୀରେ ଘଟ ଉତ୍ତୋଳନ କରିଥାନ୍ତି। ତା’ପରେ ଢୋଲ, ମହୁରି, ଅନ୍ୟାନ୍ୟ ବାଦ୍ୟଯନ୍ତ୍ରର ତାଳେ ତାଳେ ପୂଜା ମଣ୍ଡପରେ ପବିତ୍ର ଘଟକୁ ସ୍ଥାପନ କରି ମା’ଙ୍କ ପୂଜା କର୍ମ ଆରମ୍ଭ ହୁଏ। ଏହି ସମୟରେ ବିଧିପୂର୍ବକ କ୍ଷତ୍ରିୟ ବଂଶର ଦାୟାଦମାନେ ନିଜ ନିଜ ଘରେ ଥିବା ବାଡ଼ି, ଖଣ୍ଡା, ଧନୁ, ଶର, ତେଣ୍ଟା ଆଦି ହାତହତିଆରକୁ ପୂଜା ମଣ୍ଡପରେ ଅବସ୍ଥାପନ କରିଥାନ୍ତି।
ମହାଷ୍ଟମୀ, ନବମୀରେ ମା’ଙ୍କର ନିଆରା ପୂଜା: ପବିତ୍ର ମହାଷ୍ଟମୀରେ ପୂଜା ମଣ୍ଡପରେ ସକାଳଠାରୁ ରାତ୍ରିର ଅନ୍ତିମ ପ୍ରହର ଯାଏ ଚଣ୍ଡୀପାଠ ସହ ଘୃତାହୁତି ପ୍ରଦାନ କରାଯାଏ। ଗ୍ରାମର ସମସ୍ତ ପରିବାରର ସଦସ୍ୟ ଉପବାସ କରିଥାନ୍ତି। ନିଜ ଗାଁ ବ୍ୟତୀତ ଆଖପାଖ ଗାଁରୁ ଆସିଥିବା ଭୋଗ ସାମଗ୍ରୀକୁ ମା’ଙ୍କୁ ଅର୍ପଣ କରାଯାଏ। ଏହିଦିନ ବଳି ସ୍ବରୂପ ମା’ଙ୍କୁ କୁଷ୍ମାଣ୍ଡ ବି ଅର୍ପଣ କରାଯାଏ। ପୂଜା ଶେଷରେ ପରିବାରର ସମସ୍ତ ବ୍ୟକ୍ତି ମା’ଙ୍କ ଚରଣାମୃତ ପାନ କରି ବ୍ରତ ଭାଙ୍ଗିଥାନ୍ତି। ସେହିପରି ମହାନବମୀରେ ଦିବାରାତ୍ର ଚଣ୍ଡୀପାଠ ସହ ପୂଜା ମଣ୍ଡପରେ ହୋମଯଜ୍ଞର ଆୟୋଜନ କରାଯାଇଥାଏ ା

ଦଶହରାରେ ମା’ଙ୍କୁ ବିଦାୟ: ଦଶହରା ଦିନ ଏକ ବିରାଟ ପଟୁଆରରେ ମା’ ଦୁର୍ଗତିନାଶିନୀଙ୍କୁ ଶୋଭାଯାତ୍ରାରେ ନିଆଯାଏ। ଉଭୟ ଗାଁର ପିଲାଠୁ ବୃଦ୍ଧ ସମସ୍ତେ ଢୋଲମହୁରିର ତାଳେ ତାଳେ ଖଣ୍ଡା ଓ ବାଡି ଖେଳରେ ମସଗୁଲ ହୋଇଯାନ୍ତି। ଏହି ପାରମ୍ପରିକ ଖଣ୍ଡା ଓ ବାଡି ଖେଳକୁ ଦେଖିବା ପାଇଁ ଆଖପାଖ ଗାଁର ଲୋକମାନେ ରୁଣ୍ଡ ହୁଅନ୍ତି। ଏହାପରେ ପ୍ରତି ଘରେ ଘରେ ଭୋଜିଭାତର ଆୟୋଜନ ହୁଏ। ସାତ ତିଅଣ ନ’ ଭଜାରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଏ ା

ଲାଖବିନ୍ଧା ପରମ୍ପରା: ମା’ଙ୍କୁ ବିଦାୟ ଦେଲାପରେ ସାନଓଳଗ ସୁନ୍ଦରରାୟ ବଂଶର ଜଣେ ବ୍ୟକ୍ତି ପାଲିଙ୍କିରେ ବିଦ୍ୟମାନ ହୋଇ ବିଭିନ୍ନ ବାଦ୍ୟର ତାଳେ ତାଳେ ବଡ଼ଓଳଗର ମହାପାତ୍ର ବଂଶଜଙ୍କ ନିକଟକୁ ଆଗମନ କରିଥାନ୍ତି ଓ ଦଶହରା ପଡିଆରେ ଉପନୀତ ହେବାପାଇଁ ନିମନ୍ତ୍ରଣ କରି ଫେରିଆସନ୍ତି। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥାଏ। ଏହାପରେ ଉଭୟ ଗୋଷ୍ଠୀର ଶତାଧିକ ବ୍ୟକ୍ତି ବୀର ବେଶରେ ସଜ୍ଜିତ ହୋଇ ହାତରେ ଧନୁଶର ଧରି ଗାଁଠୁ କିଛି ଦୂରରେ ଥିବା ଦଶହରା ପଡିଆକୁ ଯାତ୍ରା କରନ୍ତି। ସେଠାରେ ବନ୍ଧୁତ୍ୱପୂର୍ଣ୍ଣ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୁଏ। ନିୟମାନୁସାରେ, ୧୦୦ ମିଟର ବ୍ୟବଧାନରେ ପୋତାଯାଇଥିବା ଏକ କଦଳୀ ଗଛକୁ ଲକ୍ଷ୍ୟ କରି ଉଭୟ ଗୋଷ୍ଠୀର ବୀରମାନେ ତୀର ମାରନ୍ତି। ଯେଉଁ ଗୋଷ୍ଠୀର ବ୍ୟକ୍ତି କଦଳୀ ବୃକ୍ଷରେ ପ୍ରଥମେ ତୀର ବଜାନ୍ତି, ସେହି ଗୋଷ୍ଠୀର ବ୍ୟକ୍ତିମାନେ ମା’ଦୁର୍ଗାଙ୍କ ସମ୍ପତ୍ତି ଉପରେ ୧ ବର୍ଷ ପର୍ଯ୍ୟନ୍ତ ମାଲିକାନା ଜାହିର କରିଥାନ୍ତି। ଏହି ବିରଳ ଦୃଶ୍ୟକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ଦଶହରା ପଡିଆରେ ରୁଣ୍ଡ ହୋଇଥାନ୍ତି ା
ରାବଣ ପୋଡ଼ି: ଲାଖବିନ୍ଧା ପର୍ବର ପରିସମାପ୍ତି ପରେ ସନ୍ଧ୍ୟାରେ ଗାଁ ନିକଟସ୍ଥ ମଠଡିହଠାରେ ରାବଣ ପୋଡିର ଆୟୋଜନ ହୋଇଥାଏ। ନିୟମାନୁଯାୟୀ, ସ୍ଥାନୀୟ ସରପଞ୍ଚ ରାବଣ ଦେହରେ ଅଗ୍ନି ସଂଯୋଗ କରିଥାନ୍ତି। ଆତସବାଜିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଯାଏ। ରାବଣ ପୋଡିକୁ ଦେଖିବା ପାଇଁ ଆଖପାଖ ୧୦ଟି ପଞ୍ଚାୟତ ଓ ପଡୋଶୀ ଯାଜପୁର ଜିଲାର ୨ଟି ପଞ୍ଚାୟତର ଲୋକେ ରୁଣ୍ଡ ହୋଇଥାନ୍ତି ା

ଭାଇଚାରା ରଖିବାକୁ ଉଦ୍ୟମ: ଷଷ୍ଠୀଠାରୁ ନବମୀ ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀ ତରଫରୁ ଭାଇଚାରା ରଖିବାକୁ ଉଦ୍ୟମ କରାଯାଏ। ଯେଉଁଥିପାଇଁ ଗ୍ରାମରେ ଥିବା କ୍ଷତ୍ରିୟଙ୍କ ବ୍ୟତୀତ ଅନ୍ୟ ସଂପ୍ରଦାୟର ଲୋକେ ବି ଆଖପାଖ ଗାଁର ବ୍ୟକ୍ତିଙ୍କୁ ସନ୍ଧ୍ୟାରେ ନିଜ ନିଜ ଘରକୁ ଆମନ୍ତ୍ରିତ କରିଥାନ୍ତି। ଏହି ୪ ଦିନ ଘରେ ଘରେ ହୁଏ ପିଠାପଣାର ସମ୍ଭାର। ପୁରି, ଖିରି, ଘିଅପିଠା, ରସାବଳୀ, ପାନତୁଆ, ଲେଡିକିନ, ଜିଲାପି ଆଦି ମିଠା ସହ ବିଭିନ୍ନ ଫଳମୂଳ ଆମନ୍ତ୍ରିତ ଅତିଥିଙ୍କୁ ପରସା ଯାଇଥାଏ। ଏହା ଭାଇଚାରା ରକ୍ଷା କରିବାର ଶ୍ରେଷ୍ଠ ମାଧ୍ୟମ ବୋଲି ସାଧାରଣରେ ଚର୍ଚ୍ଚା ହୁଏ ା
-ଦିପ୍ତୀ ରଞ୍ଜନ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri